ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଙ୍ଗଳବାର ମାସେ ପୂରିଛି। ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ସାମରିକ ଓ ରାଜନୈତିକ ସମୀକରଣକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିଦେଇଛି। ଏବେ ପାଲେଷ୍ଟାଇନର ଗାଜାରେ ଇସ୍ରାଏଲର ଆକ୍ରମଣ ଆହୁରି ତୀବ୍ର ହେବାରେ ଲାଗିଛି।  

ଆରମ୍ଭରେ ହମାସ ପକ୍ଷରୁ ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ମୃତକଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି।    

ଗାଜାରେ ଇସ୍ରାଏଲର ବାୟୁସେନା ବୋମା ବର୍ଷଣ ଜାରି ରଖିଥିବାବେଳେ ସ୍ଥାନସେନା ମଧ୍ୟ ନିଜର ଅଭିଯାନକୁ ଜୋରଦାର କରିଛି। ରବିବାର ଇସ୍ରାଏଲର ସୈନିକମାନେ ଗାଜାକୁ ଘେରିବା ଆରମ୍ଭ କରିଥିଲେ। ଏବେ ଗାଜା ଷ୍ଟ୍ରିପ୍‌ ଦକ୍ଷିଣ ଗାଜା ଓ ଉତ୍ତର ଗାଜାରେ ପରିଣତ ହୋଇଯାଇଛି।     

ଇସ୍ରାଏଲୀୟ ସେନା ଜାରି କରିଥିବା ଏକ ଭିଡିଓରେ ଦେଶର ସୈନିକମାନେ ଉତ୍ତର ଗାଜାରେ ଘର ଘର ବୁଲି କମ୍ବିଂ ଅପରେସନ ଚଲାଉଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଗାଜାର ରାସ୍ତାରେ ଇସ୍ରାଏଲର ଶହ ଶହ ଟ୍ୟାଙ୍କ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।

ଗାଜାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ଵର ବିଭିନ୍ନ ଦେଶ ଉଦବେଗ ପ୍ରକାଶ କରୁଥିଲେ ମଧ୍ୟ ଇସ୍ରାଏଲ ଏହାକୁ ଅଣଦେଖା କରୁଛି। ହମାସ ପଣବନ୍ଦୀ କରିଥିବା ଲୋକମାନଙ୍କୁ ମୁକ୍ତ ନକରିବା ଯାଏଁ କୌଣସି ଯୁଦ୍ଧ ବିରତି ହେବ ନାହିଁ ବୋଲି ଇସ୍ରାଏଲ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ଏବେ ଗାଜା ଧ୍ୱଂସସ୍ତୂପରେ ପରିଣତ ହେବାରେ ଲାଗିଛି। ଅନେକ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଆବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଉଛି। ସେହିପରି କିଛି ହସ୍ପିଟାଲ ଉପରେ ମଧ୍ୟ ଇସ୍ରାଏଲ ବୋମାମାଡ଼ କରିଥିବା ଦେଖିବାକୁ ମିଳିଛି।

ଏହାସହ ଯୁଦ୍ଧ ଯୋଗୁଁ ଗାଜାରେ ଖାଦ୍ୟ, ପାନୀୟ ଜଳ, ଔଷଧ, ତୈଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଗଲାଣି। ଆଗକୁ ଏହି ଯୁଦ୍ଧ ଯଦି ବେଶି ଦିନ ଚାଲେ, ତେବେ ଗାଜା ଭୟଙ୍କର ମାନବୀୟ ସଙ୍କଟ ଦେଖାଦେବ ବୋଲି ଅନେକ ବିଶେଷଜ୍ଞମାନେ ମତ ଦେଇଛନ୍ତି।   

Tags: #Israel-HamasWar #Gaza #GroundOperation #Hamas #TerroristAttack #Israel 

Comment