ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଭାରତୀୟ ସେନାର ୫ ଜଣ ଯବାନ। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦେବାଶିଷ ବିଶ୍ଵାଳ। ଦେବାଶିଷଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ। ଦେବାଶିଷ ସହିଦ ହେବା ଖବର ପହଞ୍ଚିବା ପରେ ସ୍ତବ୍ଧ ହୋଇଯାଇଛନ୍ତି ପରିବାର ଏବଂ ଗ୍ରାମବାସୀ। କାନ୍ଦବୋବାଳିରେ ଫାଟିପଡ଼ୁଛି ଦେବାଶିଷଙ୍କ ଗାଁ।

ଦେବାଶିଷ ୨ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୫ ମାସର ଝିଅଟିଏ ହୋଇଛି। ୨୦୨୧ ମସିହା ଅକ୍ଷୟ ତୃତୀୟ ଦିନ ତାଙ୍କର ବାହାଘର ହୋଇଥିଲା। ଆଉ ତିନି ଦିନ ଯାଇଥିଲେ ପାଳିଥାନ୍ତେ ଦ୍ଵିତୀୟ ବିବାହ ବାର୍ଷିକୀ। ସହିଦ ହେବାର ଦୁଇ ଦିନ ପୂର୍ବରୁ ସ୍ତ୍ରୀଙ୍କୁ କଥା ଦେଇଥିଲେ ଶୀଘ୍ର ଘରକୁ ଫେରିବେ ଏବଂ ବିବାହ ବାର୍ଷିକୀ ପାଳିବେ। କିନ୍ତୁ ସବୁକିଛି ଓଲଟ ପାଲଟି ହୋଇଗଲା। ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଗଲେ ଦେବାଶିଷ।

ଏପଟେ ଦେବାଶିଷଙ୍କ ବାପା କହିଛନ୍ତି, “ପୁଅ ଆସିଥିଲେ ଘର ତୋଳିଥାନ୍ତା। ଅନେକ ବଡ଼ ବଡ଼ ସ୍ଵପ୍ନ ତା’ର ରହିଥିଲା। କିନ୍ତୁ ସବୁ ଅଧାରେ ରହିଗଲା”

ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ବେଳେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ନେଇ ଏକ ଗାଡ଼ି ଭିମବେରଠାରୁ ପୁଞ୍ଚ ଜିଲ୍ଲାର ସାଙ୍ଗିଓଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଯାବାନମାନଙ୍କ ଗାଡ଼ି ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହା ପରେ ଗ୍ରେନେଡ ମାଡ଼ କରିଥିଲେ। ଗ୍ରେନେଡ ମାଡ଼ ଯୋଗୁଁ ଗାଡ଼ିଟି ଜଳିଯାଇଥିଲା।

ଏହି ଗାଡ଼ିରେ ରାସନ ସାମଗ୍ରୀ ସହ ଇନ୍ଧନ ଥିବାରୁ ଶୀଘ୍ର ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଫଳରେ ସହିଦ ହୋଇଥିଲେ ୫ ଜଣ ଯବାନ। ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ସହିଦ ଯବାନମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ।

ସହିଦ ଯବାନଙ୍କ ମଧ୍ୟରେ ରହିଛନ୍ତି ଦେବାଶିଷ ବିଶ୍ଵାଳ, ହବିଳଦାର ମନଦୀ ସିଂ, ସିପାହୀ ହରକିଷନ ସିଂ, ଲାନ୍ସ ନାୟକ କୁଲବନ୍ତ ସିଂହ ଏବଂ ସିପାହୀ ସେବସିଂ। ଦେବାଶିଷ ଓଡ଼ିଶାର ହୋଇଥିବାବେଳେ ଅନ୍ୟ ସମସ୍ତେ ପଞ୍ଜାବର।

Tags: #JammuKashmir #PoonchTerroristAttack #SoldierSahid #DebashisBiswal #PuriSatyabadi

LEAVE A REPLY

Please enter your comment!
Please enter your name here