ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୧୨ ବର୍ଷ। ଆଜି ବି ମନରୁ ଲିଭିନି ସେହି ଲୋମଟାଙ୍କୁରା ଦୃଶ୍ୟ।

୨୬ ନଭେମ୍ବର ୨୦୦୮ ମସିହା। ମୁମ୍ବାଇରେ ଆତଙ୍କର ଚିତ୍ର ଆଙ୍କିଥିଲେ ଆତଙ୍କବାଦୀ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପାଇଁ ଏହି ତାରିଖ ହୋଇଗଲା ଏକ କଳାଦିନ। ପୋଲିସ୍ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ହୋଇଥିଲେ ଆତଙ୍କବାଦୀଙ୍କ ଗୁଳିର ଶିକାର। ଆଜି ଏହି ଘଟଣାକୁ ୧୨ ବର୍ଷ ପୂରିଛି। କିନ୍ତୁ ଆଜି ବି ଦେଶବାସୀ ଏହି ଲୋମଟାଙ୍କୁରା ଘଟଣାକୁ ଭୁଲି ପାରିନାହାନ୍ତି।

ନଭେମ୍ବର ୨୬ ଆସିଲେ ସମସ୍ତଙ୍କ ଆଖିକୁ ଆସିଥାଏ ମୁମ୍ବାଇ ତାଜ୍ ହୋଟେଲର ସେହି ଅଭାବନୀୟ ଦୃଶ୍ୟ। ଯେଉଁଥିରେ ତାଜ ହୋଟେଲର ଗୋଟିଏ ପାର୍ଶ୍ୱ ଆତଙ୍କବାଦୀଙ୍କ କବଜାରେ ରହିଥିଲା। ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀମାନେ ଏହି ତାଜ୍ ହୋଟେଲକୁ ଟାର୍ଗେଟ୍ କରିଥିଲେ। ଆତଙ୍କବାଦୀଙ୍କ ଗୁଳିଚୋଟର ଶିକାର ହୋଇଥିଲେ ତାଜ ହୋଟେଲର ଅନେକ ଅତିଥି।

ଆତଙ୍କୀ ମୁକ୍ତ କରିବାକୁ ଲାଗିଥିଲା ୨ ଦିନ

୨୬ ନଭେମ୍ବର ରାତିରେ ହୋଟେଲ ତାଜକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ ଆତଙ୍କବାଦୀ। ବହୁ ଅତିଥିଙ୍କୁ ବନ୍ଧକ ରଖାଯାଇଥିଲା। ସେମାନଙ୍କ ଭିତରେ କେତେକ ବିଦେଶୀ ବି ଥିଲେ। ୨୭ ତାରିଖ ସକାଳୂ ତାଜ ହୋଟେଲକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ଏନ୍ଏସଜି କମାଣ୍ଡୋ ମଧ୍ୟ ଲାଗି ପଡ଼ିଥିଲେ। ଦୀର୍ଘ ଦୁଇ ଦିନର କଠିନ ପରିଶ୍ରମ ପରେ ତାଜ ହୋଟେଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା ପାଇଥିଲା।

ବିଭିନ୍ନ ସ୍ଥାନରେ ହୋଇଥିଲା ଆକ୍ରମଣ

କେବଳ ତାଜ ହୋଟେଲ ନୁହେଁ, ୨୬ ତାରିଖରେ ୧୦ଜଣ ଆତଙ୍କବାଦୀ ମୁମ୍ବାଇର ଏକାଧିକ ସ୍ଥାନରେ ଆକ୍ରମଣ ଜାରି ରଖିଥିଲେ। ଯେଉଁଥିରେ ମୋଟ ୧୬୨ଟି ନିରୀହ ଲୋକ ପ୍ରାଣ ହରାଇଥିଲେ।

ସେହିଦିନ ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ। ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହାତ ହୋଇଥିଲେ। ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍। ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ତାଜ ହୋଟେଲ, ଛତ୍ରପତି ଶିବାଜୀ ଷ୍ଟେସନ ସହ ହୋଟେଲ୍ ଓବରାୟ, ଲିୟୋପୋଲ୍ଡ କାଫେ, କାମା ହସ୍ପିଟାଲ୍ ଓ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାକୁ ଭାରତୀୟ ଇତିହାସରେ ଗୋଟିଏ କଳାଦିନ ଭାବେ ସ୍ମରଣ କରାଯାଏ।

ଜୀବନ୍ତ ଧରାପଡ଼ିଥିଲା କସାବ

୧୦ଜଣ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ମୁମ୍ବାଇରେ ନରସଂହାର କରିଥିଲେ। ୧୦ ଆତଙ୍କବାଦୀଙ୍କ ଭିତରୁ ମହମ୍ମଦ ଆଜମଲ ଅମୀର  କସାବ୍‌ଙ୍କୁ ଜୀବନ୍ତ ଗିରଫ କରାଯାଇଥିଲା। ଦୀର୍ଘ ଦିନ କସାବଙ୍କ ନାଁରେ ମାମଲା ଚାଲିବା ପରେ ୨୦୧୨ରେ କସାବଙ୍କୁ ଫାଶୀ ଦିଆଯାଇଥିଲା।

୧୧ ଯବାନ ହୋଇଥିଲେ ସହିଦ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅଭିଯାନରେ ମୁମ୍ବାଇ ପୋଲିସ, ଏଟିଏସ୍ ଏବଂ ଏନଏସଜିର ୧୧ ଜଣ ବ୍ୟକ୍ତି ଯବାନ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ  ଏଟିଏସ୍ ମୁଖ୍ୟ ହେମନ୍ତ କରକାରେ, ଏସିପି ଅଶୋକ କାମ୍ଟେ, ଏସିପି ସଦାନନ୍ଦ ତାରିଖ, ଏନଏସଜି କମାଣ୍ଡୋ ମେଜର ସନ୍ଦୀପ ଉନିକ୍ରିଷ୍ଣନ୍, ଏନକାଉଣ୍ଟର ବିଶେଷଜ୍ଞ ଏସଆଇ ବିଜୟ ସାଲାସ୍କର, ଇନ୍ସପେକ୍ଟର ସୁଶାନ୍ତ ସିନ୍ଦେ, ଏସଆଇ ପ୍ରକାଶ ମୋରେ, ଏସଆଇ ଡୁଡଗୁଡେ, ଏଏସଆଇ ନାନାସାହେବ ଭୋନସେଲ, ଏଏସଆଇ ତୁକରାମ ଓମ୍ବଲେ,  କନଷ୍ଟେବଳ  ବିଜୟ ଖାଣ୍ଡେକର, ଜୟଓ୍ୱନ୍ତ ପାଟିଲ, ଯୋଗେଶ ପାଟିଲ, ଅମ୍ବାଡୋସ ପାୱାର ଏବଂ ଏମସି ଚୌଧୁରୀ।

Comment