ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ବୀର ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଗାଁ ଶ୍ମଶାନରେ ଶବ ସଂସ୍କାରର ସମସ୍ତ ବିଧିବିଧାନ ସମ୍ପନ୍ନ ହେବା ପରେ ସେନା ପକ୍ଷରୁ ବୀର ଯବାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ୨୧ ତୋପ ସଲାମୀ ଦିଆଯାଇଥିଲା। ଏହାପରେ ମର ଶରୀରରେ ଅଗ୍ନି ସଂଯୋଗ କରାଯାଇଥିଲା। ସହିଦ ଦେବାଶିଷଙ୍କ ସାନଭାଇ ଦେଇଥିଲେ ମୁଖାଗ୍ନୀ।

ସହିଦଙ୍କ ଶେଷ ଦର୍ଶନ ପାଇଁ ଖଣ୍ଡାୟତ ସାହିରେ ଦେଖିବାକୁ ମିଳିଥିଲା ହଜାର ହଜାର ଲୋକଙ୍କ ଭିଡ଼। ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥୀ, ରାଜନେତା ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ଏକାଠି ହୋଇଥିଲେ। ଜନସମୁଦ୍ର ପାଲଟି ଯାଇଥିଲା ସତ୍ୟବାଦୀ ବ୍ଲକର ଖଣ୍ଡାୟତ ସାହି। କାନ୍ଦବୋବାଳିରେ ପୂରା ଗାଁ ଫାଟି ପଡ଼ୁଥିବାବେଳେ ‘ଦେବାଶିଷ ଅମର ରହେ’ ଧ୍ଵନୀ ପ୍ରକମ୍ପିତ ହେଉଥିଲା ପରିବେଶ।

ବୀର ଯବାନ ଦେବାଶିଷଙ୍କ ପାର୍ଥି ଶରୀର ଶନିବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେଠାରୁ ବିରାଟ ଶୋଭାଯାତ୍ରାରେ ସହିଦଙ୍କ ଜନ୍ମମାଟି ଖଣ୍ଡାୟତ ସାହିକୁ ନିଆଯାଇଥିଲା ପାର୍ଥିବ ଶରୀର।

ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ବେଳେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ନେଇ ଏକ ଗାଡ଼ି ଭିମବେରଠାରୁ ପୁଞ୍ଚ ଜିଲ୍ଲାର ସାଙ୍ଗିଓଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଯାବାନମାନଙ୍କ ଗାଡ଼ି ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହା ପରେ ଗ୍ରେନେଡ ମାଡ଼ କରିଥିଲେ। ଗ୍ରେନେଡ ମାଡ଼ ଯୋଗୁଁ ଗାଡ଼ିଟି ଜଳିଯାଇଥିଲା। 

ଏହି ଗାଡ଼ିରେ ରାସନ ସାମଗ୍ରୀ ସହ ଇନ୍ଧନ ଥିବାରୁ ଶୀଘ୍ର ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଫଳରେ ସହିଦ ହୋଇଥିଲେ ୫ ଜଣ ଯବାନ। ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ସହିଦ ଯବାନମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ। ୫ ଜଣ ସହିଦ ଯବାନଙ୍କ ମଧ୍ୟରେ ରହିଥିଲେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିର ଦେବାଶିଷ ବିଶ୍ଵାଳ।

Tags: #JammuKashmir #PoonchTerroristAttack #SoldierSahid #DebashisBiswal #PuriSatyabadi #Cremation

LEAVE A REPLY

Please enter your comment!
Please enter your name here