ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ ନୂଆ ମୁହଁଙ୍କୁ ନେଇ ଚାଲିଛି ଅଙ୍କକଷା।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ୨୦୧୯ ନିର୍ବାଚନ ପାଇଁ ଏବେଠୁ ମାହୋଲ ଗରମ୍। କିଏ ଟିକେଟ ପାଇବ ଏବଂ କିଏ ଟିକେଟ ନପାଇବ ତାକୁ ନେଇ ନେତାଙ୍କ ଭିତରେ ଉତ୍କଣ୍ଠା ବଢ଼ିଥିବା ବେଳେ କିଛି ନୂଆ ମୁହଁଙ୍କୁ ନେଇ ଚର୍ଚ୍ଚା ହେଉଛି।

୨୦୧୯ ଭୋଟରେ ବାପାମାନେ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇ ପୁଅମାନଙ୍କୁ ବାଟ ଛାଡ଼ିବା ପାଇଁ ଗୋଟି ଚାଳନା କରୁଥିବା କୁହାଯାଉଛି। ଏମାନଙ୍କ ଭିତରେ ଅଛନ୍ତି ଭଦ୍ରକ ଜିଲ୍ଲାର ତିନି ନେତାଙ୍କ ପୁଅ।

ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁପଦ ରାଉତରାୟ (ଜିତୁ), ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ (ଲୁଲୁ) ଏବଂ ଯୁଗଳ ପଟ୍ଟନାୟକଙ୍କ ପୁଅ ବୁଲୁ ପଟ୍ଟନାୟକ।

ଏପଟେ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ ଅର୍କେଶ ସିଂହଦେଓ, ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଶଭ ନନ୍ଦଙ୍କୁ ନେଇ ମଧ୍ୟ ରାଜନୀତି କରିଡରେ ଚର୍ଚ୍ଚା ହେଉଛି।

ବାସୁଦେବପୁରରୁ ବିଷ୍ଣୁପଦ!

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟଶ୍ରୀ ରାଉତରାୟ ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଅଛନ୍ତି। ହେଲେ ୨୦୧୯ ନିର୍ବାଚନ ବିଜୟଶ୍ରୀ ଲଢ଼ିବେ ନାହିଁ ବୋଲି ଗତ ବର୍ଷକ ତଳୁ ସଫା ସଫା ମନା କରିଦେଇଛନ୍ତି। ତାଙ୍କ ବଦଳରେ ପୁଅ ବିଷ୍ଣୁପଦ ରାଉତରାୟଙ୍କ ପାଇଁ ଟିକେଟ ନେବାକୁ ଗୋଟି ଚାଳନା କରୁଛନ୍ତି ବିଜୟଶ୍ରୀଙ୍କ ଭଳି ବରିଷ୍ଠ ନେତା।

୨୦୧୭ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ପ୍ରଥମେ ଅଗ୍ନିପରୀକ୍ଷା ଦେଇଥିଲେ ବିଷ୍ଣୁପଦ। ବିଜେଡି ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପଞ୍ଚାୟତରେ ବୁଲି ପ୍ରଚାର କରିଥିଲେ। ଏଥିରେ ସଫଳ ମଧ୍ୟ ହୋଇଥିଲେ ସେ। ଖାଲି ସେତିକି ନୁହେଁ, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଏବଂ ସଭାସମିତି, କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଷ୍ଣୁପଦଙ୍କୁ ଅତିଥି ହୋଇ ମଞ୍ଚରେ ବସୁଥିବା ଦେଖିବାକୁ ମିଳୁଛି। ଯଦି ବିଷ୍ଣୁପଦ ଟିକେଟ ପାଆନ୍ତି ତାହାଲେ ବାପା ବିଜୟଶ୍ରୀଙ୍କ ଭଳି ରେକର୍ଡ ଭୋଟରେ ଜିତୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

ଭଣ୍ଡାରିପୋଖରୀରେ ଲୁଲୁଙ୍କୁ ନେଇ ଚର୍ଚ୍ଚା

ଭଦ୍ରକ ଜିଲ୍ଲାର ଆଉ ଜଣେ ଟାଣୁଆ ନେତା ହେଉଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ୨୦୦୯ରୁ ସେ ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି ଏବଂ ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଛନ୍ତି। ଏବେ ତାଙ୍କ ଜାଗାରେ ପ୍ରାର୍ଥୀ ହେବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ପୁଅ ପ୍ରୟାସକାନ୍ତି ସାମଲ ଓରଫ୍ ଲୁଲୁ। ଲୁଲୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଛାତ୍ର ଜୀବନରୁ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ। ବିଭିନ୍ନ ନିର୍ବାଚନରେ ବାପାଙ୍କ ପ୍ରଚାର ମଙ୍ଗ ମଧ୍ୟ ଲୁଲୁ ସାମଲ ଧରିଥିବା ଦେଖିବାକୁ ମିଳିଥିଲା। ୨୦୧୯ରେ ସେ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଛନ୍ତି। ଲୁଲୁ ଏବେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅଛନ୍ତି।

ଭଦ୍ରକ ପାଇଁ ବୁଲୁ!

କଂଗ୍ରେସ ରାଜନୀତିରୁ ବିଜେଡି ଆସିଥିବା ଯୁଗଳ କିଶୋର ପଟ୍ଟନାୟକ ହେଉଛନ୍ତି ଭଦ୍ରକ ଜିଲ୍ଲାର ଜଣେ ବରିଷ୍ଠ ନେତା। ସେ ୧୯୭୪ରୁ ସେ ଆଜିପର୍ଯ୍ୟନ୍ତ ପାଞ୍ଚ ଥର ବିଧାୟକ ହେଲେଣି। କିନ୍ତୁ ବୟସ ପ୍ରତିବନ୍ଧକ ସାଜୁଥିବାରୁ ୨୦୧୯ ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ଜାଗାରେ ପୁଅ ବୁଲୁ ପଟ୍ଟନାୟକ ଟିକେଟ ପାଇପାରନ୍ତି ବୋଲି କୁହାଯାଉଛି।

ବୁଲୁ ମଧ୍ୟ ଏବେ ଭଦ୍ରକରୁ ଟିକେଟ ପାଇଁ ଜୋରଦାର ଲବି ଚଳାଇଥିବା କୁହାଯାଉଛି। ବାପା ଯୁଗଳ ପଟ୍ଟନାୟକଙ୍କ ସଙ୍ଗଠନକୁ ଆଧାର କରି ବୁଲୁ ୨୦୧୯ ପାଇଁ ସଜବାଜ ହେଉଛନ୍ତି।

ପାରାଦୀପରେ ବଦଳିବ ସମୀକରଣ?

ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନମଣ୍ଡଳୀ ଏବେ ରାଜନୀତି କରିଡରରେ ଚର୍ଚ୍ଚାରେ। ଦାମ ବିଜେଡିରୁ ବିଦା ହେବା ପରେ କିଏ ଏଠାରୁ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କ କଷା ଚାଲିଛି। ପାରାଦୀପ ପାଇଁ ଦେବାଶିଷ ସାମନ୍ତରାୟଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କୁ କଟକ ଜିଲ୍ଲା ବିଜଡିର ସଭାପତି କରିବା ପରେ ଏହି ଚର୍ଚ୍ଚାରେ କିଛିଟା ପୂର୍ଣ୍ଣଛେଦ ପଡ଼ିଛି। ଏହି ଆସନରୁ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଏହି ଆସନ ପାଇଁ ଆଶାୟୀ ରହିଥିବା କୁହାଯାଉଛି।

ସମ୍ବିତ ଏବେ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି। ଏହାସହ ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ପାରାଦୀପର ବିଭିନ୍ନ ଅଞ୍ଚଳ ବୁଲି ସମ୍ବିତ ସଙ୍ଗଠନ ସଜାଡ଼ୁଥିବାରୁ ସେ ବିଜେଡି ଟିକେଟ ନେଇପାରନ୍ତି ବୋଲି କୁହାଯାଉଛି।

ବଲାଙ୍ଗିରରେ ଅର୍କେଶ!

ବଲାଙ୍ଗିର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ ଅର୍କେଶ ସିଂହଦେଓ ୨୦୧୯ ନିର୍ବାଚନରେ ରାଜନୀତି ପାଇଁ ନୂଆ ଚେହେରା ହୋଇପାରନ୍ତି। ସେ ବଲାଙ୍ଗିରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ୨୦୧୪ ନିର୍ବାଚନରେ ଅନଙ୍ଗ ଉଦୟ ସିଂହଦେଓ ଏହି ଆସନରୁ ପରାଜିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିପୁଳ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ଏହି ଆସନରୁ ୨୦୧୯ରେ ଅର୍କେଶ ବିଜେଡି ଟିକେଟ ପାଇଁ ରେସ୍‌ରେ ଅଛନ୍ତି। ଅର୍କେଶ ବଲାଙ୍ଗିରର ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଛନ୍ତି।

ବୋଲଗଡ଼-ବେଗୁନିଆରୁ ରିଷଭ ନନ୍ଦ!

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼-ବେଗୁନିଆରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଛନ୍ତି ରାଜ୍ୟସଭା ସାଂସଦଙ୍କ ପୁଅ ରୁଷିଭ ନନ୍ଦ। କାରଣ ବୋଲଗଡ଼-ବେଗୁନିଆରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ। ଏବେ ବାପାଙ୍କ ଜାଗାରୁ ବିଜେଡି ଟିକେଟ ନେବା ଲାଗି ରୁଷିଭ ଅଣ୍ଟା ଭିଡ଼ିଛନ୍ତି। ବୋଲଗଡ଼-ବଗେୁନିଆର ବିଭିନ୍ନ ସ୍ଥାନରେ ହୋର୍ଡିଂ ମାରି ଭୋଟରଙ୍କ ନିକଟତର ହେଉଛନ୍ତି ରୁଷିଭ।

ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନବୀନଙ୍କ ଗୁଡ଼୍‌ ବୁକ୍‌ରେ ନଥିବାରୁ ରିଷଭ ଏହି ନିର୍ବାଚନମଣ୍ଡଳୀରୁ ନୂଆ ମୁହଁ ହୋଇପାରନ୍ତି ବୋଲି କୁହାଯାଉଛି।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ରାଜନୀତି ଆସିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ସେ କେଉଁ ଦଳରୁ ଇନିଂସ୍ ଆରମ୍ଭ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ନେତାଙ୍କ ପୁଅମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା କିଛି ନୂଆ କଥା ନୁହେଁ। କାରଣ ଅତୀତରେ ଅନେକ ନେତାଙ୍କ ପୁଅ ରାଜନୀତିକୁ ଆସି ନିର୍ବାଚନ ଲଢ଼ି ସଫଳ ହୋଇଛନ୍ତି। ସେମାନଙ୍କ ଭିତରେ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥୀ ବେହେରା, ଅନଙ୍ଗ ଉଦୟ ସିଂହଦେଓଙ୍କ ବଡ଼ ପୁଅ କଳିକେଶ ସିଂହଦେଓ, ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି।

Comment