ଆଶୁତୋଷ ପ୍ରସାଦ ପଟ୍ଟନାୟକ

ବ୍ରହ୍ମଦେଶ ବା ଆଜିର ମିଆଁମାର ସହ ଦିନେ କଳିଙ୍ଗର ଥିଲା ସାଂସ୍କୃତିକ ଓ ବାଣିଜ୍ୟିକ ଘନିଷ୍ଠତା।

ଆଲେକ୍‌ଜାଣ୍ଡ୍ରିଆର ଗ୍ରୀକ୍‌ ଭୌଗୋଳିକ ଟଲେମିଙ୍କ (Ptolemy) ରଚନା ସମ୍ପର୍କରେ ଆଲୋଚନା କରି ଐତିହାସିକ ଜେରିନି (G.E. Gerini) ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ, ଅଶୋକଙ୍କ କଳିଙ୍ଗ ଆକ୍ରମଣର ବହୁପୂର୍ବରୁ କଳିଙ୍ଗବାସୀ ଲୋକେ ବ୍ରହ୍ମଦେଶର ବିଭିନ୍ନ ଅଞ୍ଚଳରେ ଉପନିବେଶମାନ ସ୍ଥାପନ କରିସାରିଥିଲେ। ଏହି ଐତିହାସିକଙ୍କ ଲେଖା ଅନୁଯାୟୀ, ବ୍ରହ୍ମଦେଶର ପେଗୁ ଉପକୂଳ ‘କଳିଙ୍ଗ’ ଓ ଏହାର ଉତ୍ତର ପଶ୍ଚିମାଞ୍ଚଳ ‘ଉତ୍କଳ’ ନାମରେ ବହୁକାଳରୁ ପରିଚିତ ଥିଲା। ଏହି ବ୍ୟାପାରରେ ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଚୀନ୍ ଦେଶର ଇତିହାସ, ବୌଦ୍ଧଜାତକ ଓ ଅନ୍ୟାନ୍ୟ ଐତିହାସିକମାନଙ୍କ ବିବରଣୀରୁ ମିଳିଥାଏ। ବ୍ରହ୍ମଦେଶର କେତେକ ପରମ୍ପରା ଅନୁସରଣ କରି  ଅଧ୍ୟାପକ ସ୍କଟ (Scott) ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଖ୍ରୀ.ପୂ. ୫୪୩ରେ ‘ତେଲାଙ୍ଗ’ ବା ‘ତୈଲଙ୍ଗ’ମାନେ ବ୍ରହ୍ମଦେଶର ଦକ୍ଷିଣ ଅଞ୍ଚଳରେ ‘ଥାଟନ’ ରାଜ୍ୟ ସ୍ଥାପନ କରିଥିଲେ। ସ୍କଟ୍‌ଙ୍କର ଏହି ସିଦ୍ଧାନ୍ତ ଐତିହାସିକମାନେ ଗ୍ରହଣ ନ କଲେ ମଧ୍ୟ ଏହା ଅସମ୍ଭବ ମନେହୁଏ ନାହିଁ। ଲେଫନାଣ୍ଟ କର୍ଣ୍ଣେଲ୍‌ ଫିରେ (A.P. Phyre) ମଧ୍ୟ ଏପରି ଲୋକକଥାମାନ ସଂଗ୍ରହ କରି, ବ୍ରହ୍ମଦେଶରେ ଅତି ପ୍ରାଚୀନ କାଳରୁ କଳିଙ୍ଗର ଉପନିବେଶ ଥିବା ଉପରେ ଗୁରୁତ୍ୱ ଦେଇଛନ୍ତି। ‘ତେଲାଙ୍ଗ’ମାନେ ଯେ କଳିଙ୍ଗର ଦକ୍ଷିଣାଞ୍ଚଳର ଅଧିବାସୀ, ଏଥିରେ ସନ୍ଦେହର ଅବକାଶ ନାହିଁ।

ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀବେଳକୁ, ଏହି ଥାଟନ୍ ରାଜ୍ୟ ଭାରତ ତଥା ରୋମ ସାମ୍ରାଜ୍ୟର ପୂର୍ବାଞ୍ଚଳରେ ଥିବା ରାଜ୍ୟଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କ ରକ୍ଷା କରିପାରିଥିଲା। ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ, ଚୀନ୍‌ ପରିବ୍ରାଜକ ‘କାଙ୍ଗ-ତାଇ’ (Kang-tai) ଥାଟନ୍ ଅଞ୍ଚଳର ସମସ୍ତ ଅଧିବାସୀଙ୍କୁ ବୁଦ୍ଧଙ୍କର ଉପାସକ ବୋଲି ବର୍ଣ୍ଣନା କରିଛନ୍ତି। ଏହି ତେଲାଙ୍ଗମାନେ ଖ୍ରୀଷ୍ଟୀୟ ପଞ୍ଚମ ଓ ଷଷ୍ଠ ଶତାବ୍ଦୀ ଆଡ଼କୁ ବ୍ରହ୍ମଦେଶରେ ବିଶେଷ ପ୍ରଭାବଶାଳୀ ହୋଇପାରିଥିଲେ। ଏମାନଙ୍କୁ ମନ୍‌ବଂଶୀୟ ଲୋକ କହିବା ସଙ୍ଗେ ସଙ୍ଗେ, ବ୍ରହ୍ମଦେଶର ଏକ ସଭ୍ୟ, ଉନ୍ନତ ଜାତି  ରୂପେ ଗଣନା କରାଯାଏ। ଫରାସୀ ଐତିହାସିକ ସିଡେସ୍ (Coedes) ଏହି ଅଧିବାସୀଙ୍କୁ ‘ଓଡ଼ିଶାର ଲୋକ’ କହିବା ସଙ୍ଗେ ସଙ୍ଗେ ଏକଦା ସେମାନେ ବର୍ତ୍ତମାନର ‘ଥାଟନ୍’ ସ୍ଥାନରେ, ‘ସୁଧମ୍ମାବତୀ’ ନାମକ ଏକ ପ୍ରଧାନ ଉପନିବେଶ ପ୍ରତିଷ୍ଠା କରିଥିବା ସୂଚାଇଛନ୍ତି। ଖ୍ରୀ.ଅ. ୫୭୩ରେ ଏହି ମନ୍‌ମାନେ ‘ରମଣ୍ୟଦେଶ’ ନାମକ ରାଜ୍ୟ ସ୍ଥାପନ କରିଥିଲେ ଓ ଏହାର ରାଜଧାନୀର ନାମ ‘ହଂସବତୀ’ (ବର୍ତ୍ତମାନର ପେଗୁ) ରହିଥିଲା। ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀରେ ‘ପାଗାନ’ର ରାଜା ଅନୋରଥ (Anoratha) (ଖ୍ରୀ.ଅ. ୧୦୪୪-୭୭) ‘ସୁଧମ୍ମାବତୀ’ ବା ‘ଥାଟନ’ ଆକ୍ରମଣ କରି, ନିଜ ରାଜ୍ୟରେ ମିଶାଇଥିଲେ। ସେଠାରୁ ବନ୍ଦୀ କରି ଆଣିଥିବା ରାଜା, ରାଣୀ, ଧର୍ମାଧ୍ୟକ୍ଷ ଓ ପାରିଷଦମାନଙ୍କୁ ନିଜ ରାଜ୍ୟରେ ସମ୍ମାନଜନକ ସ୍ଥାନ ଦେଇ, ସେମାନଙ୍କ ଦ୍ୱାରା ତତ୍କାଳୀନ ବର୍ମାରେ “ଥେରବାଦ’ ବୌଦ୍ଧଧର୍ମ, ଉଚ୍ଚକୋଟୀର କଳା, ସ୍ଥାପତ୍ୟ ଓ ଉନ୍ନତ ସଭ୍ୟତା ବିସ୍ତାର କରିଥିଲେ।

ତେଲାଙ୍ଗମାନଙ୍କର (ମନ୍‌) ‘ରମଣ୍ୟଦେଶ’ର ଉତ୍ତର ପଶ୍ଚିମକୁ ‘ପ୍ୟୁ’ ଜାତିର ଲୋକଙ୍କର ରାଜ୍ୟଥିଲା। ଚୀନାମାନେ ସେମାନଙ୍କୁ ‘ପିଆଓ’ (Piao) କହିଥିବାରୁ, ପରବର୍ତ୍ତୀ କାଳରେ ସେମାନେ ‘ପ୍ୟୁ’ ନାମରେ ପରିଚିତ ହେଲେ। ଚୀନ୍‌ ପରିବ୍ରାଜକ  ହୁଏନ୍‌-ସାଂ (Hiuen-Tsang) ଓ ଇ-ସିଙ୍ଗ(I-tsing) ‘ପ୍ୟୁ’ ମାନଙ୍କର ରାଜ୍ୟକୁ ‘ସେ-ଲି-ଚା-ଟା-ଲୋ’ ବା ‘ଶ୍ରୀକ୍ଷେତ୍ର’ (ବର୍ତ୍ତମାନର ପ୍ରୋମ) ବୋଲି କହିଛନ୍ତି। ‘ଶ୍ରୀକ୍ଷେତ୍ର’ ପ୍ରକୃତରେ ‘ପ୍ୟୁ’ମାନଙ୍କର ଏକ ବଡ଼ ରାଜ୍ୟର ରାଜଧାନୀ ଥିଲା ଓ ତାହା ବର୍ତ୍ତମାନର ‘ପ୍ରୋମ’ (Prome) ସହିତ ଚିହ୍ନିତ ହୋଇଛି। ଏହି ‘ପ୍ରୋମ’ ନାମ ମଧ୍ୟ ‘ପୁର’ (ପୁର ବା ପୁରୀ) ଶବ୍ଦରୁ ସୃଷ୍ଟି ହୋଇଥିବା ଜଣାପଡ଼େ। ‘ପ୍ୟୁ’ମାନଙ୍କୁ ଐତିହାସିକମାନେ ‘ଟିବଟୋ ବର୍ମାନ’ (Tibeto-Burman), ଅର୍ଥାତ୍ ମୂଳ ତିବ୍‌ବତ, ବର୍ମାର ଅଧିବାସୀ କହିଲେ ମଧ୍ୟ, ସେମାନଙ୍କ ଉପରେ ଭାରତୀୟ ସଭ୍ୟତାର ପ୍ରଭାବ, ବିଶେଷତଃ କଳିଙ୍ଗର ଶ୍ରୀକ୍ଷେତ୍ର (ପୁରୀ) ଅଞ୍ଚଳର ଲୋକଙ୍କ ଦ୍ବାରା ପଡ଼ିଥିବା ପ୍ରଭାବକୁ ଅସ୍ବୀକାର କରନ୍ତି ନାହିଁ। ଏହି ‘ପ୍ୟୁ’ମାନେ ପ୍ରଥମେ ନିଜକୁ ‘ତିର୍‌ଚୁଲ୍‌’ (Tirchul) କହୁଥିଲେ। କିନ୍ତୁ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ବେଳକୁ ଚୀନ୍ ଦେଶର ଅଧିବାସୀ ସେମାନଙ୍କୁ ‘ପିଆଓ’ ବା ‘ପ୍ୟୁ’ କହିଛନ୍ତି। ଅର୍ଥାତ୍‌ ଏହି ‘ତିର୍‌ଚୁଲ୍‌’ମାନେ ବୋଧହୁଏ ‘ପୁର’ ବା ‘ପୁରୀ’ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସି, କ୍ରମେ କ୍ରମେ ସୁସଭ୍ୟ ହେବା ସହିତ, ନିଜ ଜାତିର ପରିଚୟକୁ ବଦଳାଇ ଦେଇଛନ୍ତି। ତେଣୁ ଅତି ପ୍ରାଚୀନ କାଳରୁ, ବୋଧହୁଏ ପ୍ରଥମ ଶତାବ୍ଦୀ ପୂର୍ବରୁ, ଏହି ପ୍ରଭାବ ସେମାନଙ୍କ ଉପରେ ପଡ଼ିଛି।

ବ୍ରହ୍ମଦେଶ (ମିଆନ୍‌ମାର୍)ର ବିଭିନ୍ନ ଅଞ୍ଚଳ ସହ କଳିଙ୍ଗ ଓ ଓଡ୍ରଦେଶର ଐତିହାସିକ ସମ୍ପର୍କକୁ ଗୁରୁତ୍ବ ଦେବା ପାଇଁ ପ୍ରସିଦ୍ଧ ଫରାସୀ ଐତିହାସିକ ‘ସିଡେସ୍’ (Coedes) ନିମ୍ନୋକ୍ତ ଉକ୍ତି ପ୍ରକାଶ କରିଛନ୍ତି – “… the use of the term ussa (Odra, i,e., Orissa) for Pegu and Srikshetra (i.e., Puri) as an old name for Prome in Burma Certainly indicates a relationship between these states and Orissa.”

‘ପ୍ୟୁ’ମାନଙ୍କ ରାଜ୍ୟରେ ଥେରବାଦ ବୌଦ୍ଧଧର୍ମ ପ୍ରଚଳିତ ଥିଲା ଓ ସେଠାକାର ଶିକ୍ଷାଳୟମାନଙ୍କରେ ପାଲିଭାଷାର ଶିକ୍ଷା ଦିଆଯାଉଥିଲା। ୧୮୯୭ ଖ୍ରୀ.ଅ.ରେ ‘ପ୍ରୋମ୍’ ନିକଟସ୍ଥ ଗ୍ରାମରୁ ଯେଉଁ ଅଭିଲେଖ ବାହାରିଛି ସେହି ଧରଣର ଲିପି, ସେ କାଳର କଳିଙ୍ଗର ‘ମାଠର’ ଓ ‘ପୂର୍ବ-ଗଙ୍ଗ’ ବଂଶ ଶାସିତ ଅଞ୍ଚଳରେ ପ୍ରଚଳିତ ଥିବା ଜଣାପଡ଼େ। ବୌଦ୍ଧଧର୍ମ ସହିତ ଶୈବ ଓ ବୈଷ୍ଣବଧର୍ମ ମଧ୍ୟ ବ୍ରହ୍ମଦେଶର ‘ଶ୍ରୀକ୍ଷେତ୍ର’ ଓ ତେଲାଙ୍ଗ’ ଶାସିତ ଅଞ୍ଚଳରେ ପ୍ରଚଳିତ ଥିଲା। ‘ପାଗାନ୍’ଠାରେ ବିଷ୍ଣୁଙ୍କର ଯେଉଁ ମନ୍ଦିର ଆବିଷ୍କୃତ ହୋଇଛି, ତାହାର ଗାତ୍ରରେ ଦଶଅବତାର ଚିତ୍ର ଖୋଦନ କରାଯାଇଥିବାର ପ୍ରମାଣ ମିଳେ। ବର୍ମୀୟମାନେ କ୍ରମେ ‘ପ୍ୟୁ’ ମାନଙ୍କର ରାଜ୍ୟଜୟ କରି, ସେମାନଙ୍କୁ ନିଜ ସହିତ ମିଶାଇ ଦେଇଥିଲେ। ୧୦୫୭ ଖ୍ରୀ.ଅ.ରେ ବର୍ମୀୟ ଲୋକେ ତେଲାଙ୍ଗମାନଙ୍କର ରାଜ୍ୟ ଅଧିକାର କରିବାରୁ, ‘ମନ୍’ମାନେ ବହୁସଂଖ୍ୟାରେ ପଳାଇଯାଇ, ‘ଶ୍ୟାମ’ ରାଜ୍ୟରେ ଆଶ୍ରୟ ନେଇଥିଲେ। ଆଜି ବର୍ମୀୟମାନଙ୍କ ସଂସ୍କୃତିରେ ଏହି ‘ମନ୍‌’ ଓ ‘ପ୍ୟୁ’ମାନଙ୍କ ସଭ୍ୟତାର ବହୁ ପ୍ରଭାବ ପରିଲକ୍ଷିତ ହୋଇଥାଏ।

(ଆଶୁତୋଷ ପ୍ରସାଦ ପଟ୍ଟନାୟକ (୧୯୩୩-୨୦୧୭) ଜଣେ ପରିଚିତ ଓଡ଼ିଆ ଲେଖକ, କବି, ସଂସ୍କୃତି ଗବେଷକ ଏବଂ ଐତିହାସିକ। ପ୍ରାଚୀନ କଳିଙ୍ଗ ଏବଂ ଆଧୁନିକ ଓଡ଼ିଶାର ସାଂସ୍କୃତିକ ଇତିହାସ ବିଷୟରେ ଗବେଷଣା ଓ ରଚନା ଲାଗି ସେ ସ୍ମରଣୀୟ ରହିବେ। ଦକ୍ଷିଣପୂର୍ବ ଏସିଆ ସହିତ କଳିଙ୍ଗର ନୌବାଣିଜ୍ୟ ଓ  ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ତାଙ୍କର ପୁସ୍ତକ “The Early voyasers of tast” ଏକ ଉଲ୍ଲେଖନୀୟ  ସୃଷ୍ଟି। ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଲେଖକଙ୍କର ଗବେଷଣା ଓ ରଚନାତ୍ମକ କାମ ସ୍ମରଣୀୟ -ସଂପାଦକ, ଓଡ଼ିଶାଲାଇଭ୍)

(ସୌଜନ୍ୟ: ନିର୍ବାଚିତ ରଚନା)

Comment