ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ମରଶରୀର। ସୋମବାର ଦିନ କଟକ ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତୁରା ଦେବ କୁମାର ଦାଶ ଏବଂ ଦୀପକ ସାମନ୍ତରାଇ ମିଳିତ ଭାବେ ମୁଖାଗ୍ନୀ ଦେଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କାର କାର୍ଯ୍ୟ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କବି ଜୟନ୍ତ ମହାପାତ୍ରଙ୍କ ମରଶରୀରକୁ କଟକ ତିନିକୋଣିଆ ବଗିଚାସ୍ଥିତ ବାସଭବନ ‘ଚନ୍ଦ୍ରଭାଗା’ରୁ ଖାନନଗର ଶ୍ମଶାନକୁ ଆମ୍ବୁଲାନା୍ସ ଯୋଗେ ଅଣାଯାଇଥିଲା। ସେଠାରେ ଏକୋଇଶି ତୋପ ସଲାମୀ ଦିଆଯିବା ପରେ ଦାହ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଅଶ୍ରୁଳ ପରିବେଶ ମଧ୍ୟରେ ସ୍ଵର୍ଗତ ଜୟନ୍ତ ମହାପାତ୍ରଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, କଟକ ମେୟର ସୁବାସ ସିଂ, ବିଶିଷ୍ଟ ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଆତ୍ମୀୟ ସ୍ଵଜନ କବି ଜୟନ୍ତ ମହାପାତ୍ରଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ।

ତାଙ୍କ ବିୟୋଗରେ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ପତ୍ନୀ ଏବଂ ପୁଅଙ୍କ ବିୟୋଗ ପରେ ଚନ୍ଦ୍ରଭାଗାଠାରେ ନିଃସଙ୍ଗ ଜୀବନ ବିତାଉଥିବା ଡକ୍ଟର ଜୟନ୍ତ ମହାପାତ୍ର ଚନ୍ଦ୍ରଭାଗାର ମୋହ ଛଡ଼ି କଟକର ଖାନନଗରକୁ ଆପଣେଇ ନେଇଥିଲେ।

କବି ଜୟନ୍ତ ମହାପାତ୍ର ରବିବାର ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ନିମୋନିଆରେ ପୀଡ଼ିତ ହୋଇ ସେ ଗତ ଅଗଷ୍ଟ ୪ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ସାହିତ୍ୟର ସ୍ଵନାମଧନ୍ୟ କବି ଜୟନ୍ତ ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକର ଷ୍ଟିୱାର୍ଟ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ବିହାରର ପାଟନା ବିଶ୍ଵବିଦ୍ୟାଳୟରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। ସେ ୧୯୪୯ ମସିହାରୁ ଓଡ଼ିଶାର ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜ, ଭୁବନେଶ୍ଵରସ୍ଥିତ ବିଜେବି କଲେଜ ଓ କଟକର ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ।

ବୃତ୍ତିରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ହୋଇଥିବାବେଳେ ନିଶା ଥିଲା ତାଙ୍କର ସାରସ୍ଵତ ସାଧନା। ସେ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, କ୍ଷୁଦ୍ରଗଳ୍ପ ଲେଖିବା ସହ ଅନେକ ପୁସ୍ତକର ଅନୁବାଦ ଏବଂ ସମ୍ପାଦନା କରିଥିଲେ। କବି ଜୟନ୍ତ ମହାପାତ୍ର ୨୦ରୁ ଅଧିକ ଇଂରାଜୀ ଓ ୭ଟି ଓଡ଼ିଆ କବିତା ସଂକଳନ ରଚନା କରିଥିଲେ। ‘ଇଣ୍ଡିଆନ ସମର୍‌’, ‘ହଙ୍ଗର’, ‘ରିଲେସନସିପ୍‌’ ଭଳି ଇଂରାଜୀ କବିତା ପାଇଁ ଆନ୍ତର୍ଜାତିକ ସ୍ତରରେ ସେ ବହୁତ ଖ୍ୟାତି ସାଉଣ୍ଟିଥିଲେ।

ଇଂରାଜୀ କବିତା ‘ରିଲେସନସିପ୍‌’ ପାଇଁ କବି ଜୟନ୍ତ ମହାପାତ୍ରଙ୍କୁ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଇଂରାଜୀ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ପ୍ରଥମ କବି ଥିଲେ। ଏହାପରେ ତାଙ୍କୁ ୨୦୦୯ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନ ମିଳିଥିଲା।

ସେହିପରି ଓଡ଼ିଆ ସାହିତ୍ୟରେ ‘ପାହିନି ରାତି’, ‘ପ୍ରତୀକ୍ଷା’, ‘ସମ୍ପର୍କ’, ‘ବଳୀ’, ‘କହିବି ଗୋଟିଏ କଥା’ ଏବଂ ଟିକିଏ ଛାଇ ଭଳି ଉତ୍କୃଷ୍ଟ କବିତା ରଚନା ପାଇଁ ସେ ଅନେକ ସମ୍ମାନ ପାଇଛନ୍ତି। ଜୟନ୍ତ ମହାପାତ୍ରଙ୍କୁ ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ଗଙ୍ଗାଧର ମେହେର ଜାତୀୟ ସମ୍ମାନ ଭଳି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି।

Tags: #DrJayantaMahapatra #EminentPoet #Cremation#English&OdiaLiterature #Poetry #Odisha

Comment