ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀର ରାଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ ଶୁକ୍ରବାର ଦିନ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣେ ଯବାନ ଚିକିତ୍ସାଧୀନ ରହିଛନ୍ତି।

ରାଜୌରୀ ଜିଲ୍ଲା କାଣ୍ଡି ଜଙ୍ଗଲରେ ଆଜି ସୀମା ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଆହତ ଯବାନ ଚିକିତ୍ସାଧୀନ ରହିଛନ୍ତି। ଯବାନଙ୍କ ଗୁଳିରେ କିଛି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରାଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ପଶିଥିବା ସୂଚନା ପାଇ ମେ’ ୩ ତାରିଖରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଶୁକ୍ରବାର ଦିନ ସକାଳ ପ୍ରାୟ ୭ଟା ୩୦ ବେଳକୁ ଜଙ୍ଗଲ ମଧ୍ୟରେ ରହିଥିବା ଏକ ଗୁମ୍ଫାରେ ଆତଙ୍କବାଦୀ ଲୁଚି ଥିବା ଜାଣିବାକୁ ପାଇଥିଲେ ଯବାନ।

ସେନା ଯବାନମାନେ ସେଠାରେ ପହଞ୍ଚି ଆତଙ୍କବାଦୀଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହା ପରେ ଆତଙ୍କବାଦୀଙ୍କ ଆକ୍ରମଣର ଜବାବ ଦେଇଥିଲେ ଭାରତୀୟ ଯବାନ। ଉଭୟ ପକ୍ଷଙ୍କ ଗୁଳିବିନିମୟ ସମୟରେ ଘଟଣାସ୍ଥଳରେ ୨ ଜଣ ଯବାନ ସହିଦ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ଯବାନଙ୍କର ଦେହାନ୍ତ ହୋଇଥିଲା।

ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିବା ସହ ରାଜୌରୀ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

Tags: #JammuKashmir #Rajouri #JawanMartyred #TerroristsAttack

Comment