ଓଡ଼ିଶାଲାଇଭ୍ ବ୍ୟୁରୋ

ଚିରନିଦ୍ରାରେ ଶୋଇବା ପୂର୍ବରୁ ନିଜ ଶେଷଇଚ୍ଛାକୁ ପତ୍ରରେ ଲେଖିଥିଲେ ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର।

ଦେହାନ୍ତ ପୂର୍ବରୁ ନିଜର ଶେଷଇଚ୍ଛା ପ୍ରକାଶ କରିଥିଲେ ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର। ଦେହାନ୍ତ ପୂର୍ବରୁ ନିଜ ମୃତ୍ୟୁକୁ ନିକଟବର୍ତ୍ତୀ ହେଉଥିବାର ହୁଏତ ଅନୁଭବ କରିସାରିଥିଲେ କବି ଜୟନ୍ତ ମହାପତ୍ର। ହୁଏତ ସେଥିପାଇଁ ନିଜର ଶେଷଇଚ୍ଛାକୁ ଦେହାନ୍ତର କିଛି ଦିନ ପୂର୍ବରୁ (ଜୁନ ୨୦) ତାରିଖ ପତ୍ର ମଧ୍ୟମରେ ଲେଖି ଜଣାଇଥିଲେ ଆପଣାର ଲୋକଙ୍କୁ।

ନିଜର ଦାହ ସଂସ୍କାର କାର୍ଯ୍ୟ କେମିତି କରାଯିବ, ପତ୍ରମାଧ୍ୟମରେ ନିଜ ଇଚ୍ଛାକୁ ଜଣାଇଥିଲେ କବି ଜୟନ୍ତ ମହାପାତ୍ର।

ସେ ଲେଖିଥିଲେ “ପୁତୁରା ଦେବ କୁମାର ଦାସ (ବୁବୁ) ମୋତେ ମୁଖାଗ୍ନୀ ଦେବେ। ଅନ୍ତିମ ସଂସ୍କାର ପୂର୍ବରୁ ମୋତେ ଗାଧୋଇ ଦେବ, ଧଳା ପଞ୍ଜାବୀ ଏବଂ ପାଇଜାମା ପିନ୍ଧାଇଦେବ। ମୋ ଘରର ଉପଯୁକ୍ତ ସ୍ଥାନରେ ମୋତେ ରଖିବ। ଅନ୍ତିମ ସଂସ୍କାରର ସମସ୍ତ ନିଷ୍ପତ୍ତି ବୁବୁ ନେବେ।”

ନିଜ ମରଶରୀରକୁ ଶୋଭାଯାତ୍ରାରେ ନେବା ଲାଗି ସେ ସଫାସଫା ଇଚ୍ଛାପତ୍ରରେ ବାରଣ କରିଥିଲେ। ପାର୍ଥିବ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଶ୍ମଶାନ ପର୍ଯ୍ୟନ୍ତ ନେଇଯିବାକୁ ତାଙ୍କର ଶେଷଇଚ୍ଛା ଥିଲା।

ସେ ଲେଖିଥିଲେ, “ମତେ କବର ଦେବା ପାଇଁ କଫିନ ତିଆରି କରାଯିବ ନାହିଁ। ଖାନନଗର ଶ୍ମଶାନରେ ମୋର ଦାହ ସଂସ୍କାର କରାଯିବ। ଅନ୍ତିମ ସଂସ୍କାର ପୂର୍ବରୁ ମୋ ପାଇଁ ୩ ମିନିଟ ନୀରବ ପ୍ରାର୍ଥନା କରାଯିବ। ଦୀପକ ସାମନ୍ତରାୟ ଖାନନଗର ଶ୍ମଶାନରେ ମୋ ଦାହସଂସ୍କାର ଦାୟିତ୍ଵ ବୁଝିବେ। ମୋ ମରଶରୀରକୁ ଶ୍ମଶାନକୁ ଆମ୍ବୁଲାନ୍ସରେ ନିଆଯିବ। ସେଠାରେ ବିଦ୍ୟୁତ୍ ଚୁଲାରେ ମୋର ଶେଷକୃତ୍ୟ ସମ୍ପନ୍ନ କରାଯିବ।”

“ମୋ ଅନ୍ତିମଯାତ୍ରାରେ ମୋର ଘନିଷ୍ଠ ବନ୍ଧୁ ଯୀଶୁ କ୍ରିଷ୍ଣ ଦାସ, ସୟନ୍ତନି ବେହୁରା ଏବଂ ଦୁର୍ଗାମଣି ବେହେରା ସାମିଲ ହେବେ ବୋଲି ମୋର ବିଶ୍ଵାସ। ସେମାନେ ଅନ୍ତିମ ସଂସ୍କାର କାର୍ଯ୍ୟରେ ମୋ ପୁତୁରା ବୁବୁକୁ ସହଯୋଗ କରିବେ ବୋଲି ମୋର ଆଶା”, ଇଚ୍ଛାପତ୍ରରେ ଲେଖିଛନ୍ତି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର।

“ଅନ୍ତିମ ସଂସ୍କାର ପରେ ମୋର ଅସ୍ଥିକୁ ବୁବୁ ସଂଗ୍ରହ କରିବା ପରେ ଦୁର୍ଗାମଣି ବେହେରାଙ୍କୁ ହସ୍ତାନ୍ତର କରିବେ। ସେ ମୋ ଅସ୍ଥିକୁ ଚନ୍ଦ୍ରଭାଗାରେ ବିସର୍ଜନ କରିବେ।”

ନିଜର ଇଚ୍ଛାକୁ ପତ୍ରରେ ଲେଖି ଏହାର ନକଲ ଦୀପକ ସାମନ୍ତରାୟଙ୍କୁ ଦେଇଥିଲେ ସ୍ଵର୍ଗତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର।

Tags: #DrJayantaMahapatra #LastWish #WishLetter #Poetry #Odisha #EminentPoet #Cremation#English&OdiaLiterature

Comment