ଆଶୁତୋଷ ପ୍ରସାଦ ପଟ୍ଟନାୟକ

କଳିଙ୍ଗ ଓ କାମ୍ବୋଡ଼ିଆ (କାମ୍ବୁଜ) ମଧ୍ୟରେ ଥିବା ସମ୍ପର୍କ ବିଷୟରେ କୌଣସି ଲିଖିତ ଇତିହାସ ନଥିଲେ ସୁଦ୍ଧା, ପ୍ରଥମ ଶତାବ୍ଦୀରେ ଗଠିତ ହୋଇଥିବା ‘ଫୁନାନ୍’ ସାମ୍ରାଜ୍ୟ, ଯାହାଠାରୁ ଷଷ୍ଠଶତାବ୍ଦୀରେ ବିଚ୍ଛିନ୍ନ କାମ୍ବୁଜ ଏକ ରାଜ୍ୟ ହେଲା, ତାହାର ଗଠନରେ ଯେଉଁ ଦୁଇ ଜଣ କୌଣ୍ଡିନ୍ୟ ଗୋତ୍ରୀୟ ବିଶେଷ ଅଂଶଗ୍ରହଣ କରିଥିଲେ, ସେମାନେ କଳିଙ୍ଗର ଲୋକ ହୋଇଥିବା ସମ୍ଭାବନା ସବୁଠାରୁ ଅଧିକ। ଚୀନ୍‌ ପରିବ୍ରାଜକ ‘କାଙ୍ଗଟାଇ’ (Kangtai)ଙ୍କ ବିବରଣୀରୁ ଜଣାଯାଏ – କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ସେହି ଅଞ୍ଚଳର ଗୋଟିଏ ଉଲଗ୍ନ କନ୍ୟାକୁ ବିବାହ କରିବା ଦ୍ୱାରା ‘ଫୁନାନ୍’ ରାଜବଂଶର ଉତ୍ପତ୍ତି ହୋଇଥିଲା। ପରବର୍ତ୍ତୀ କାଳରେ ଚମ୍ପାରାଜ୍ୟରୁ ମିଳିଥିବା ସଂସ୍କୃତ ଅଭିଲେଖରୁ ଜଣାଯାଏ – ‘କୌଣ୍ଡିନ୍ୟ’ ନାମକ ବ୍ରାହ୍ମଣ, ନାଗମାନଙ୍କର ରାଜାଙ୍କ କନ୍ୟା ‘ସୋମା’ଙ୍କୁ ବିବାହ କରିବା ଦ୍ୱାରା ଏହି ରାଜବଂଶର ସୃଷ୍ଟି ହେଲା। ଏହି କୌଣ୍ଡିନ୍ୟ, ଭାରତର କେଉଁ ଅଞ୍ଚଳର ଲୋକଥିଲା, ସେ ସମ୍ପର୍କରେ ଐତିହାସିକମାନେ କୌଣସି ସ୍ଥିର ସିଦ୍ଧାନ୍ତରେ ବହୁକାଳ ଧରି ପହଞ୍ଚି ପାରିନଥିଲେ। ଶେଷରେ ଗବେଷକ ଡକ୍ଟର ହିମାଂଶୁ ଭୂଷଣ ସରକାର ପ୍ରମାଣ କରିଛନ୍ତି ଯେ ଏହି କୌଣ୍ଡିନ୍ୟ ବ୍ରାହ୍ମଣ ‘ଆନ୍ଧ୍ର-କଳିଙ୍ଗ ଉପକୂଳ’ରୁ ଯାଇଥିବା ସମ୍ଭାବନା ଅଧିକ। କାରଣ, କଳିଙ୍ଗ ଉପକୂଳ ଅଞ୍ଚଳରେ ଏବେ ମଧ୍ୟ ବହୁସଂଖ୍ୟାରେ କୌଣ୍ଡିନ୍ୟ ଗୋତ୍ରୀୟ ବ୍ରାହ୍ମଣ ବାସ କରନ୍ତି। କଳିଙ୍ଗ ଉପକୂଳରୁ କୌଣ୍ଡିନ୍ୟ ବ୍ରାହ୍ମଣ ଯାଇଥିବା କଥା, ଦ୍ୱିତୀୟ କୌଣ୍ଡିନ୍ୟ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଏହି କୌଣ୍ଡିନ୍ୟ, ବୋଧହୁଏ ଚତୁର୍ଥ ଶତାବ୍ଦୀର, ଦ୍ୱିତୀୟାର୍ଦ୍ଧରେ, ମାଳୟ ଅନ୍ତରୀପରେ ଥିବା ‘ପାନ୍‌ପାନ୍‌’ (Panpan) ରାଜ୍ୟରୁ ‘ଫୁନାନ୍’ ଯାଇଥିଲେ। ଏହି ‘ପାନ୍‌ପାନ୍‌’ ରାଜ୍ୟରେ ବହୁସଂଖ୍ୟାରେ ‘କୁନ୍‌ଲୁନ୍‌’ ବା କଳିଙ୍ଗର ଲୋକ ବସବାସ କରୁଥିଲେ। ସେହି କୌଣ୍ଡିନ୍ୟ ବ୍ରାହ୍ମଣ, ବୋଧହୁଏ ଦକ୍ଷିଣ କଳିଙ୍ଗ ଅଞ୍ଚଳରୁ ‘ପାନ୍‌ପାନ୍‌’ ଯାଇଥିଲେ, ଯେଉଁ ଅଞ୍ଚଳରେ କୌଣ୍ଡିନ୍ୟ ଗୋତ୍ରୀୟ ବ୍ରାହ୍ମଣ ପରିବାର ଏବେ ବି ଅଛନ୍ତି। ଚୀନ୍‌ ଦେଶର ଇତିହାସରୁ ଆମେ ଜାଣିବାକୁ ପାଉ ଯେ, ଏହି ଦ୍ୱିତୀୟ କୌଣ୍ଡିନ୍ୟଙ୍କର ବଂଶଧର ଫୁନାନ୍‌ର ରାଜା ଜୟବର୍ମନ (ଖ୍ରୀ.ଅ. ୪୮୦-୫୧୪)ଙ୍କ ରାଜତ୍ୱ ସମୟରେ, ଫୁନାନ୍‌ର ପ୍ରଧାନ ଦେବତା ‘ମହେଶ୍ୱର’ (ଶିବ)ଙ୍କୁ ‘ମୋଟାନ୍‌ପର୍ବତ’ (Mount Mo-tan) ଚୂଡ଼ାରେ ପୂଜା କରାଯାଉଥିଲା। ଏହି ‘ମୋଟାନ୍’ ଶବ୍ଦ ହିଁ ଚୀନ୍‌ଭାଷାରେ ‘ମହେନ୍ଦ୍ର’ର ରୂପାନ୍ତର (Transcription), ତେଣୁ ଏଥିରୁ ଜଣାଯାଏ, ଓଡ଼ିଶାର ଯେଉଁ ପର୍ବତ ଶିଖରରେ ଅତି ପ୍ରାଚୀନ କାଳରୁ ଶିବ ପୂଜା କରାଯାଉଛି, ସେପରି ଏକ ପର୍ବତର ନାମକରଣ କରି, ଦ୍ୱିତୀୟ କୌଣ୍ଡିନ୍ୟ ସେଠାରେ ଶିବ ପୂଜା ମଧ୍ୟ ଆରମ୍ଭ କରିଥିଲେ। ଏହି କୌଣ୍ଡିନ୍ୟ ମଧ୍ୟ ସମାଜରେ ହିନ୍ଦୁଧର୍ମର ନୀତିମାନ ପ୍ରଚଳନ କରି ରାଜ୍ୟବାସୀଙ୍କୁ ଭାରତୀୟଙ୍କ ଭଳି ସଭ୍ୟ କରିବା ପାଇଁ ଉଦ୍ୟମ କରିଥିଲେ। ରାଜା, ରାଜ୍ୟଶାସନରେ ଶିବପୂଜା ଓ ମହେନ୍ଦ୍ର ପର୍ବତକୁ ପ୍ରାଧାନ୍ୟ ଦେବା, ଦ୍ୱିତୀୟ ଜୟବର୍ମନ (ଖ୍ରୀ.ଅ. ୮୦୨-୮୫୦)ଙ୍କ କାମ୍ବୋଡ଼ିଆରେ ରାଜତ୍ୱକାଳରେ ଦେଖାଯାଇଥିଲା। ସେ, ସେହି ଦେଶର ମହେନ୍ଦ୍ର ପର୍ବତରେ, ‘ଦେବରାଜ’ ନାମକ ଶିବଲିଙ୍ଗ ସ୍ଥାପନ କରି, ତାହାକୁ ହିଁ ରାଜଧାନୀ କରି ରାଜତ୍ୱ ଆରମ୍ଭ କରିଥିଲେ। ଚୀନ୍‌ ଇତିହାସରୁ ଆମେ ଜାଣିବାକୁ ପାଉ – ‘ଚନ୍-ଟନ୍’ (Chan-t’an) ନାମକ ଏକ ଭାରତୀୟ ଖ୍ରୀ.ଅ. ୩୫୭ରେ, ଫୁନାନ୍ ରାଜ୍ୟରେ ରାଜତ୍ୱ କରୁଥିଲେ। ଐତିହାସିକ ‘ସିଲ୍‌ଭେନ୍‌ ଲେଭି’ (Sylvain Levi) ଏହି ‘ଚନ୍‌-ଟନ୍‌’ ନାମକୁ ‘ଚନ୍ଦନ’ର ଚୀନ ଭାଷାରେ ଅନୁବାଦ (Transcription) ରୂପେ ଗ୍ରହଣ କରିଛନ୍ତି। ଏହି ‘ଚନ୍ଦନ’ ଉପାଧିଧାରୀମାନେ କୁଷାଣ ସମ୍ରାଟ କନିଷ୍କଙ୍କ ବଂଶଧର ଥିଲେ। ଆମ ଓଡ଼ିଶାର ଉପକୂଳ ଅଞ୍ଚଳରେ କେତେକ କ୍ଷତ୍ରିୟଙ୍କର ‘ଶ୍ରୀଚନ୍ଦନ’ ଓ ‘ହରିଚନ୍ଦନ’ ଭଳି ଉପାଧି ରହିଛି। ଏହି ନାମ ‘ଚନ୍ଦନ’ ଶବ୍ଦରୁ ସୃଷ୍ଟି।

ବିଶେଷତଃ, ପ୍ରାଚୀନ ବନ୍ଦର ଗ୍ରାମଗୁଡ଼ିକରେ ଏହି ‘ଚନ୍ଦନ’ ଉପାଧିଧାରୀ ଲୋକଙ୍କୁ ଦେଖିବାକୁ ମିଳେ। ଓଡ଼ିଶାରେ ପ୍ରଚୁର ପରିମାଣରେ କୁଷାଣ ମୁଦ୍ରା ଓ ସେଇ ଆକୃତି (style)ରେ ତିଆରି ମୁଦ୍ରା ମିଳୁଥିବାରୁ, କେତେକ ଗବେଷକ ଅନୁମାନ କରନ୍ତି, ଏହି ଅଞ୍ଚଳକୁ ବୋଧହୁଏ, ପ୍ରଥମ ଶତାବ୍ଦୀ ପରଠାରୁ କୁଶାଣ, ଶକ ଓ ମୁରୁଣ୍ଡମାନେ (Indo Scythians) ଆସି, ଉପକୂଳ ଅଞ୍ଚଳରେ ଛୋଟ ଛୋଟ ରାଜ୍ୟ ଗଠନ କରି ଖ୍ରୀଷ୍ଟୀୟ ତୃତୀୟ ଓ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ରାଜତ୍ବ କରିଥିଲେ। ଏହାର ପ୍ରମାଣ ସ୍ୱରୂପ ‘ଟଲେମି’ (Ptolemy)ଙ୍କ ଭୂଗୋଳରେ (ଖ୍ରୀ.ଅ. ୧୪୦-୫୦) କଳିଙ୍ଗର ଉପକୂଳରେ ଥିବା ବନ୍ଦର ମଧ୍ୟରେ ‘ମୀନା-ଗଡ଼’ (Minagara)କୁ ଦେଖାଯାଇପାରେ। ଶକମାନେ ଭାରତର ବିଭିନ୍ନ ଅଞ୍ଚଳରେ ଏପରି ନାମ ସହ ସଂପୃକ୍ତ ଥିଲେ; ଅର୍ଥାତ ତାଙ୍କର ଉପନିବେଶକୁ ଏହି ନାମ ଦେଉଥିଲେ। ପୁଣି, ଶତୃଭଞ୍ଜଙ୍କର ଅସନପାଟ ଅଭିଲେଖ, ଯାହାକୁ ଖ୍ରୀଷ୍ଟୀୟ ତୃତୀୟ କିମ୍ବା ଚତୁର୍ଥ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଉଛି, ସେଥିରେ ତାଙ୍କର ପରାକ୍ରମଶାଳୀ ପିତା ମାନଭଞ୍ଜ, ବିନ୍ଧ୍ୟାଟବି, (Vindhyatabi) ବା ଉତ୍ତର କଳିଙ୍ଗର ରାଜା, ‘ଦେବପୁତ୍ର’ ବୋଲାଉଥିବା ‘କୁଷାଣ’ମାନଙ୍କ ବିରୁଦ୍ଧରେ ବହୁ ଯୁଦ୍ଧ କରି, ସେମାନଙ୍କୁ ପରାଜିତ କରିଥିବା ଉଲ୍ଲେଖ ଅଛି। ବୋଧହୁଏ, ଫୁନାନ୍‌ର ସେହି ରାଜା ଚନ୍ଦନ, କଳିଙ୍ଗରୁ ଯୁଦ୍ଧରେ ପରାଜିତ ହୋଇ, କିଛି ସୈନ୍ୟସାମନ୍ତ ଧରି, ନୌଯାତ୍ରା କରି ଏଠାରୁ ପଳାଇଯାଇଥିବା, କୌଣସି କୁଷାଣ ରାଜପୁତ୍ର। ଏହି ଚତୁର୍ଥ ଶତାବ୍ଦୀରେ ଫୁନାନରେ କୁଶାଣ ରାଜତ୍ୱ କଥା ଛାଡ଼ି ମଧ୍ୟ, ପରବର୍ତ୍ତୀ କାଳର କାମ୍ବୋଡ଼ିଆ ଇତିହାସର ପ୍ରାଥମିକ ସ୍ତରରେ, ସେଠାକାର ସମାଜରେ ପାରସିକ (ଶକ)ମାନଙ୍କ ସାଂସ୍କୃତିକ ପ୍ରଭାବ ଲକ୍ଷ୍ୟ କରାଯାଏ। ଏହି ପ୍ରଭାବ ଯୋଗୁଁ ଏକ ପାରସିକ ‘କାମ୍ବୁଜ’ (କାମ୍ବୋଜ) ନାମ ଦେଶର ଦେବା ସହିତ, ସୂର୍ଯ୍ୟ ମୂର୍ତ୍ତି ଗଠନରେ ପାରସିକ ପ୍ରଭାବ ଐତିହାସିକମାନେ ଦେଖିଛନ୍ତି। ଏହି ପ୍ରଭାବ, ସିଧାସଳଖ ପାରସ୍ୟ ବା ଇରାନ୍‌ରୁ ଆସିଥିବାର କୌଣସି ପ୍ରମାଣ ନାହିଁ। ଯେତେଦୂର ସମ୍ଭବ, ଏହା କଳିଙ୍ଗରୁ ଯାଇଥିବା ଶକ ଓ ଶକ-ବ୍ରାହ୍ମଣଙ୍କ ଯୋଗୁଁ ହୋଇଥିଲା।

ଆଲେକ୍‌ଜାଣ୍ଡାରଙ୍କ ସିନ୍ଧୁପ୍ରଦେଶ ଅଧିକାର ପୂର୍ବରୁ, କଳିଙ୍ଗ ଓ ପାରସ୍ୟ ସାମ୍ରାଜ୍ୟ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ଦୀର୍ଘକାଳଧରି ଚାଲିଥିଲା। ଏହା ପାରସ୍ୟ ସମ୍ରାଟ ଡେରାୟସ (ଡେରାୟବସ)ଙ୍କ ସମୟରୁ ଆରମ୍ଭ ହୋଇଥିଲା। ଏହାର କୌଣସି ଲିଖିତ ଇତିହାସ ନଥିଲେ ମଧ୍ୟ, ଓଡ଼ିଶାରେ ଅନେକଗୁଡ଼ିଏ ଡେରାୟସଙ୍କ ନାମାନୁସାରେ ନାମିତ ଗ୍ରାମ ଅଛି, ଯାହା କି ଦିନେ ପାରସ୍ୟର ବାଣିଜ୍ୟକେନ୍ଦ୍ର ଥିଲା। ଅପଭ୍ରଂଶ ଯୋଗୁଁ ସେହି ଗ୍ରାମର ନାମଗୁଡ଼ିକ ଆଜି ‘ଡେରାବିସି’, ‘ଡେରାସ୍’ ଓ ‘ଡେରା’ ହୋଇଯାଇଛି। ଏହି ବାଣିଜ୍ୟ ସୂତ୍ରରେ ବୋଧହୁଏ କଳିଙ୍ଗକୁ ବହୁ ପାରସିକ ଓ ସୂର୍ଯ୍ୟ ଉପାସକ ବ୍ରାହ୍ମଣ ଆସିଥିଲେ। ‘କପିଳ ସଂହିତା’, ‘ହରିବଂଶ’ ଓ ମୈତ୍ରାୟଣୀୟ ଉପନିଷଦ’ ଆଦି ପୁରାଣରେ, ଓଡ଼ିଶା ଉପକୂଳରେ ସୂର୍ଯ୍ୟ ଉପାସକ ବ୍ରାହ୍ମଣ ଥିବାର ଉଲ୍ଲେଖ ରହିଛି। ପୂର୍ବରୁ କୁହାଯାଇଛି ଯେ, ଟଲେମିଙ୍କ ଭୂଗୋଳରେ କଳିଙ୍ଗ ଉପକୂଳରେ ‘ମିନାଗର’ ନାମକ ଶକ ଉପନିବେଶ ଜଣାଯାଏ – ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଦୁଇ ଜଣ ସୂର୍ଯ୍ୟୋପାସକ ବ୍ରାହ୍ମଣ (ଶକ-ବ୍ରାହ୍ମଣ) ଏଠାରେ ଭୂମିଦାନ ଗ୍ରହଣ କରିଛନ୍ତି (ସତ୍ୟନାରାୟଣ ରାଜଗୁରୁ, ‘ଓଡ଼ିଶାର ଇତିହାସ’, ୧୯୮୫, ପୃ-୧୮୮)। କାମ୍ବୋଡ଼ିଆର ଇତିହାସରୁ ଆମେ ଜାଣିବାକୁ ପାଉ ଯେ, ସପ୍ତମ ଶତାବ୍ଦୀରେ ରାଜା, ଇସାନ ବର୍ମନ (ପ୍ରଥମ)ଙ୍କ କନ୍ୟାକୁ ଜଣେ ଭାରତୀୟ ଶକ – ବ୍ରାହ୍ମଣ ବିବାହ କରିଛନ୍ତି। ଏହି ଶକ-ବ୍ରାହ୍ମଣ, ଓଡ୍ର କିମ୍ବା କଳିଙ୍ଗର ହୋଇଥାଇ ପାରନ୍ତି; କାରଣ ସେହିପରି ବ୍ରାହ୍ମଣ ସେତେବେଳେ ଓଡ୍ର ଉପକୂଳରେ ବସବାସ କରୁଥିଲେ ଓ ଆଜି ପର୍ଯ୍ୟନ୍ତ ମଧ୍ୟ ସୂର୍ଯ୍ୟ ଉପାସକ ବ୍ରାହ୍ମଣ କୋଣାର୍କ ଅଞ୍ଚଳରେ ଅଛନ୍ତି। କାମ୍ବୋଡିଆର କଳିଙ୍ଗ- ସମ୍ପର୍କ ଏପରି ଘନିଷ୍ଠ ହୋଇଥିଲା ଯେ ବହୁ ସଂଖ୍ୟାରେ କଳିଙ୍ଗର ଲୋକ ଭାଗ୍ୟ ଅନ୍ୱେଷଣରେ ସେହି ଦେଶକୁ ଯାଇଥିଲେ। ତେଣୁ ବହୁବର୍ଷ ପର୍ଯ୍ୟନ୍ତ, ଯେ କୌଣସି ଭାରତୀୟଙ୍କୁ, ସେ ଦେଶର ଲୋକେ ‘କ୍ଲିଙ୍ଗ୍’ ବା କଳିଙ୍ଗର ଲୋକ ବୋଲି ଭାବୁଥିଲେ।

କଳିଙ୍ଗ ଭଳି, ଶିବ ଉପାସନାରେ ଗୁରୁତ୍ୱ, ସେ ଦେଶରେ ବହୁକାଳ ପର୍ଯ୍ୟନ୍ତ ରହିଥିଲା। ରାଜା ଜୟବର୍ମନ (ଦ୍ୱିତୀୟ), କଳିଙ୍ଗର ମହେନ୍ଦ୍ରପର୍ବତ ନାମ ଦେଇ, ଏକ ସ୍ଥାନୀୟ ପାହାଡ଼ରେ ଶିବଲିଙ୍ଗ ସ୍ଥାପନ କରି, ତାହାକୁ ‘ଦେବ-ରାଜ’ ଆଖ୍ୟା ଦେଇଥିଲେ; ଅର୍ଥାତ୍‌ ‘ଦେବତା ହିଁ ରାଜ୍ୟର ରାଜା’ ବୋଲି ଘୋଷଣା କରିଥିଲେ। ତାଙ୍କର ସେହି ତତ୍ତ୍ୱକୁ କାମ୍ବୁଜର ପରବର୍ତ୍ତୀ ରାଜାମାନେ ଅନୁସରଣ କରିଥିଲେ। ଜୟବର୍ମନ (ଚତୁର୍ଥ) (ଖ୍ରୀ.ଅ. ୯୨୫- ୯୪୧), ଏକ ପିରାମିଡ ନିର୍ମାଣ କରି, ତା’ ଉପରେ ଏକ ‘ରାଜକୀୟ ଲିଙ୍ଗ’ ସ୍ଥାପନ କରିଥିଲେ ଓ ସେହି ଦେବତାଙ୍କର ନାମ ଥିଲା ‘ତ୍ରିଭୁବନେଶ୍ୱର’। ଓଡ଼ିଶାର ଏକମ୍ରକ୍ଷେତ୍ର (ପୁରୁଣା ଭୁବନେ୍ଶ୍ୱର)ର ପ୍ରଧାନ ଦେବତା (ଲିଙ୍ଗରାଜ)ଙ୍କ ନାମ ‘ତ୍ରିଭୁବନେଶ୍ୱର’। ବୃହତ୍ ମନ୍ଦିର ନିର୍ମାଣ ପୂର୍ବରୁ, ସପ୍ତମ ଶତାବ୍ଦୀ ଆରମ୍ଭକାଳରେ ଗୌଡ଼ରାଜା ଶଶାଙ୍କ, ବୋଧହୁଏ ସେହିସ୍ଥାନରେ ଥିବା ଏକ ପିରାମିଡ଼ ଉପରେ ଲିଙ୍ଗରାଜଙ୍କୁ ସ୍ଥାପନ କରିଥିଲେ ଓ ତାଙ୍କର ନାମ ‘ତ୍ରିଭୁବନେଶ୍ୱର’ ରଖିଥିଲେ। ସେଇ ଏଇ ନାମକୁ କାମ୍ବୋଡ଼ିଆର ରାଜା ଅନୁସରଣ କରିଥିବାରୁ, କଳିଙ୍ଗ ସହିତ ସେ ଦେଶର ସୁସମ୍ପର୍କ ରହିଥିବା ସହିତ, କଳିଙ୍ଗର ଶିବପୂଜାକୁ ସେ ଦେଶରେ ଆଦର୍ଶରୂପେ ଗ୍ରହଣ କରାଯାଉଥିଲା ବୋଲି ବୁଝିବା ପାଇଁ ହେବ।

ଫୁନାନ୍ ରାଜ୍ୟରେ ହିନ୍ଦୁଧର୍ମରେ ଶିବପୂଜାକୁ ପ୍ରାଧାନ୍ୟ ଦିଆଗଲେ ମଧ୍ୟ ବିଷ୍ଣୁପୂଜା ପ୍ରଚଳିତ ଥିଲା। ରାଜା ପ୍ରଥମ ଜୟବର୍ମନ (ଖ୍ରୀ.ଅ. ୪୮୦-୫୧୪)ଙ୍କ ରାଣୀ ‘କୁଳ ପ୍ରଭାବତୀ’ ଜଣେ ବୈଷ୍ଣବୀ ଥିଲେ। ଏହି ରାଣୀ ଓ ତାଙ୍କ ପୁଅ ଗୁଣ ବର୍ମନଙ୍କର ଷଷ୍ଠ ଶତାବ୍ଦୀର ଦୁଇଟି ସଂସ୍କୃତ ଅଭିଲେଖ ଆବିଷ୍କୃତ ହୋଇଛି। ସେଥିରୁ ଜଣାପଡ଼େ, ରାଣୀ ତାଙ୍କର ଶେଷ ଜୀବନରେ ଏକ ଆଶ୍ରମ ନିର୍ମାଣକରି ବିଷ୍ଣୁପୂଜାରେ କଟାଇଥିଲେ। ରାଜକୁମାର ଗୁଣବର୍ମନ ‘ଚକ୍ରତୀର୍ଥ ସ୍ବାମୀ’ଙ୍କ ମନ୍ଦିର ନିର୍ମାଣ କରି, ସେଠାରେ ‘ବିଷ୍ଣୁପଦ’ ପୂଜାର ବ୍ୟବସ୍ଥା କରିଥିଲେ। ଏହାଛଡ଼ା, ପରବର୍ତ୍ତୀ କାଳରେ ଫୁନାନ୍‌ରେ ‘ମୁଖଲିଙ୍ଗ’ ପୂଜାର ବ୍ୟବସ୍ଥା କରିଥିଲେ। ଏହାଛଡ଼ା, ପରବର୍ତ୍ତୀ କାଳରେ ଫୁନାନ୍‌ରେ ‘ମୁଖଲିଙ୍ଗ’ ପୂଜା ସହିତ, ‘ହରିହର’ଙ୍କର ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଥିଲା। ବିଷ୍ଣୁପୂଜା, ମୁଖଲିଙ୍ଗ ପୂଜା, ହରିହର ପୂଜା ଓ ଚକ୍ରତୀର୍ଥସ୍ୱାମୀଙ୍କର ପୂଜା, କଳିଙ୍ଗ ଓ ଉତ୍କଳରେ ରହିଛି। ଖ୍ରୀଷ୍ଟୀୟ ପଞ୍ଚମ ଓ ଷଷ୍ଠ ଶତାବ୍ଦୀରେ, ଫୁନାନ୍‌ରେ, ଏହାର ପ୍ରଭାବ, ସେହି ଦେଶରେ କଳିଙ୍ଗ ସମ୍ପର୍କ ଯୋଗୁଁ ସୃଷ୍ଟି ହୋଇଥାଇପାରେ; କିନ୍ତୁ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ମତଦେବା ଠିକ୍ ହେବ ନାହିଁ। ହିନ୍ଦୁଧର୍ମ ବ୍ୟତୀତ ଫୁନାନ୍‌ରେ ‘ଥେରବାଦ ବୌଦ୍ଧଧର୍ମ’ ମଧ୍ୟ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରୁ ରହିଥିଲା। ଜୟବର୍ମନ (ପ୍ରଥମ) ନାଗସେନ ନାମକ ଭାରତୀୟ ବୌଦ୍ଧ ଆଚାର୍ଯ୍ୟଙ୍କୁ ଦୂତ ରୂପେ ଚୀନ ଦରବାରକୁ ପଠାଇଥିବାର ପ୍ରମାଣ ରହିଛି। ବହୁ ବୌଦ୍ଧଗ୍ରନ୍ଥ ମଧ୍ୟ ଫୁନାନ୍‌ରୁ ଚୀନ୍‌ ଦରବାରକୁ ଯାଇଥିଲା। ଫୁନାନ୍‌ର ସଂସ୍କୃତ ଜାଣିଥିବା ବୌଦ୍ଧ ପଣ୍ଡିତମାନେ ଚୀନ୍‌ ଦେଶଯାଇ, ସେଠାରେ ସଂସ୍କୃତରେ ଲିଖିତ ବୌଦ୍ଧ ଥେରବାଦ ଗ୍ରନ୍ଥମାନ ଚୀନ୍‌ଭାଷାକୁ ଅନୁବାଦ କରିଥିବାର ପ୍ରମାଣ ଅଛି। ଏଥିରୁ ମନେହୁଏ, ସେ ସମୟରେ ଠିକ୍‌ କଳିଙ୍ଗଭଳି, ଫୁନାନ୍‌ରେ ହିନ୍ଦୁଧର୍ମରେ ବିଭିନ୍ନ ମତବାଦ (Sect.) ଓ ଥେରବାଦୀ ବୌଦ୍ଧଧର୍ମ ରହିଥିଲା। ଏଥିପାଇଁ ରାଜକୀୟ ସହନଶୀଳତା ରହିଥିବାରୁ, ତା’ର ଅଭିବୃଦ୍ଧି ମଧ୍ୟ ହେଉଥିଲା।

(ଆଶୁତୋଷ ପ୍ରସାଦ ପଟ୍ଟନାୟକ (୧୯୩୩-୨୦୧୭) ଜଣେ ପରିଚିତ ଓଡ଼ିଆ ଲେଖକ, କବି, ସଂସ୍କୃତି ଗବେଷକ ଏବଂ ଐତିହାସିକ। ପ୍ରାଚୀନ କଳିଙ୍ଗ ଏବଂ ଆଧୁନିକ ଓଡ଼ିଶାର ସାଂସ୍କୃତିକ ଇତିହାସ ବିଷୟରେ ଗବେଷଣା ଓ ରଚନା ଲାଗି ସେ ସ୍ମରଣୀୟ ରହିବେ। ଦକ୍ଷିଣପୂର୍ବ ଏସିଆ ସହିତ କଳିଙ୍ଗର ନୌବାଣିଜ୍ୟ ଓ  ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ତାଙ୍କର ପୁସ୍ତକ “The Early voyasers of tast” ଏକ ଉଲ୍ଲେଖନୀୟ ସୃଷ୍ଟି। ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଲେଖକଙ୍କର ଗବେଷଣା ଓ ରଚନାତ୍ମକ କାମ ସ୍ମରଣୀୟ -ସଂପାଦକ, ଓଡ଼ିଶାଲାଇଭ୍)

(ସୌଜନ୍ୟ: ନିର୍ବାଚିତ ରଚନା)

Comment