ଗୀତା ଦାସ

ଆଧୁନିକ ଜୀବନରେ ଚାପ ବଢ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ ଆମେ ଏହାର ଲକ୍ଷଣ ଜାଣି ସାବଧାନ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଚାପ ବଢ଼ିଲେ କ’ଣ ସବୁ ସମସ୍ୟା ଦେଖାଦିଏ।
୧. ମୁଣ୍ଡ କୁଣ୍ଡେଇବା, ଦାଢ଼ି କାଟିବା, ସଫା ଜାମାପଟା ପିନ୍ଧିବାକୁ ମନ ନ କରିବା ମଇଳା ବା ଛିଣ୍ଡା ଲୁଗା ପିନ୍ଧିବା।
୨. କାମକୁ ବରାବର ଡେରିରେ ପହଞ୍ଚିବା।
୩. ଅନ୍ୟ ଲୋକଙ୍କୁ ଭେଟିଲେ ନ ହସି, ନମସ୍କାର ନ କରି ଗମ୍ଭୀର ହୋଇ ବସିବା।
୪. ଟେବୁଲ୍ ପାଖରେ ବସିଥିଲେ ଆଙ୍ଗୁଠିରେ ଟେବୁଲ୍ ଉପରେ ଠକ୍ ଠକ୍ କରିବା କିମ୍ବା ଅନବରତ ଗୋଡ଼ ହଲେଇବା କିମ୍ବା ଅଣାୟତ୍ତ ଭାବରେ ମୁହଁ ପାକୁଳେଇବା, ଆଖିମିଟିକା ମାରିବା।
୫. ସବୁବେଳେ ଘର ବାହାର ହୋଇ ଚାଲୁଥିବା କିମ୍ବା ତୁଚ୍ଛାଟାରେ ପଇଁତରା ମାରିବା।
୬. ଚିଡ଼ିଚିଡ଼ି ହେବା, ଟିକେ କଥାରେ ଅନ୍ୟକୁ ଧମକଚମକ ଦେଖେଇବା।
୭. ଟିକେ କଥାରେ ଉତ୍ତେଜିତ ହୋଇ ଉଠିବା।
୮. ସାମାନ୍ୟ କଥାରେ ଗଣ୍ଡଗୋଳ ସୃଷ୍ଟି କରିବା।
୯. ଚାଲିଗଲା ବେଳେ ଝୁଣ୍ଟି ପଡ଼ିବା, କାନ୍ଥରେ ବାଜିଯିବା, କଟାକଟି କଲା ବେଳେ ଆଙ୍ଗୁଠି କାଟିବା ବା ରାନ୍ଧିଲା ବେଳେ ହାତ ପୋଡ଼ିବା ପରି ଛୋଟ ଛୋଟ ଦୁର୍ଘଟଣା ବଢ଼ିଚାଲେ।
୧୦. କାମରେ ଦକ୍ଷତା କମିଯାଏ ଓ ଠିକ୍ ସମୟରେ କାମ ସାରିପାରୁ ନଥିବାରୁ ବହୁତ କାମ କମିଯାଏ।
୧୧. କାମରେ ତ୍ରୁଟି ଘୋଡ଼ାଇବା ଲାଗି ମିଛ ବାହାନା ସୃଷ୍ଟି କରିବା।
୧୨. ତରତର ହୋଇ କଥା କହିବା ଓ କଥା କହିଲାବେଳେ ଅଧେ କଥା ଗିଳି ପକେଇଲା ପରି କହିବା।
୧୩. ଅନ୍ୟକୁ ଦୋଷ ଦେବା ଏବଂ ସମସ୍ତଙ୍କ ପ୍ରତି ସନ୍ଦେହ ଓ ଅବିଶ୍ୱାସର ଭାବ ବଢ଼ିବା।
୧୪. ଅସ୍ୱାଭାବିକ ଓ ଅପ୍ରତ୍ୟାଶିତ ବ୍ୟବହାର।
୧୫. ଅନ୍ୟ କାହା ସହିତ ମନ ଖୋଲି କଥାବାର୍ତ୍ତା କରି ହୁଏନାହିଁ, ଯେତିକି ନିହାତି ଦରକାର, ସେତିକି କଥା କହିବା।
୧୬. ଅନ୍ୟମାନଙ୍କ ପାଖକୁ ଯିବାଆସିବା ବନ୍ଦ ହୋଇଯାଏ।
୧୭. ବିଶ୍ରାମ ସତ୍ତ୍ୱେ ଅବସାଦ, କ୍ଲାନ୍ତି ଓ ଶ୍ରାନ୍ତି କମିଯାଏ ନାହିଁ।
୧୮. ସବୁବେଳେ ଶୋଇ ରହିବାକୁ ମନ ହୁଏ, ଅଥଚ ଭଲ ନିଦ ହୁଏ ନାହିଁ
୧୯. ହଜମି ଔଷଧ, ମୁଣ୍ଡ ବିନ୍ଧା ଔଷଧ, ଭୋକ ହେବା ଲାଗି ଟନିକ୍- ଏମିତି ବିଭିନ୍ନ ପ୍ରକାରର ଔଷଧ ଖାଇ ଅସ୍ୱସ୍ତି ଦୂର କରିବାର ଚେଷ୍ଟା।
୨୦. ଝଡ଼ିଯାଇ ବହୁତ ଓଜନ କମିଯାଏ ବା ହଠାତ୍ ବହୁତ ମୋଟା ହୋଇଯିବାର ଦେଖାଯାଏ।
୨୧. ସିଗାରେଟ୍ ପିଇବା, ମଦ ପିଇବା, ଭାଙ୍ଗ, ଗଞ୍ଜା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବ୍ୟବହାର ବଢ଼େ।
୨୨. ଗୁଡ଼ାଏ ଟଙ୍କା ଧାରକରଜ କରି ଖର୍ଚ୍ଚ କରିବା, ତାସ୍ ଖେଳରେ ବାଜି ପକେଇ ଟଙ୍କା ହାରିଯିବା, ସମ୍ପତ୍ତିବାଡ଼ି ବିନର୍ବ୍ୟୟ କରିବା ପରି ବେପରୁଆ ବ୍ୟବହାର ଦେଖାଯାଏ।
କହିବା ବାହୁଲ୍ୟ ଯେ ଏହି ସବୁ ଲକ୍ଷଣ ଆମ ସମସ୍ତଙ୍କଠାରେ ସାମୟିକ ଅଳ୍ପ ବହୁତ ପରିମାଣରେ ଦେଖାଯାଏ। ତେଣୁ ଯେତେବେଳେ ଏସବୁ ଲକ୍ଷଣ ବହୁଦିନ ଧରି ଅନବରତ ଭାବରେ ଦେଖାଯାଏ, ସେତେବେଳେ ଚିକିତ୍ସକଙ୍କ ପରାମର୍ଶ ନେବା ଦରକାର। ଏଇ ତାଲିକାରେ ବର୍ଣ୍ଣିତ ବହୁତ ଲକ୍ଷଣ ଅନ୍ୟ ରୋଗ ହୋଇଥିଲେ ଦେଖାଯାଏ। ତେଣୁ କେବଳ ଅଭିଜ୍ଞ ଚିକିତ୍ସକ ହିଁ କେଉଁ କାରଣରୁ ଲକ୍ଷଣ ଦେଖାଯାଉଛି, ସେ କଥା ନିରୂପଣ କରିପାରନ୍ତି। ପରାମର୍ଶକାରୀର କାମ ହେଉଛି ନିଜ ଜୀବନର ଚାପଜନିତ ପରିସ୍ଥିତି ଓ ଅନୁଭୂତି ବିଷୟ ଡାକ୍ତରଙ୍କୁ କହିବା।
ଏହାଛଡ଼ା ଆଧୁନିକ ଜୀବନରେ ଚାପ ବଢ଼ିବାର ଆଉ ଏକ ପ୍ରଧାନ କାରଣ ହେଲା ସାମାଜିକ, ପାରିବାରିକ ଓ କର୍ମକ୍ଷେତ୍ରରେ ଘନ ଘନ ପରିବର୍ତ୍ତନ। ଅଳ୍ପ ସମୟ ଭିତରେ ବହୁ ପରିବର୍ତ୍ତନ ଘଟିବାରୁ ଓ ଅଧିକାଂଶ ପରିବର୍ତ୍ତନ ପାଇଁ ଆମେ ପ୍ରସ୍ତୁତ ନ ଥିବାରୁ ପ୍ରତିଟି ପରିବର୍ତ୍ତନ ସହିତ ସାମଞ୍ଜସ୍ୟ ରକ୍ଷା କରି ଚଳିବା ପାଇଁ ନିଜ ଜୀବନଧାରା, ମନୋବୃତ୍ତି, ଅଭ୍ୟାସ, ସ୍ୱଭାବ ଓ ଚାଲିଚଳଣର ଆମୂଳ ପରିବର୍ତ୍ତନ ସମ୍ଭାଳି ନ ପାରି ଏବେକାର ମଣିଷ ସବୁବେଳେ ଅଳ୍ପ ବହୁତ ଚାପ ଅନୁଭବ କରୁଛି। ଏହାର ପ୍ରତିକାର ଓ ପ୍ରତିଷେଧର ଉପାୟ କ’ଣ, ସେକଥା କହିବା ପୂର୍ବରୁ ଆଧୁନିକ ଜୀବନର ଚାପ ବିଷୟରେ ଆଲୋଚନା କରୁଛି।
(ଗୀତା ଦାସ ଜଣେ ପରିଚିତ ଓଡ଼ିଆ ଲେଖିକା ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନସ୍ତତ୍ୱବିଦ। ୧୮୬୮ ମସିହାରୁ ସେ କାନାଡ଼ାରେ ରହୁଛନ୍ତି। ‘ମନର ଅନ୍ଧାର ମାନସିକ ସମସ୍ୟା’ ପୁସ୍ତକରେ ଶ୍ରୀମତି ଦାସ ମଣିଷର ଦୈନନ୍ଦିନ ଓ ପେସାଦାର ଜୀବନରେ ଆସୁଥିବା ବିଭିନ୍ନ ମାନସିକ ସମସ୍ୟାର ଲକ୍ଷଣ, କାରଣ ଏବଂ ଉପଚାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକର ବିଭିନ୍ନ ଭାଗକୁ ପାଠକମାନଙ୍କ ନିକଟରେ ଓଡ଼ିଶାଲାଇଭ୍’ ମାଧ୍ୟମରେ ପହଞ୍ଚାଇବା ଲାଗି ଲେଖିକା ଅନୁମତି ପ୍ରଦାନ କରିଛନ୍ତି – ସମ୍ପାଦକ, ଓଡ଼ିଶାଲାଇଭ୍)
(ସୌଜନ୍ୟ: ମନର ଅନ୍ଧକାର ମାନସିକ ସମସ୍ୟା)


















