ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ ଫେବ୍ରୁଆରି ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୪ ବୀର ଯବାନଙ୍କୁ ହରାଇ ସାରା ଭାରତ ଶୋକରେ ବୁଡ଼ିଛି। ସମଗ୍ର ଦେଶବାସୀଙ୍କ ଲୁହ ଛଳଛଳ ଆଖିରେ ଜାଗି ଉଠିଛି ପ୍ରତିଶୋଧର ନିଆଁ। ଏହି ବିସ୍ଫୋରଣକୁ ୨୦୧୯ର ସବୁଠୁ ବଡ଼ ଆକ୍ରମଣ କୁହାଯାଉଛି। ଏହା ପୂର୍ବରୁ ଉରି ଆକ୍ରମଣକୁ ଦେଶର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଥିଲା। ଯାହା ୨୦୧୬ ସେପ୍ଟେମ୍ବର ୧୮ରେ ହୋଇଥିଲା।

ଏହି ଘଟଣାରେ ୧୯ ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ୧୪ ଫେବ୍ରୁଆରିରେ ପୁଲୱାମାରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ କରିଥିବା ଏହି ଆକ୍ରମଣକୁ ଭାରତର ସବଠୁ ବଡ଼ ଆକ୍ରମଣ ବୋଲି କୁହାଯିବ। ତେବେ ଏଭଳି ଘଟଣା ଭାରତ ପାଇଁ ନୂଆ ନୁହେଁ। ଭାରତ ଏଭଳି ଅନେକଥର ଆକ୍ରମଣର ଶିକାର ହୋଇଛି। ତେବେ ଜାଣନ୍ତୁ କେବେ ଏଭଳି ଆତଙ୍କବାଦୀ ଆକ୍ରମଣରେ ଯବାନମାନେ ସହିଦ ହୋଇଥିଲେ।

୨୦୦୨ ମେ ୧୪- ଜମ୍ମୁ-କଶ୍ମୀରର କାଲୁଛକଠାରେ ୧୪ ମେ ୨୦୦୨ରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ତିନି ଜଣ ଆତଙ୍କବାଦୀ ହିମାଚଳ ପ୍ରଦେଶର ଏକ ପର୍ଯ୍ୟଟକ ବସ୍‌ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଲୋକ ନିହତ ହୋଇଥିଲେ। ଏହାପରେ ଆତଙ୍କବାଦୀମାନେ ସେନା କ୍ୱାର୍ଟର ଭିତରକୁ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ଯାହାଫଳରେ ୩୧ ଲୋକ ପ୍ରାଣ ହରାଇଥିଲେ। ଯେଉଁଥିରେ ୧୦ ଜଣ ଛୁଆ, ୮ ମହିଳା, ୫ ଜଣ ସେନାକର୍ମୀ ଥିଲେ।

୨୦୧୩ ଜୁନ୍‌ ୨୪- ଶ୍ରୀନଗରର ହାଇଦରପଡ଼ାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୮ ଜଣ ଯବାନ ସହିଦ ହୋଇଥିଲେ।

୨୦୧୪ ନଭେମ୍ବର ୨୭- ଜମ୍ମୁ-କଶ୍ମୀର କଠାର ଗ୍ରାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ହୋଇଥିବା ଆଖିବୁଜା ଗୁଳି ବିନିମୟରେ ୧୦ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୩ ଜଣ ଯବାନ ଥିଲେ।

୨୦୧୫ ମାର୍ଚ୍ଚ ୨୦- ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ଥିବା ଏକ ଥାନାରେ  ଆତଙ୍କବାଦୀ ଆକ୍ରମଣରେ ୭ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ତିନି ଜଣ ସୁରକ୍ଷାକର୍ମୀଙ୍କ ସମେତ ୮ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ।

୨୦୧୬ ଜାନୁଆରି ୨- ପଠାନ୍‌କୋର୍ଟସ୍ଥିତ ଭାରତୀୟ ବାୟୁସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ପାଲଟା ଆକ୍ରମଣରେ ୬ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।

୨୦୧୬ ଜୁନ୍‌ ୨୫- ଶ୍ରୀନଗର ପାମ୍ପୋରଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୮ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ  ୨୦ ଜଣ ଆହତ ହୋଇଥିଲେ।

୨୦୧୬ ସେପ୍ଟେମ୍ବର ୧୮- ଜମ୍ମୁ-କଶ୍ମୀରର ବାରାମୂଳା ଅଞ୍ଚଳ ଉରିଠାରେ ଥିବା ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦ ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ସେନାର ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

୨୦୧୭ ଡିସେମ୍ବର ୩୧- ଦକ୍ଷିଣ କାଶ୍ମୀରର ଲୋଥାପୋରାରେ ଜେଇଏମ୍‌ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୫ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ।

୨୦୧୮ ଫେବ୍ରୁଆରି ୭- ଶ୍ରୀନଗର ଲସ୍କର-ଇ-ତୋଇବା ପକ୍ଷରୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ପୋଲିସ ସହିଦ ହୋଇଥିଲେ।

ଏବେ ୧୪ ଫେବ୍ରୁଆରି ୨୦୧୯, ପୁଲୱାମା ଆକ୍ରମଣ ପରେ ପ୍ରତିଟି ଭାରତୀୟ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି। ସମ୍ପୂର୍ଣ୍ଣ ଭାରତ ଲଚହରେ ଛଳ ଛଳ ହୋଇଯାଇଛି। ଦେଶର ୪୪ ବୀରପୁତ୍ରଙ୍କ ଆତ୍ମ ବଳିଦାନ ବ୍ୟର୍ଥ ଯିବନି ବୋଲି ସାରାଦେଶରେ ନାରାବାଜି ଶୁଣାଇଛନ୍ତି। ସତରେ କେତେ ଭୟାନକ ହୋଇଥିବ ସେହି ଦୃଶ୍ୟ।

Comment