ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହାର ଆୟୋଜନ ହୋଇଥିଲା। ଏଥିରେ କବି ଆଶୁତୋଷ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ କବି, ଲେଖକ ତଥା ସାହିତ୍ୟିକମାନେ ସାମିଲ ହୋଇଥିଲେ। ଏଠାରେ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ସାହିତ୍ୟ ଜୀବନ ବିଷୟରେ ବିଭିନ୍ନ ଅଲୋଚନା କରାଯାଇଥିଲା।

“କବି ପ୍ରସନ୍ନ ମିଶ୍ରଙ୍କ କବିତାଗୁଡ଼ିକରେ ଆମ ସମାଜର ଛବି ଖୁବ ସୁନ୍ଦର ଭାବେ ପ୍ରତିଫଳିତ ହୋଇଥାଏ। କେବଳ କବିତା ନୁହେଁ ତାଙ୍କର ଗଳ୍ପ ଓ ଉପନ୍ୟାସରେ ମଧ୍ୟ ସେହି ମର୍ମ ଦେଖିବାକୁ ମିଳିଥାଏ। ତାଙ୍କ ସାହିତ୍ୟ ସାଧନା ସବୁବେଳେ ପାଠକଙ୍କ ପ୍ରାଣରେ ଉଜ୍ଜୀବିତ ହୋଇ ରହିଥିବ”, କହିଛନ୍ତି କବି ଆଶୁତୋଷ ପରିଡ଼ା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦିକା ସ୍ନେହାପ୍ରଭା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ିପାଣିର ଦାନ୍ତ’ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସେ କହିଥିଲେ, “‘ବଢ଼ିପାଣିର ଦାନ୍ତ’ ଉପନ୍ୟାସଟି ୫୦ ଦଶକରେ ଲେଖାଯାଇଥିଲା। ଏଥିରେ ଓଡ଼ିଶାର ବନ୍ୟା ବିଧ୍ଵସ୍ତ ଗାଁର ଚିତ୍ର ଅତ୍ୟନ୍ତ ଜୀବନ୍ତ ଭାବେ ପ୍ରତିବିମ୍ବିତ ହୋଇଛି। ଏହାକୁ ଇଂରାଜୀରେ ଅନୁବାଦ କରିବା ସମୟରେ ମୁଁ କବିଙ୍କ ଭାବ ସହିତ ମୋର ଭାବର ସାମଞ୍ଜସ୍ୟ ଅନୁଭବ କରିଛି।”

ସେହିପରି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡକ୍ଟର ଭରତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ କବିତା ଓ ଉପନ୍ୟାସର ବିଭିନ୍ନ ଦିଗ ଉପରେ ଅଲୋଚନା କରିଥିଲେ। ଏହାସହ କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ରଙ୍କ ଏକାଧିକ କବିତା ପାଠ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କବି ଶକ୍ତି ମହାନ୍ତି, ପିନକୀ ସିଂହ, ଅସିତ ମହାନ୍ତି, ସରୋଜିନୀ ସାହୁ, ସ୍ଵପ୍ନା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #DrPrasannaKumarMishra #EminentPoet #FalgunaAsara #LiteraryProgram

Comment