ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। ୯୫ ବର୍ଷ ବୟସରେ କଟକର ଏସସିବି ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ନିମୋନିଆରେ ଆକ୍ରାନ୍ତ ହୋଇ ଏସସିବିର ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଜୟନ୍ତ ମହାପାତ୍ରଙ୍କ ପରଲୋକରେ ରାଜ୍ୟ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।

କବି ଜୟନ୍ତ ମହାପାତ୍ର ନିମୋନିଆରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିବାରୁ ଗତ ଅଗଷ୍ଟ ୪ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ଦେହ ଆହୁରି ବିଗିଡ଼ିବାରେ ଲାଗିଥିଲା।

ଜୟନ୍ତ ମହାପାତ୍ରଙ୍କ ମୃତ୍ୟୁରେ ଅନେକ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରବିବାର ରାତିରେ ଜୟନ୍ତ ମହାପାତ୍ରଙ୍କ ପାର୍ଥିବ ଶରୀରକୁ କଟକ ତିନିକୋଣିଆ ବଗିଚା ସ୍ଥିତ ତାଙ୍କର ବାସଭବନକୁ ଅଣାଯାଇଥିଲା। ସେଠାରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୋମବାର ଦିନ କଟକର ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ଵର୍ଗତ କବିଙ୍କ ଶେଷ ଇଚ୍ଛା ଅନୁସାରେ ବିଦ୍ୟୁତ ଚୁଲାରେ ମୃତ ଦେହ ସତ୍କାର ହେବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ସାହିତ୍ୟର ସ୍ଵନାମଧନ୍ୟ କବି ଜୟନ୍ତ ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକର ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ଏହାପରେ ବିହାରର ପାଟନା ବିଶ୍ଵବିଦ୍ୟାଳୟରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। ସେ ୧୯୪୯ ମସିହାରୁ ଓଡ଼ିଶାର ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜ, ଭୁବନେଶ୍ଵରସ୍ଥିତ ବିଜେବି କଲେଜ ଓ କଟକର ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ।

ବୃତ୍ତିରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ହୋଇଥିବାବେଳେ ପ୍ରବୃତ୍ତି କିନ୍ତୁ ଥିଲା ତାଙ୍କର ସାରସ୍ଵତ ସାଧନା। ସେ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, କ୍ଷୁଦ୍ରଗଳ୍ପ ଲେଖିବା ସହ ଅନେକ ପୁସ୍ତକର ଅନୁବାଦ ଏବଂ ସମ୍ପାଦନା କରିଥିଲେ। କବି ଜୟନ୍ତ ମହାପାତ୍ର ୨୦ରୁ ଅଧିକ ଇଂରାଜୀ ଓ ୭ଟି ଓଡ଼ିଆ କବିତା ସଂକଳନ ରଚନା କରିଥିଲେ। ‘ଇଣ୍ଡିଆନ ସମର୍‌’, ‘ହଙ୍ଗର’, ‘ରିଲେସନସିପ୍‌’ ଭଳି ଇଂରାଜୀ କବିତା ପାଇଁ ଆନ୍ତର୍ଜାତିକ ସ୍ତରରେ ସେ ବହୁତ ଖ୍ୟାତି ସାଉଁଟିଥିଲେ।

ଇଂରାଜୀ କବିତା ‘ରିଲେସନସିପ୍‌’ ପାଇଁ କବି ଜୟନ୍ତ ମହାପାତ୍ରଙ୍କୁ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଇଂରାଜୀ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ପ୍ରଥମ କବି ଥିଲେ। ଏହାପରେ ତାଙ୍କୁ ୨୦୦୯ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନ ମିଳିଥିଲା।

ସେହିପରି ଓଡ଼ିଆ ସାହିତ୍ୟରେ ‘ପାହିନି ରାତି’, ‘ପ୍ରତୀକ୍ଷା’, ‘ସମ୍ପର୍କ’, ‘ବଳୀ’, ‘କହିବି ଗୋଟିଏ କଥା’ ଏବଂ ଟିକିଏ ଛାଇ ଭଳି ଉତ୍କୃଷ୍ଟ କବିତା ରଚନା ପାଇଁ ସେ ଅନେକ ସମ୍ମାନ ଲାଭ କରିଥିଲେ। ଜୟନ୍ତ ମହାପାତ୍ରଙ୍କୁ ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ଗଙ୍ଗାଧର ମେହେର ଜାତୀୟ ସମ୍ମାନ ଭଳି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି।

Tags: #Dr.JayantaMahapatra #EminentPoet #English&OdiaLiterature #Poetry #Odisha

Comment