ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ନିକଟରେ ସୋମବାର ରାତିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୪୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି ସୋମବାର ପୁରୀରୁ ପଶ୍ଚିମବଙ୍ଗର ହଳଦିଆକୁ ଯାଉଥିଲା। ଏଥିରେ ପ୍ରାୟ ୫୫ ଜଣ ଯାତ୍ରୀ ଥିଲେ। ତେବେ ବସଟି ବାରବାଟୀ ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ଫ୍ଲାଏଓଭର ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରଥମେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଥିବାବେଳେ ୧୪ ଜଣ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୭ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଆହତଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର ରହିଛନ୍ତି।

ଅନ୍ୟପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏଥିସହ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି।

ତେବେ ବସ୍ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ପୋଲିସ ପକ୍ଷରୁ ଉକ୍ତ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରାଯାଇଛି।

Tags: #BusAccident #Barabati #RoadAccident #Jajpur #Odisha

Comment