ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁରର ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଛି। ବିଞ୍ଝାରପୁରର ବରୁଣେଶ୍ଵର ପୀଠରେ ହୋଇଥିବା ଏହି ସମାରୋହରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ ‘ରବୀନ୍ଦ୍ର ପାଢ଼ୀ କବିତା ସମ୍ମାନ’ରେ ସମ୍ମାନିତ କରାଯାଇଛି। ତାଙ୍କୁ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ଓ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଆଦିକନ୍ଦ ସାହୁ ପୁରସ୍କାର ପ୍ରଦାନ କରିଥିଲେ।   

କୃଷ୍ଣ କୁମାର ମହାନ୍ତିଙ୍କୁ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ଏହାସହ ସମାରୋହରେ ରାଜ୍ୟର ଅନ୍ୟ କବି ଓ ଲେଖକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

“କବିଟିଏ ମଣିଷ ସହିତ ମଣିଷକୁ ଯୋଡ଼ି ପାରେ। ହଜି ଯାଉଥିବା ମାନବିକ ସମ୍ବେଦନା ଓ ଭଲପାଇବାକୁ ଜଣେ କବି ହିଁ ତା କବିତା ମାଧ୍ୟମରେ ଫେରାଇ ଆଣିପାରେ। ନିଜର କବିତା ପାଇଁ ଅଖିଳଚକ୍ର ପରି ୫୪ ବର୍ଷର ଏକ ପୁରୁଣା ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହେବା ମୋ ପାଇଁ ଗୌରବର କଥା”, କହିଛନ୍ତି କୃଷ୍ଣ କୁମାର ମହାନ୍ତି।

କୃଷ୍ଣ କୁମାର ମହାନ୍ତି ବାଲେଶ୍ଵର ସମେତ ସମଗ୍ର ଓଡ଼ିଶାର ଜଣେ ଜଣାଶୁଣା କବି ଭାବରେ ପରିଚିତ। ସେ ଏକାଧାରରେ ଜଣେ କଥାକାର, କବି, ସମ୍ପାଦକ ଏବଂ ଫିଚର୍ ଲେଖକ। ବର୍ତ୍ତମାନ ସେ ବାଲେଶ୍ଵରରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ‘ରେବତୀ’ର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଆୟୋଜିତ ହୋଇଥାଏ। ଏଥିରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ କବି ଓ ଲେଖକମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏହାସହ ସମାରୋହରେ କବିତା ପାଠୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ।

Tags: #KrushnaKumarMohanty #AkhilChakra #LiteraryProgram #Jajpur

Comment