ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ରେ ମୁଖ୍ୟ ଭୂମିକାରେ ବିବେକ ଓବରୟ ଅଭିନୟ କରୁଛନ୍ତି। ବିବେକ ନିଜ ରୋଲ ଲାଗି ଲୁକ୍ସ ଓ ବଡି ବନାଇବା ଆରମ୍ଭ କରିଦେଇଛନ୍ତି। ତେବେ ଫିଲ୍ମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅମିତ ଶାହଙ୍କ ଚରିତ୍ରରେ କିଏ ଅଭିନୟ କରିବେ? ସେନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ମୋଦିଙ୍କ ବାୟୋପିକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଚରିତ୍ରରେ ଅଭିନୟ କରିବେ ଜଣାଶୁଣା ବଲିଉଡ ଆକ୍ଟର ମନୋଜ ଜୋଶୀ। ଫିଲ୍ମର ପ୍ରଡ୍ୟୁସର ସନ୍ଦୀପ ସିଂ ମନୋଜ ଜୋଶୀଙ୍କୁ ଚୟନ କରିଛନ୍ତି। ଏକ ଇଣ୍ଟରଭ୍ୟୁରେ ମନୋଜ ଜୋଶୀ କହିଛନ୍ତି, “ଏହି ରୋଲ ମୋ ପାଇଁ ଏକ ଚାଲେଞ୍ଜ ସୃଷ୍ଟ କରିବ, କିନ୍ତୁ ଏହି ରୋଲ ପାଇ ମୁ ବହୁତ ଖୁସି ଅନୁଭବ କରୁଛି।”

ବୁଧବାର ଅମିତ ଶାହାଙ୍କ ରୂପରେ ମନୋଜ ଜୋଶୀଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି। କିଛି ଲୋକ ଜୋଶୀଙ୍କୁ ଶାହଙ୍କ ଚରିତ୍ରରେ ସମର୍ଥନ କରିଥିବା ବେଳେ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି। ଏହି ରୋଲ ପାଇଁ ଅଭିନେତା ସୌରଭ ଶୁକ୍ଳାଙ୍କୁ ଅନେକ ଲୋକ ସମର୍ଥନ କରୁଛନ୍ତି।

ଅଭିନେତା ମନୋଜ ଜୋଶୀଙ୍କ ଫିଲ୍ମ କ୍ୟାରିଅର ଦେଖିବାକୁ ଗଲେ, ସେ ବିଭିନ୍ନ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏହା ପୂର୍ବରୁ ତାଙ୍କୁ ଗୋଲ୍‌ମାଲ୍‌, ଭାଗମ୍‌ଭାଗ, ଦବଙ୍ଗ-୨, ଭୁଲଭୁଲେୟା ଓ ଗୁରୁ ଭଳି ହିଟ ଫିଲ୍ମରେ ଦେଖିବାକୁ ମିଳିଥିଲା।

‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର, ଯିଏକି ମେରିକମ୍‌, ଭୂମି, ସରବଜିତ ଭଳି ଫିଲ୍ମ ବନାଇଛନ୍ତି। ପୂର୍ବରୁ ଦର୍ଶକ ମୋଦି ଭୂମିକାରେ ବିବେକ ଓବରୟଙ୍କୁ ନାପସନ୍ଦ କରିଥିବା ବେଳେ ବର୍ତ୍ତମାନ ଅମିତ ଶାହଙ୍କ ପାଇଁ ମନୋଜ ଜୋଶୀଙ୍କୁ ପସନ୍ଦ କରି ନାହାନ୍ତି। ଏବେ ଦେଖିବାକୁ ବାକି ରହିଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ପରଦାରେ କେତେ କମାଲ ଦେଖାଉଛି।

Comment