ଆଶୁତୋଷ ପ୍ରସାଦ ପଟ୍ଟନାୟକ

ସମଗ୍ର ଦକ୍ଷିଣପୂର୍ବ ଏସିଆର ଇତିହାସ ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ, ଭାରତୀୟ ଐତିହାସିକମାନଙ୍କ ନିକଟରେ ପ୍ରାୟ ଅଜ୍ଞାତ ରହିଥିଲା। ବିଂଶ ଶତାବ୍ଦୀର ପ୍ରଥମ ଭାଗରେ, ଡଚ୍ ଓ ଫରାସୀ ଐତିହାସିକମାନଙ୍କ ସାହାଯ୍ୟରେ, କେତେକ ଭାରତୀୟ ଐତିହାସିକ ଏ କ୍ଷେତ୍ରରେ ପ୍ରବେଶ ଲାଭ କରିଥିଲେ ଓ କ୍ରମେ କ୍ରମେ ଏହି ଅଞ୍ଚଳରେ ରହିଥିବା ଭାରତୀୟ ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଆଲୋଚନା ଆରମ୍ଭ ହେଲା। ଏ ପର୍ଯ୍ୟନ୍ତ, ଏ କ୍ଷେତ୍ରରେ ହୋଇଥିବା ଅଗ୍ରଗତି, ମୂଳତଃ ଚୀନ୍ ଦେଶର ଇତିହାସ, ସେ ଦେଶର ପରିବ୍ରାଜକମାନଙ୍କ ପ୍ରଦତ୍ତ ବିବରଣୀ ଓ କେତେକ ଆରବୀୟ ବଣିକ ତଥା ୟୁରୋପୀୟ ନାବିକମାନଙ୍କ ଲିଖିତ ବୃତ୍ତାନ୍ତ ଉପରେ ପ୍ରତିଷ୍ଠିତ। ଏ କ୍ଷେତ୍ରରେ ଆହୁରି ଅଧିକ ଐତିହାସିକ ପର୍ଯ୍ୟାଲୋଚନାର ଆବଶ୍ୟକତା ରହିଥିବା ସ୍ଥଳେ, ଯେତିକି ସାବ୍ୟସ୍ତ ହୋଇପାରିଛି, ସେଥିରୁ ଜଣାଯାଏ ଯେ ଭାରତର ପୂର୍ବ ଉପକୂଳ ତଥା ଦକ୍ଷିଣାଞ୍ଚଳର ବିଭିନ୍ନ ପ୍ରାଚୀନରାଜ୍ୟ, ଦକ୍ଷିଣପୂର୍ବ ଏସିଆରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ବିକାଶରେ ସହାୟକ ହୋଇଥିଲା। ଏହି ରାଜ୍ୟମାନଙ୍କ ମଧ୍ୟରେ ‘କଳିଙ୍ଗ’ର ଯେ ଏକ ବିଶେଷ ଭୂମିକା ରହିଥିଲା, ତାହା ଅଦ୍ୟାବଧି ମିଳୁଥିବା ଐତିହାସିକ ଉପାଦାନ ମାନଙ୍କରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ।

ପ୍ରାଗୈତିହାସିକ ଯୁଗରୁ ଭାରତ ଓ ଦକ୍ଷିଣପୂର୍ବ ଏସିଆ ମଧ୍ୟରେ ନୌ-ସମ୍ପର୍କ ଓ ସାଂସ୍କୃତିକ ଆଦାନ ପ୍ରଦାନ ଆରମ୍ଭ ହୋଇଥିବା କଥାରେ ଐତିହାସିକମାନେ ପ୍ରାୟ ଏକମତ ହେଉଥିଲେ ହେଁ, ବହୁସଂଖ୍ୟକ ଭାରତୀୟ ଏହି ଅଞ୍ଚଳରେ ଯାଇ, ବିଭିନ୍ନ ସମୟରେ, ବସବାସ କରିବାର ପ୍ରାୟ ତିନୋଟି କାରଣ ଦର୍ଶାଇଥାନ୍ତି। କେତେକ ଐତିହାସିକଙ୍କ ମତରେ ଦ୍ରାବିଡ଼ ଓ ଆର୍ଯ୍ୟମାନେ କାଳକ୍ରମେ ଉତ୍ତର-ପଶ୍ଚିମ ଦିଗରୁ ଭାରତରେ ପ୍ରବେଶ କରିବାରୁ, ସେମାନଙ୍କ ଚାପରେ ମୂଳଭାରତୀୟ ଅଧିବାସୀମାନଙ୍କ ମଧ୍ୟରୁ କେତେକ ଯାଇ ଦକ୍ଷିଣପୂର୍ବ ଏସିଆରେ ଅଶ୍ରୟ ନେଲେ। ଆଉ କେତେକଙ୍କ ମନରେ, ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଅଶୋକଙ୍କ କଳିଙ୍ଗ ଆକ୍ରମଣ କାଳରେ ଓ ଏହାପରେ, ସମୁଦ୍ରଗୁପ୍ତଙ୍କର ସାମରିକ ଅଭିଯାନ ସମୟରେ, ବହୁସଂଖ୍ୟକ ଭାରତୀୟ ପଳାଇଯାଇ, ଏହି ଦକ୍ଷିଣପୂର୍ବ ଏସିଆରେ ଆଶ୍ରୟ ନେଇଥିଲେ। ଅବଶ୍ୟ କଳିଙ୍ଗଯୁଦ୍ଧ ଶେଷରେ ଅନୁତାପଗ୍ରସ୍ତ ଅଶୋକଙ୍କ ନିଜ ଭାଷାରେ, “ଏକଲକ୍ଷ ଲୋକ ଯୁଦ୍ଧରେ ନିହତ ହେଲେ, ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦୀ କରି ଦୂରକୁ ପଠାଇ ଦିଆଗଲା ଓ ଏହାଠାରୁ ଅଧିକ ଲୋକ ଯୁଦ୍ଧ ଯୋଗୁଁ ଅନାହାର ଓ ରୋଗ, ବ୍ୟାଧିରେ ମୃତ୍ୟୁର ଶିକାର ହେଲେ।” ତତ୍କାଳୀନ କଳିଙ୍ଗ ରାଜ୍ୟର ତିନି ପାଖ ମହାପରାକ୍ରମୀ ଅଶୋକଙ୍କର ଶାସନାଧୀନ ରହିଥିବାରୁ, ସମୁଦ୍ର ଯାତ୍ରାରେ ନିପୁଣ କେତେକ ତରୁଣ କଳିଙ୍ଗ ଅଧିବାସୀ (ବନ୍ଦୀ ହୋଇ ମଗଧ ଯିବା ପରିବର୍ତ୍ତେ) ସମୁଦ୍ର ପଥରେ, ସୁଦୂର ଦ୍ୱୀପଗୁଡ଼ିକୁ ଚାଲିଯାଇଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ଅଶୋକଙ୍କର ଏହି ଆକ୍ରମଣର ଫଳ ଯାହା ହେଉନା କାହିଁକି, କଳିଙ୍ଗର ତତ୍କାଳୀନ ନୌବାଣିଜ୍ୟ, ଉନ୍ନତ ପୋତାଶ୍ରୟ ଓ ମଗଧ ତୁଳନାରେ ଅଧିକ ସମୃଦ୍ଧି, ନିଶ୍ଚିତ ଭାବରେ ଆକ୍ରମଣର କାରଣ ହୋଇଥିଲା। କଳିଙ୍ଗର ଉପକୂଳ ଦନ୍ତୁରିତ ହେବା ସଙ୍ଗେ ସଙ୍ଗେ, ଏଥିରେ ଅନେକଗୁଡ଼ିଏ ନଦୀ ପ୍ରବାହିତ ହେଉଥିବାରୁ, ସମଗ୍ର ରାଜ୍ୟରେ ନୌଚାଳନା ସୁବିଧାଜନକ ହେଉଥିଲା। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଅଜ୍ଞାତ ଗ୍ରୀକ୍‌ନାବିକଙ୍କ ରଚିତ ‘ପେରିପ୍ଲସ’ (Periplus) ଓ ଦ୍ୱିତୀୟ ଶତାବ୍ଦୀରେ ଆଲେକ୍‌ଜାଣ୍ଡ୍ରିଆର ପ୍ରସିଦ୍ଧ ଭୌଗୋଳିକ ଟଲେମି (Ptolemy) ରଚନା କରିଥିବା ବିବରଣୀରୁ ଜଣାପଡ଼େ ଯେ, ଭାରତର ପୂର୍ବ ଉପକୂଳରେ ଥିବା ଅନେକଗୁଡ଼ିଏ ବନ୍ଦର ମଧ୍ୟରୁ ୮, ୯ଟି କଳିଙ୍ଗର ଉପକୂଳରେ ଅବସ୍ଥିତ ଥିଲା। ସେଗୁଡ଼ିକ ହେଲା- କୋଦ୍ଦୋଉର (Koddoura), ପଲୋଉର (Paloura),  ନନିଗଇନା (Nanigaina), କଟିକର୍ଦ୍ଦମ (Katikardama), କାନ୍ନାଗର (Kannagara), କୋଟ୍ଟବାର (Kottobara), ସିପ୍ପରା (Sippara), ମୀନାଗର (Minagara), କୋକଲ (Kokala) ଓ କୋସାମ୍ବା (Kosamba)। ପାଲିସାହିତ୍ୟ ଓ ବହୁଗ୍ରନ୍ଥରେ ସ୍ଥାନ ପାଇଥିବା ‘ତାମ୍ରଲିପ୍ତି’, ସମ୍ରାଟ ଅଶୋକଙ୍କ ସମୟରେ, ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏକ ପ୍ରଧାନ ବନ୍ଦର ରୂପେ ବିବେଚିତ ଥିଲା ଓ ପ୍ରାୟ ଖ୍ରୀ.ଅ. ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥିଲା। ସପ୍ତମ ଶତାବ୍ଦୀରେ ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ତାଙ୍କ ଭାରତ ଭ୍ରମଣ କାଳରେ ‘ଓଡ୍ର’ ଦେଶରେ ଦେଖିଥିବା ‘ଚେଲିଟାଲୋଚିଙ୍ଗ୍’ (che-li-telo-ching) ନାମକ ଉନ୍ନତ ବନ୍ଦରର ଉଲ୍ଲେଖ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗ ଉପକୂଳରେ ଥିବା ବନ୍ଦରମାନଙ୍କ ମଧ୍ୟରେ “ପଲୌର’ ପ୍ରଧାନ ଥିଲା ଓ ଏହାର ଏକ ବିଶାଳ ପୋତାଶ୍ରୟ ରହିଥିଲା।

ଏହି ପଲୌର ଓ ତାମ୍ରଲିପ୍ତି ବନ୍ଦରରୁ ଦକ୍ଷିଣ-ପୂର୍ବ ଏସିଆ ଅଭିମୁଖେ ସମୁଦ୍ର ଯାତ୍ରା କରିବା ସମ୍ଭବ ହେଉଥିଲା। ଆଜି ଓଡ଼ିଶାର ଉପକୂଳରେ, ଚିଲିକା ହ୍ରଦ ନିକଟରେ ଥିବା ‘ପାଲୁରଗଡ଼’କୁ ଟଲେମି ନିର୍ଦ୍ଦେଶିତ ‘ପଲୌର’ ବୋଲି ଗ୍ରହଣ କରାଯାଉଛି ଓ ସେତେବେଳେ ଏହି ବନ୍ଦରକୁ କେନ୍ଦ୍ର କରି ଭୌଗୋଳିକ ଟଲେମି ପୂର୍ବାଞ୍ଚଳର ମାନଚିତ୍ର ଅଙ୍କନ କରିଥିଲେ। ଚିଲିକା ହ୍ରଦର କୂଳରେ ‘ପାଲୁରମୁଖ’ (Palur-mouth) ନାମକ ଏକ ସ୍ଥାନ ଅଛି। ବର୍ତ୍ତମାନ ତାହା ପଟୁମାଟି ଓ ବାଲିରେ ପୋତି ହୋଇପଡ଼ିଛି। ଏହି ସ୍ଥାନରେ ପାଲୁର ବନ୍ଦରର ସମୁଦ୍ରକୁ ବାଟ ଥିଲା ଓ ସେହି ନାଳ ବା ପଥ ଦେଇ ଶହ ଶହ ଜାହାଜ, ବନ୍ଦର ଓ ପୋତାଶ୍ରୟ ଭିତରକୁ ଯାତାୟାତ କରୁଥିଲା। ପାଲୁର ପରି ‘ନନିଗଇନା’ ବନ୍ଦର ମଧ୍ୟ ଚିଲିକା ଭିତରେ ‘ନିମିନା-ଗଇନାଡ଼ା’ ଗ୍ରାମ ନିକଟରେ ଥିଲା। ଏଠାରେ ବହୁ ପୁଷ୍କରିଣୀ, ପ୍ରାଚୀନ ମନ୍ଦିର ଓ ‘ଶୁଳ୍‌କ-ଦେବୀ’ (ଯେଉଁ ବେଦୀରେ ଦ୍ରବ୍ୟ ଓଜନ କରି କରଧାର୍ଯ୍ୟ କରାଯାଏ) ଏବେ ବି ରହିଛି। ବୋଧହୁଏ ଷଷ୍ଠ, ସପ୍ତମ ଶତାବ୍ଦୀ ବେଳକୁ ସେଇ ଚିଲିକା କୂଳରେ ‘ଛତ୍ରଗଡ଼’ ନାମକ ଏକ ପ୍ରଧାନ ବନ୍ଦର ସୃଷ୍ଟି ହୋଇଥିଲା, ଯାହାକି ହୁଏନ୍‌ସାଂଙ୍କ ଚୀନ ଭାଷାରେ ‘ଟେଲିଟାଲୋଚିଙ୍ଗ୍’ ହୋଇଯାଇଛି। ଏହିସବୁ ବନ୍ଦର ଚିଲିକା ହ୍ରଦର ସୁବିଧା ଯୋଗୁଁ ସୃଷ୍ଟି ହୋଇପାରିଥିଲା। ଏହାଛଡ଼ା, ବଡ଼ ବଡ଼ ନଦୀର ମୁହାଣମାନଙ୍କରେ ମଧ୍ୟ ବନ୍ଦର ରହିଥିଲା। ବଂଶଧାରା ନଦୀର ମୁହାଣ ଅଞ୍ଚଳରେ ଥିବା ‘କଳିଙ୍ଗ-ପତନ’ଠାରେ ଏକ ପ୍ରାଚୀନ ବନ୍ଦର ଓ ପୋତାଶ୍ରୟ ରହିଥିଲା। ଏହା ନିକଟରେ ଥିବା ବୌଦ୍ଧପୀଠ ‘ଶାଳୀହୁଣ୍ଡମ’ର ଧ୍ବଂସାବଶେଷକୁ ଲକ୍ଷ୍ୟକଲେ, ଅତୀତରେ ତାହା ବହୁ ବୈଦେଶିକଙ୍କର ତୀର୍ଥ ହୋଇଥିବାର ବିଶ୍ୱାସ ମନକୁ ଆସିଥାଏ। ବୋଧହୁଏ, ଏହି ଅଞ୍ଚଳରେ ଗଙ୍ଗବଂଶର ରାଜତ୍ୱ କାଳରେ, ଏହା ରାଜଧାନୀ କଳିଙ୍ଗନଗରର (ମୁଖଲିଂଗମ) ନିକଟବର୍ତ୍ତୀ ହୋଇଥିବାରୁ, ଏହାର ପ୍ରାଧାନ୍ୟ ବଢ଼ିଯାଇଥିଲା। ସେ ଯାହା ହେଉ, ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ କିମ୍ବା ତାହା ପୂର୍ବରୁ ନୌଯାତ୍ରା କରି କଳିଙ୍ଗର ବଣିକ ଓ ନାବିକମାନେ ସୁଦୂର ବ୍ରହ୍ମଦେଶ, ଶ୍ୟାମ, ମାଳୟ ଓ ଇଣ୍ଡୋନେସିଆ ଅଞ୍ଚଳ ସହିତ ଯୋଗାଯୋଗ ପ୍ରତିଷ୍ଠା କରିବାରେ, ସମଗ୍ର ପୂର୍ବ ଉପକୂଳରେ ଅଗ୍ରଣୀ ହୋଇପାରିଥିଲେ।

ଏହିସବୁ ଅଞ୍ଚଳର ଅଧିବାସୀମାନଙ୍କ ମଧ୍ୟରେ ପ୍ରଚଳିତ କେତେକ କିମ୍ବଦନ୍ତୀ ଓ ଲୋକକଥାରେ, କଳିଙ୍ଗର ଲୋକେ ସେଠାରେ ପ୍ରଥମେ ପହଞ୍ଚୁଥିବାର ପ୍ରମାଣ ମିଳେ। ଚୀନ୍‌ ଦେଶର ଐତିହାସିକମାନେ ମଧ୍ୟ ଏହି ଅଞ୍ଚଳରେ ପହଞ୍ଚିଥିବା ପ୍ରଥମ ଭାରତୀୟମାନଙ୍କୁ ‘କୁନ୍‌-ଲୁନ୍‌’ ଆଖ୍ୟା ଦେଇଛନ୍ତି। ଚୀନ୍‌ ଦେଶର ତତ୍‌କାଳୀନ ଐତିହାସିକ ବିବରଣୀରେ, ବହୁସ୍ଥଳରେ, ‘କୁନ୍‌-ଲୁନ୍’ ଲେଖା’ (Kun-lun-Writing), ‘କୁନ୍‌-ଲୁନ୍ ଭାଷା’ (Kun-lun-Language) ଓ ‘କୁନ୍‌-ଲୁନ୍’ ବଣିକମାନଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ଅର୍ଥାତ୍‌ ଏହିସବୁ ଅଞ୍ଚଳର ଭାଷା, ଲେଖା (Script), ଧର୍ମ ଓ ଆଚାରବ୍ୟବହାର ଇତ୍ୟାଦି ବହୁ ପରିମାଣରେ ଏହି ‘କୁନ୍‌ଲୁନ୍‌’ ବଣିକମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା। ଏହି ‘କୁନ୍‌ଲୁନ୍‌’ଶବ୍ଦ କଳିଙ୍ଗର ଅଧିବାସୀମାନଙ୍କୁ ପରିଷ୍କାର ବୁଝାଉଥିଲେ ମଧ୍ୟ, ୟୁରୋପୀୟ ଐତିହାସିକମାନେ କାହିଁକି ଯେ ଏହାକୁ “ସମସ୍ତ ଭାରତୀୟ ଓ ଭାରତୀୟ ସଂସ୍କୃତିର ପ୍ରତିଶବ୍ଦ” ରୂପେ ଗ୍ରହଣ କରିଛନ୍ତି, ତାହା ସହଜରେ ବୁଝିହୁଏ ନାହିଁ। ଐତିହାସିକ ସିଲ୍‌ଭେନ୍‌ ଲେଭି (Sylvain Levi) ଏହାର ଅର୍ଥ ‘ଦ୍ୱୀପାନ୍ତର’ କରିଛନ୍ତି ଓ ନିକୋଲାସ୍‌ ଜେ. କ୍ରୋମ୍ (Nicholas J. krom) ଏହାକୁ ମାଳୟ ଅଞ୍ଚଳର ଅଧିବାସୀ ବୋଲି କହିଛନ୍ତି। ଅବଶ୍ୟ ଏକଥା ସତ ଯେ ଇଣ୍ଡୋନେସିଆ ଓ ମାଳୟର ଅଧିକାଂଶ ଅଞ୍ଚଳରେ ବିଦେଶୀ ଭାରତୀୟମାନଙ୍କୁ ‘କ୍ଲିଙ୍ଗ’ (କଳିଙ୍ଗର ଅଧିବାସୀ) କୁହାଯାଇଥିବାର ଅନେକ ପ୍ରମାଣ ଅଛି; ଏପରିକି ଏହି ଅଞ୍ଚଳର ହିନ୍ଦୁମାନଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ‘କ୍ଲିଙ୍ଗ’ ସମ୍ବୋଧନ କରାଯାଇଥାଏ। କଳିଙ୍ଗର ଅଧିବାସୀ ଏହି ଅଞ୍ଚଳରେ ପ୍ରଥମେ ପଦାର୍ପଣ କରିଥିବାରୁ ଓ ପରେ ଆସିଥିବା ଅନ୍ୟାନ୍ୟ ଭାରତୀୟ ନାବିକମାନଙ୍କର ସେମାନଙ୍କ ସହିତ ସାମଞ୍ଜସ୍ୟ ଥିବାରୁ, ଦକ୍ଷିଣ-ପୂର୍ବ ଏସିଆର ମୂଳ ଅଧିବାସୀମାନେ ଭାରତୀୟମାନଙ୍କୁ ‘କ୍ଲିଙ୍ଗ’ କହିବାର ଯଥାର୍ଥତା ରହିଛି। କିନ୍ତୁ ଚିନ୍‌ଦେଶର ଐତିହାସିକମାନେ ଯାହାକୁ ‘କୁନ୍‌ଲୁନ୍‌’ କହିଛନ୍ତି, ସେମାନେ ନିଶ୍ଚିତ ଭାବରେ କଳିଙ୍ଗର ଲୋକ। ଦକ୍ଷିଣ-ପୂର୍ବ ଏସିଆର ଇତିହାସ ଓ ସଂସ୍କୃତି ବ୍ୟାପାରରେ ଦୀର୍ଘକାଳ ଧରି ଆଲୋଚନା କରି ଆସିଥିବା ପ୍ରସିଦ୍ଧ ଫରାସୀ ଐତିହାସିକ ଜି. ସିଡେସ୍ (G. Coedes)ଙ୍କ ମତରେ ସମଗ୍ର ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଅଞ୍ଚଳର ଭାଷା ଓ ଲିପି ଗୋଟିଏ ଭାରତୀୟ ମୂଳଭାଷା ଦ୍ୱାରା ପ୍ରଭାବିତ। ଏହି ମୂଳଭାଷାଟି ‘କୁନ୍‌ଲୁନ୍‌ ଭାଷା’। ତତ୍‌କାଳୀନ କଳିଙ୍ଗର ଭାଷଶ ଓ ଲିପି କ’ଣ ଥିଲା ଆଜି ନିର୍ଦ୍ଧାରଣ କରିବା ସହଜ ନୁହେଁ। କିନ୍ତୁ ଏଇ କେତେବର୍ଷ ତଳେ, ଦକ୍ଷିଣ-ପୂର୍ବ ଏସିଆ ଇତିହାସର ଜଣେ ଅଗ୍ରଗାମୀ ଭାରତୀୟ ଗବେଷକ, ଡକ୍ଟର ହିମାଂଶୁ ଭୂଷଣ ସରକାର, ପ୍ରାଚୀନ ଚୀନ ଇତିହାସରୁ ଦୃଷ୍ଟାନ୍ତ ଦେଖାଇ, ଅତି ଦୃଢ଼ତାର ସହ ପ୍ରମାଣ କରିଛନ୍ତି ଯେ, ‘କୁନ୍‌ଲୁନ୍‌’ମାନେ ପ୍ରାଚୀନ କଳିଙ୍ଗର ଲୋକ; ଅନ୍ୟ କେହି ନୁହଁନ୍ତି, (H.B. Sarkar, “Cultural Relations Between India and Southeast Asian Countries”, New Delhi, 1985, P-172-79))। ତେଣୁ ଏହି ଦ୍ୱନ୍ଦ୍ୱର ଅନେକଟା ଅନ୍ତ ହୋଇଯାଇଛି। ଏହା ସତ୍ତ୍ୱେ, ଏହି ଅଞ୍ଚଳର ଦେଶମାନଙ୍କରେ କଳିଙ୍ଗର ଦୀର୍ଘ ଅତୀତର ସାଂସ୍କୃତିକ ପ୍ରଭାବ ଓ ଉପନିବେଶମାନଙ୍କ ସମ୍ପର୍କରେ ଯେଉଁ ନିର୍ବିବାଦ ପ୍ରମାଣମାନ ଆଜି ମିଳୁଛି, ସେଥିରୁ ଆମେ କେତୋଟି ଆଲୋଚନା କଲେ, ଏହି ଅଞ୍ଚଳରେ ଯେ ଦିନେ କଳିଙ୍ଗର ଅଧିବାସୀମାନଙ୍କର ପ୍ରାଧାନ୍ୟ ରହିଥିଲା, ତାହା ନିଃସନ୍ଦେହରେ ଗ୍ରହଣୀୟ ହେବ।

(ଆଶୁତୋଷ ପ୍ରସାଦ ପଟ୍ଟନାୟକ (୧୯୩୩-୨୦୧୭) ଜଣେ ପରିଚିତ ଓଡ଼ିଆ ଲେଖକ, କବି, ସଂସ୍କୃତି ଗବେଷକ ଏବଂ ଐତିହାସିକ। ପ୍ରାଚୀନ କଳିଙ୍ଗ ଏବଂ ଆଧୁନିକ ଓଡ଼ିଶାର ସାଂସ୍କୃତିକ ଇତିହାସ ବିଷୟରେ ଗବେଷଣା ଓ ରଚନା ଲାଗି ସେ ସ୍ମରଣୀୟ ରହିବେ। ଦକ୍ଷିଣପୂର୍ବ ଏସିଆ ସହିତ କଳିଙ୍ଗର ନୌବାଣିଜ୍ୟ ଓ  ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ତାଙ୍କର ପୁସ୍ତକ “The Early voyasers of tast” ଏକ ଉଲ୍ଲେଖନୀୟ  ସୃଷ୍ଟି। ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଲେଖକଙ୍କର ଗବେଷଣା ଓ ରଚନାତ୍ମକ କାମ ସ୍ମରଣୀୟ -ସଂପାଦକ, ଓଡ଼ିଶାଲାଇଭ୍)

(ସୌଜନ୍ୟ: ନିର୍ବାଚିତ ରଚନା)

LEAVE A REPLY

Please enter your comment!
Please enter your name here