ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ଗୁରୁବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ଦେବାଶିଷଙ୍କ ପାର୍ଥି ଶରୀର ଶନିବାର ଦିନ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୀର ସହିଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଦେବାଶିଷଙ୍କ ପାର୍ଥିବ ଶରୀର ନେବା ଲାଗି ବିମାନବନ୍ଦରଠାରେ ପହଞ୍ଚିଥିଲେ ସହିଦଙ୍କ ପୂରା ପରିବାର। ସହିଦ ପତିଙ୍କୁ ଶେଷ ଦର୍ଶନ କରିଥିଲେ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଂଗୀତା ବିଶ୍ଵାଳ। ବିମାନ ବନ୍ଦରଠାରେ ପହଞ୍ଚି ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ଵର ମେୟର ସୁଲୋଚନା ଦାସ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ତାଙ୍କ ଜନ୍ମମାଟି ପୁରୀ ସଦ୍ୟବାଦୀର ଖଣ୍ଡାୟତ ସାହିକୁ ନିଆଯାଇଛି। ଆଜି ଖଣ୍ଡାୟତ ଗାଁ ଶ୍ମଶାନରେ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

Tags: #TerroristAttack #SahidJawan #DebashishBiswal #PuriSatyabadi #MartyrSoldier

Comment