ଆଶୁତୋଷ ପ୍ରସାଦ ପଟ୍ଟନାୟକ

ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କରେ ବହୁଜନଶ୍ରୁତି ଓ କିମ୍ବଦନ୍ତୀ ପ୍ରଚଳିତ ରହିଛି। ସେଗୁଡ଼ିକର ବିଷୟବସ୍ତୁରୁ ଓଡ଼ିଆ ସାଧବମାନେ ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ପ୍ରଭୃତି ଦ୍ୱୀପକୁ ବୋଇତ ନେଇ ଯାଇଥିବାର ସୂଚନା ମିଳେ। କାର୍ତ୍ତିକ ପୂର୍ଣ୍ଣିମାର ବୋଇତବନ୍ଦାଣ ଓ କଟକର ‘ବାଲିଯାତ୍ରା’ ଉତ୍ସବ ଆଦି ସେଇ ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରେ। ଇଣ୍ଡୋନେସିଆର ଜାଭା ଓ ଶଲି ପ୍ରଭୃତି ଦ୍ୱୀପରେ ମଧ୍ୟ ସେହି ଅଞ୍ଚଳରେ କଳିଙ୍ଗର ସାଧବମାନଙ୍କର ବାଣିଜ୍ୟ ଓ ବସତି  ସ୍ଥାପନ ସମ୍ପର୍କରେ ବହୁ କମ୍ବଦନ୍ତୀ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି। ଗୋଟିଏ କିମ୍ବଦନ୍ତୀରୁ ଜଣାଯାଏ ଯେ, ଏକଦା କଳିଙ୍ଗ ଅଞ୍ଚଳରୁ ୨୦ହଜାର ପରିବାର ଆସି ସର୍ବପ୍ରଥମେ ଜାଭାଦ୍ୱୀପରେ ବସତି ସ୍ଥାପନ କରିଥିଲେ। ଏପରି ଜନଶ୍ରୁତିକୁ ବିଚାରକୁ ନେଇ ପ୍ରସିଦ୍ଧ ଐତିହାସିକ ରାଖାଲଦାସ ବାନର୍ଜୀ କହିଛନ୍ତି ଯେ ଅଶୋକଙ୍କର ବହୁ ପୂର୍ବରୁ କଳିଙ୍ଗ ଏକ ଦରିଆପାରି ସାମ୍ରାଜ୍ୟ ଗଠନ କରିଥିଲା ଓ କଳିଙ୍ଗର ନାବିକମାନେ ପୂର୍ବଦିଗରେ ସୁଦୂର ଫିଲିପାଇନ୍ ଦ୍ୱୀପପୁଞ୍ଜ ଓ ଦକ୍ଷିଣପୂର୍ବର ଭାରତ ମହାସାଗରୀୟ ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ ଉପନିବେଶମାନ ସ୍ଥାପନ କରିପାରିଥିଲେ। କଳିଙ୍ଗର ଲୋକ ସେହି ଅଞ୍ଚଳରେ ସର୍ବପ୍ରଥମେ ପହଞ୍ଚିଥିଲେ ବୋଲି, ସେଠାକାର ଆଦିମ ଅଧିବାସୀମାନେ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି। ଜେରିନି (Gerini)ଙ୍କ ଲେଖାରୁ ଜଣାଯାଏ ଯେ, ଅଶୋକଙ୍କର ପରବର୍ତ୍ତୀ କାଳରେ ଦନ୍ତପୁରର ରାଜପୁତ୍ର ବୋଇତରେ ଯାଉଥିବା ବେଳେ, ମାଳୟର ପୂର୍ବ ଉପକୂଳରେ ଥିବା ‘ଲିଗର’ (Ligar) ନାମକ ସ୍ଥାନରେ, ତାଙ୍କର ବୋଇତ ଝଡ଼ତୋଫାନରେ ନଷ୍ଟ ହୋଇଯାଇଥିଲା ଓ ସେ, ସେହି ଅଞ୍ଚଳରେ, ପାରିଷଦ ଓ ନାବିକମାନଙ୍କ ସହ ବସତି ସ୍ଥାପନ କରିଥିଲେ। ମାଳୟର ପଶ୍ଚିମ ଉପକୂଳରେ, ଟକ୍‌କୋଲ (Takkola) ନାମକ ସ୍ଥାନରେ, ଏକଦା ଏକ ଭାରତୀୟ ଉପନିବେଶ ଥିବାର ମଧ୍ୟ କେତେକ ପ୍ରମାଣ ମିଳୁଛି। ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ସମୟର ଓ ସଂସ୍କୃତ ଭାଷାରେ ଲିଖିତ ବହୁ ଅଭିଲେଖ ମାଳୟ ଓ ଇଣ୍ଡୋଚାଇନା ଅଞ୍ଚଳରେ ମିଳୁଥିଲେ ସୁଦ୍ଧା, ଜାଭା ଦ୍ୱୀପରେ ଖ୍ରୀଷ୍ଟୀୟ ପଞ୍ଚମଶତାବ୍ଦୀ ପୂର୍ବରୁ, ସେପରି କୌଣସି ଅଭିଲେଖ ଏ ପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ଏହା ସତ୍ତ୍ବେ, ଏହି ଜାଭା ଅଞ୍ଚଳରେ ଯେ ପଞ୍ଚମଶତାବ୍ଦୀ ପୂର୍ବରୁ ଭାରତୀୟ ଉପନିବେଶମାନେ ଗଢ଼ିଉଠିଥିଲା, ତା’ର ଅନେକ ପ୍ରମାଣ ରହିଛି। ଚୀନ୍‌ ଦେଶର ଏକ ଐତିହାସିକ ବିବରଣୀରୁ ଜଣାଯାଏ ଯେ, ଖ୍ରୀ.ଅ. ୧୩୨ରେ ଜବଦ୍ୱୀପର ରାଜା ଦେବବର୍ମା, ଚୀନ୍ ଦେଶକୁ ଦୂତ ପ୍ରେରଣ କରିଥିଲେ ଓ ଚୀନ୍‌ ସମ୍ରାଟ୍‌ଙ୍କଠାରୁ କେତେକ ଉପଢ଼ୌକନ ମଧ୍ୟ ଲାଭ କରିଥିଲେ। ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀରେ, ଜାଭା ଦ୍ୱୀପରେ ଯେ ହିନ୍ଦୁଧର୍ମାବଲମ୍ବୀ ରାଜା ଶାସନ କରୁଥିଲେ, ତାହା ଏଥିରୁ ଜଣାଯାଇଥାଏ। ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ଆଦି ଦ୍ୱୀପରେ, ପ୍ରାୟ ଏକ ସମୟରେ, ଭାରତୀୟ ଉପନିବେଶମାନ ଗଢ଼ିଉଠିଥିଲା ବୋଲି ସାଧାରଣତଃ ବିଶ୍ୱାସ କରାଯାଏ।

ଜାଭା ଦ୍ୱୀପର ପଶ୍ଚିମାଞ୍ଚଳରେ, ପ୍ରଥମେ ଭାରତୀୟ ଉପନିବେଶ ହୋଇଥିଲା ଓ ସେହି ଅଞ୍ଚଳରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ, କେତେଗୁଡ଼ିଏ କ୍ଷୁଦ୍ର ରାଜ୍ୟ ସୃଷ୍ଟି ହୋଇସାରିଥିଲା। ପଞ୍ଚମଶତାବ୍ଦୀର ମଧ୍ୟଭାଗରେ, ସେଠାରେ ଏକ ଶକ୍ତିଶାଳୀ ହିନ୍ଦୁରାଜ୍ୟ ଥିବା କଥା କେତେକ ଅଭିଲେଖରୁ ଜଣାଯାଇଛି। ତୁଗୁ (Tugu) ନାମକ ପାହାଡ଼ର ଅଭିଲେଖରୁ ଜଣାଯାଏ ଯେ, ସେଠାରେ ପୂର୍ଣ୍ଣବର୍ମା ନାମକ ରାଜା ‘ତୁରମ’ ନାମକ ରାଜ୍ୟରେ ରାଜତ୍ୱ କରୁଥିଲେ। ଏହି ଶିଳାଲିପି ଅନୁଯାୟୀ, ତାଙ୍କ ପୂର୍ବରୁ, ବୋଧହୁଏ ତାଙ୍କ ପିତା ‘ଚନ୍ଦ୍ରଭାଗା’ ନାମକ ଜଳଧାର ଓ ସେ ନିଜେ ‘ଗୋମତୀ’ ନାମକ କେନାଲ ଖୋଳାଇଥିଲେ। ଏହି ଖନନ କାର୍ଯ୍ୟ ପୂର୍ଣ୍ଣବର୍ମାଙ୍କ ରାଜତ୍ୱର ୨୨ତମ ବର୍ଷରେ, ଫାଲ୍‌ଗୁନ କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ ହୋଇ ଚୈତ୍ର ଶୁକ୍ଳ ତ୍ରୟୋଦଶୀ ପର୍ଯ୍ୟନ୍ତ ଚାଲିଥିଲା ବୋଲି ଅଭିଲେଖରେ ଉଲ୍ଲେଖ ଅଛି। ଅଭିଲେଖର ଏହି ପୂର୍ଣ୍ଣିମାନ୍ତ ଗଣନା ଓ ଗୋଟିଏ କେନାଲର ଚନ୍ଦ୍ରଭାଗା ନାମକରଣରୁ, ରାଜା ପୂର୍ଣ୍ଣବର୍ମାଙ୍କ ବଂଶ କଳିଙ୍ଗର ଉପକୂଳ ଅଞ୍ଚଳରୁ ଆସିଥିବାର ଅନୁମାନ କରାଯାଏ।

ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ, ଚୀନ୍‌ଦେଶରେ, ‘ଟାଙ୍ଗ’ (Tang) ବଂଶର ସମ୍ରାଟମାନେ ରାଜତ୍ୱ କରୁଥିଲେ। ଏହି ଟାଙ୍ଗମାନଙ୍କ ରାଜତ୍ୱକାଳରେ, ଜାଭା୍ଦ୍ୱୀପରେ ‘ହୋଲିଙ୍ଗ’ (Holing) (କଳିଙ୍ଗର ଚୀନ୍‌ଭାଷାରେ ନାମ) ନାମକ ଶକ୍ତିଶାଳୀ ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା। ଏହି ‘ହୋଲିଙ୍ଗ’ ବା କଳିଙ୍ଗରାଜ୍ୟରୁ ପ୍ରଥମେ ଖ୍ରୀ.ଅ. ୬୪୦, ୬୪୮ ଓ ୬୬୬ରେ ରାଜଦୂତମାନେ ଟାଙ୍ଗ୍ ସମ୍ରାଟଙ୍କ ଦରବାରକୁ ଯାଇଥିଲେ। “ଟାଙ୍ଗ ବଂଶର ନୂତନ ଇତିହାସ” (New History of the Tang)ରେ, ଏହି ହୋଲିଙ୍ଗ ବା କଳିଙ୍ଗ ରାଜ୍ୟର ତତ୍କାଳୀନ ସମୃଦ୍ଧିକୁ ପ୍ରଶଂସା କରାଯାଇଛି। ଏହି ରାଜ୍ୟରେ ଜ୍ଞାନଭଦ୍ର ନାମକ ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ଜନ୍ମଗ୍ରହଣ କରିଥିଲେ। ଏହି ଜ୍ଞାନଭଦ୍ରଙ୍କ ନିର୍ଦ୍ଦେଶରେ ଚୀନ୍ ପରିବ୍ରାଜକ ହୁଇ ନିଂ (Hui-ning) ‘ଥେରବାଦ’ ଶାସ୍ତ୍ରକୁ ଚୀନ୍‌ଭାଷାରେ ଅନୁବାଦ କରିଥିଲେ। ଏହି ‘ହୋଲିଙ୍ଗ’ ରାଜ୍ୟର ସ୍ଥାନ କେତେକ ଐତିହାସିକ ମାଳୟ ଅନ୍ତରୀପରେ ଦର୍ଶାଇଲାବେଳେ, ଫରାସୀ ଐତିହାସିକ ସିଡେସ୍ (Coedes) ଏହି ରାଜ୍ୟ କେନ୍ଦ୍ର ଜାଭାରେ ଥିଲା ବୋଲି ପ୍ରମାଣ କରିଛନ୍ତି। ଚୀନ୍‌ ଇତିହାସରୁ ଜଣାଯାଏ ଯେ, ‘ହୋଲିଙ୍ଗ’ ବା କଳିଙ୍ଗରୁ, ରାଜଦୂତମାନେ ପୁଣି ଖ୍ରୀ.ଅ. ୮୧୩, ୮୧୫ ଓ ୮୧୮ରେ ଚୀନ ଦରବାରକୁ ଯାଇଥିଲେ। ଏହାପରେ ଖ୍ରୀ.ଅ. ୮୨୦ ଓ ୮୩୧ରେ ଯାଇଥିବା ରାଜଦୂତମାନେ ହୋଲିଙ୍ଗର ରାଜଧାନୀ ‘ଜାଭା’ରୁ ଯାଇଥିବାର ଉଲ୍ଲେଖ ଅଛି। ଅର୍ଥାତ୍ ପଞ୍ଚମ ଶତାବ୍ଦୀରେ ଯେଉଁ ଦ୍ୱୀପର ନାମ ଜାଭା ଥିଲା, ତାହା ନବମ ଶତାବ୍ଦୀରେ ‘ହୋଲିଙ୍ଗ’ ବା କଳିଙ୍ଗ ହେଲା ଓ କେବଳ ରାଜଧାନୀ ନାମ ‘ଜାଭା’ ରହିଲା। ଖ୍ରୀ.ଅ. ୭୪୨ ଓ ୭୫୫ ଭିତରେ ହୋଲିଙ୍ଗର ରାଜଧାନୀ ମଧ୍ୟ-ଜାଭାରୁ ପୂର୍ବ- ଜାଭାକୁ ଉଠି ଯାଇଥିଲା। ବୌଦ୍ଧଧର୍ମାବଲମ୍ବୀ ରାଜା ‘ଶୈଳେନ୍ଦ୍ର’ମାନଙ୍କର ମଧ୍ୟ-ଜାଭାରେ କ୍ଷମତା ବୃଦ୍ଧି ଯୋଗୁଁ ଏହା ହୋଇଥିଲା ବୋଲି ଐତିହାସିକମାନେ ବିଶ୍ୱାସ କରନ୍ତି। ପୁଣି ଖ୍ରୀ.ଅ. ୮୨୦ ବେଳକୁ ଶୈଳେନ୍ଦ୍ରମାନଙ୍କ ସହ ସମ୍ପର୍କ କିମ୍ବା ପୂର୍ବରୁ ଥିବା ଶୈବରାଜାମାନଙ୍କର କ୍ଷମତା ଅଧିକାର ଯୋଗୁଁ ରାଜଧାନୀ ମଧ୍ୟ-ଜାଭାକୁ ଫେରିଆସିଲା। କିନ୍ତୁ ସମୁଦାୟ ଦ୍ୱୀପଟିର ନାମ ଏ ସମୟରେ, ‘ହୋଲିଙ୍ଗ’ ବା ‘କଳିଙ୍ଗ’ ଥିଲା। ପ୍ରାକୃତ ଭାଷାରେ ରଚିତ ‘ନ୍ୟାୟଧମ୍ମ କାହାଓ’ (Nayadhamma Kahao) ନାମକ ଜୈନ ଧର୍ମଗ୍ରନ୍ଥରେ ଏହି ‘କଳିଙ୍ଗ ଦ୍ୱୀପ’ର ବର୍ଣ୍ଣନା ଅଛି। ସେହି ଦ୍ୱୀପକୁ ବାଣିଜ୍ୟ ପାଇଁ ଭାରତର କଳିଙ୍ଗରେ ଥିବା ‘ହାଠଶୀଶ’ (Hatthasisa) ନାମକ ବନ୍ଦରରୁ ବଣିକମାନେ ଯାଉଥିଲେ। ଏହାଛଡ଼ା ଖ୍ରୀ.ଅ. ୭୭୦ ଓ ୮୦୦ ଭିତରେ ରଚିତ ସଂସ୍କୃତ ଗ୍ରନ୍ଥ, ‘ଆର୍ଯ୍ୟମଞ୍ଜୁଶ୍ରୀ ମୂଳକଳ୍ପ’ରେ ଥିବା ଦକ୍ଷିଣ – ପୂର୍ବ ଏସିଆର ବର୍ଣ୍ଣନାରେ, ସେହି ଅଞ୍ଚଳର ସମୁଦ୍ରକୁ ‘କଳିଙ୍ଗୋଦ୍ରେଷୁ’ (Kalinga- Seas) ବୋଲି କୁହାଯାଇଛି।

ମଧ୍ୟଜାଭାର ଚାଙ୍ଗଲ୍ (Changal) ନାମକ ସ୍ଥାନର ଏକ ପ୍ରାଚୀନ ଶିବାଳୟରୁ ମିଳିଥିବା ଖ୍ରୀ.ଅ. ୭୩୨ର ଏକ ଅଭିଲେଖରୁ ଜଣାଯାଏ ଯେ, ‘କୁଞ୍ଜରାକୁଞ୍ଜ’ ନାମକ ରାଜ୍ୟରେ, ସଞ୍ଜୟ ନାମକ ରାଜା ରାଜତ୍ୱ କରୁଥିଲେ। ଏହି ସଞ୍ଜୟ ଦକ୍ଷିଣଜାଭାର ‘ମାତରମ୍’ ଅଞ୍ଚଳରେ ରାଜତ୍ବ କରିବାର ମଧ୍ୟ କେତେକ ପ୍ରମାଣ ମିଳୁଛି। ସଞ୍ଜୟଙ୍କ ପରେ, ଜାଭାଦ୍ୱୀପରେ, ମହାରାଜା ‘ପାନାଙ୍ଗ କରଣ’ ଖ୍ରୀ. ୭୭୮ରେ ନିଜକୁ ପରାକ୍ରମଶାଳୀ ‘ଶୈଳେନ୍ଦ୍ର ବଂଶଜ’ ରୂପେ ଘୋଷଣା କରି, ରାଜତ୍ୱ କରିଥିବାର ଏକ ଅଭିଲେଖରୁ ଜଣାଯାଇଛି। ଐତିହାସିକମାନଙ୍କ ମତରେ, ଏହି ଶୈଳେନ୍ଦ୍ରମାନେ ପ୍ରଥମେ ‘ସୁମାତ୍ରା’କୁ ଆସି, ସେଠାରେ ଯେଉଁ ରାଜ୍ୟ ସ୍ଥାପନ କରିଥିଲେ, ତାହା କାଳକ୍ରମେ ଶକ୍ତିଶାଳୀ ହୋଇ ଜାଭା ଓ ମାଳୟର ସମ୍ମିଶ୍ରଣରେ ବିଖ୍ୟାତ ‘ଶ୍ରୀବିଜୟ’ ସାମ୍ରାଜ୍ୟରେ ପରିଣତ ହେଲା। ଏହି ଶୈଳେନ୍ଦ୍ରମାନେ କଳିଙ୍ଗରେ ରାଜତ୍ୱ କରୁଥିବା ଶୈଳୋଦ୍‌ଭବମାନଙ୍କର ବଂଶଧର ହୋଇଥିବା କଥା କେତେକ ଐତିହାସିକ ଦର୍ଶାଇଥିଲେ ମଧ୍ୟ ଫରାସୀ ଐତିହାସିକ ସିଡେସ୍ (Coedes), ଏହି ବଂଶକୁ ଫୁନାନ ରାଜ୍ୟର ‘ପର୍ବତେଶ୍ୱର-କୌଣ୍ଡିନ୍ୟ’ ବଂଶର ଏକ ଶାଖା ବୋଲି ଯୁକ୍ତି କରନ୍ତି। କିନ୍ତୁ ଶୈଳେନ୍ଦ୍ରମାନେ କୌଣସିଠାରେ ନିଜର ବଂଶ ପରିଚୟରେ ଏପରି କଥା କହିନାହାନ୍ତି। ବରଂ ଶିଳାଲିପିରେ ଶୈଳେନ୍ଦ୍ର ମହାରାଜା ନିଜକୁ ‘ଆର୍ଯ୍ୟସନ୍ତତି’ କହିଛନ୍ତି। ‘ପାନାଙ୍ଗକରଣ’ଙ୍କର ନାମକୁ ବିଶ୍ଲେଷଣ କଲେଏ ପ୍ରଥମେ ନାମ (First Name) ‘ପାନାଙ୍ଗ’, ସେ ଦେଶର ପ୍ରଚଳିତ ନାମ ହୋଇଥିବା ମନେହୁଏ। କିନ୍ତୁ ‘କରଣ’ ଶବ୍ଦଟି ଏକ ସଂଜ୍ଞା, ଯାହା କି ଆମ ରାଜ୍ୟରେ କେତେକ କ୍ଷତ୍ରିୟଙ୍କର ରହିଛି। ପାନାଙ୍ଗକରଣଙ୍କର ପିତା କିମ୍ବା ପିତାମହ କଳିଙ୍ଗର କୌଣସି ‘କରଣ’ ସଂଜ୍ଞାଧାରୀ କ୍ଷତ୍ରିୟ ବଂଶଜ ବ୍ୟକ୍ତି ହୋଇଥିବା ଆଦୌ ଅସମ୍ଭବ ନୁହେଁ। ସେ ଯାହା ହେଉ, ଏହି ଶୈଳେନ୍ଦ୍ରମାନଙ୍କ ରାଜତ୍ୱ କାଳରେ ଅନେକ ନୂଆକଥା ଜାଭାଦ୍ୱୀପରେ ଘଟିଥିଲା। ପ୍ରଥମତଃ ଶୈଳେନ୍ଦ୍ର ରାଜା ଅଧିକ କ୍ଷମତାଶାଳୀ ହୋଇ, ଏକ ସାମ୍ରାଜ୍ୟ ଗଠନ କଲେ ଓ ନିଜକୁ ‘ମହାରାଜା’ ଘୋଷଣା କଲେ। ଦ୍ୱିତୀୟରେ, ଜାଭାଦ୍ୱୀପର ନାମ ‘କଳିଙ୍ଗ’ ହେଲା। ତୃତୀୟରେ, ମହାଯାନ (ତାନ୍ତ୍ରିକ) ଧର୍ମର ପ୍ରଚଳନ ହେଲା। ଚତୁର୍ଥରେ, କଳା ଓ ଶିଳ୍ପର ଉନ୍ନତିଫଳରେ ‘ଚଣ୍ଡିକଳସନ’ ଓ ‘ବୋରବୁଦୁର’ ଭଳି ପୃଥିବୀ ପ୍ରସିଦ୍ଧ ବୌଦ୍ଧସ୍ତୂପମାନ ନିର୍ମିତ ହେଲା। ପଞ୍ଚମରେ ଓଡ଼ିଶାର ତତ୍କାଳୀନ ଲିପି ସହ ସାମଞ୍ଜସ୍ୟ ଥିବା ଏକ ନୂତନ ଲିପି (Prenagari Script) ପ୍ରଚଳନ କରାଗଲା। ଏ ସମସ୍ତ କଥା, ସେତେବେଳେ ଜାଭାଦ୍ୱୀପକୁ ବହୁସଂଖ୍ୟାରେ ଯାଇଥିବା କଳିଙ୍ଗର ଲୋକଙ୍କ ସାହାଯ୍ୟରେ ସମ୍ଭବ ହେଲା ବୋଲି କେତେକ ଐତିହାସିକ ବିଶ୍ୱାସ କରନ୍ତି।

ଓଡ଼ିଶା ଇତିହାସର ଭୌମରାଜା ଉନ୍ମତସିଂହ ଶିବକରଦେବ, ଖ୍ରୀ.ଅ. ୭୩୬ରେ ‘କଙ୍ଗୋଦ’ ଆକ୍ରମଣ କରି ତାହାର ରାଜଧାନୀକୁ ବୋଧହୁଏ ଧ୍ବଂସ କରିଦେଇଥିଲେ। ତା’ଛଡ଼ା, ଭୌମରାଜା ମଧ୍ୟ କଳିଙ୍ଗ ଆକ୍ରମଣ କରି ଜୟଯୁକ୍ତ ହୋଇଥିଲେ। ଏହି ଦୁଇଟି ରାଜ୍ୟର ରାଜଧାନୀ ନିକଟରେ ସେକାଳର ଦୁଇଟି ପ୍ରସିଦ୍ଧ ବନ୍ଦର ରହିଥିଲା। ଅର୍ଥାତ୍ ‘କଙ୍ଗୋଦର’ ରାଜଧାନୀ ‘ବଙ୍କାଡଗଡ଼’ ନିକଟରେ ‘ଛତ୍ରଗଡ଼’ (ଚେଲିଟାଲୋଚିଙ୍ଗ) ଓ ‘କଳିଙ୍ଗ’ର ରାଜଧାନୀ ‘କଳିଙ୍ଗନଗର’ ନିକଟରେ ‘କଳିଙ୍ଗପତ୍ତନ’ ଥିଲା। ଏହିସବୁ ରାଜ୍ୟରୁ ବହୁସଂଖ୍ୟକ ରାଜକର୍ମଚାରୀ, ସୈନିକ, ବଣିକ, ଶିଳ୍ପଶାସ୍ତ୍ରରେ ପଣ୍ଡିତ ଓ ସାଧାରଣ ଶିଳ୍ପୀମାନେ ଏହି ବନ୍ଦର ଯୋଗେ, ସହଜରେ ନିଜ ଭାଗ୍ୟ ଅନ୍ୱେଷଣରେ, ଜାଭାଦ୍ୱୀପକୁ ଯାଇଥିବେ ଓ ତତ୍କାଳୀନ ଶୈଳେନ୍ଦ୍ରରାଜା ସେମାନଙ୍କୁ ଉପଯୁକ୍ତ ପଦବୀରେ ନିଯୁକ୍ତ କରିଥିବେ।

ଶୈଳେନ୍ଦ୍ରମାନଙ୍କର ଶ୍ରୀବିଜୟ ସାମ୍ରାଜ୍ୟ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିଥିଲେ ସୁଦ୍ଧା, ଭ୍ରାତୃବିବାଦ ଯୋଗୁଁ, ପ୍ରାୟ ଖ୍ରୀ.ଅ. ୮୫୬ ପରେ, ଶୈଳେନ୍ଦ୍ରଙ୍କର ତତ୍କାଳୀନ ଦାୟାଦ, ବାଳପୁତ୍ରଦେବଙ୍କୁ ‘ଜାଭା’ ପରିତ୍ୟାଗ କରି, ‘ସୁମାତ୍ରା’ ଦ୍ୱୀପର ‘ଶ୍ରୀବିଜୟ’କୁ ଯିବାକୁ ପଡ଼ିଥିଲା। ଏହାପରେ ‘ଜାଭା’ ଆଉ ଶୈଳେନ୍ଦ୍ର ମହାରାଜାଙ୍କ ଅଧୀନରେ ରହିଲା ନାହିଁ। ଫଳରେ, ସେଠାରେ ପୁଣି ଶୈବହିନ୍ଦୁଧର୍ମର ଗୁରୁତ୍ୱ ବୃଦ୍ଧି ପାଇଲା ଓ ‘ମାତରମ’ (Mataram) ରାଜ୍ୟର ସୃଷ୍ଟି ହୋଇ ବିଶାଳ ‘ପ୍ରମ୍ବାନନ’ ଶିବମନ୍ଦିର ନିର୍ମିତ ହେଲା। ଏହାପରେ, କଳିଙ୍ଗର ବ୍ୟବସାୟ ବାଣିଜ୍ୟ ନିଶ୍ଚିତଭାବେ ଜାଭାଦ୍ୱୀପ ସହ ଚାଲିଥିଲା ଓ ପ୍ରସିଦ୍ଧ ରାଜା ଆଇରଲାଙ୍ଗା (Airlanga)ଙ୍କ ରାଜତ୍ୱ (୧୦୧୬-୪୯) ସମୟର ଏକ ଅଭିଲେଖରେ, ବାଣିଜ୍ୟିକ ସମ୍ପର୍କ ଥିବା ଦେଶମାନଙ୍କ ତାଲିକାରେ, କଳିଙ୍ଗର ନାମ ପ୍ରଥମେ ରହିଛି। ପରବର୍ତ୍ତୀ କାଳରେ, ଏହି ବାଣିଜ୍ୟ ବ୍ୟାପାରରେ କିଛି ଉଲ୍ଲେଖ ନଥିଲେ ସୁଦ୍ଧା, ଏହା ବୋଧହୁଏ ପଞ୍ଚଦଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଅଳ୍ପ ବହୁତ ଚାଲୁଥିଲା। ଷୋଡଶ ଶତାବ୍ଦୀର ଆରମ୍ଭରେ, ମୁସଲମାନ ଆକ୍ରମଣରୁ ରକ୍ଷା ପାଇବା ପାଇଁ, ସେତେବେଳେ ଜାଭାଦ୍ବୀପରେ ରାଜତ୍ବ କରୁଥିବା ‘ମାଜାପହିତ’ (Majapahit) ରାଜ୍ୟର ହିନ୍ଦୁରାଜା, ସପରିବାରେ, ନିଜର ପାରିଷଦ ଓ ଅନୁଚରମାନଙ୍କୁ  ଧରି, ବାଲିଦ୍ୱୀପରେ ଆଶ୍ରୟ ନେଇଥିଲେ ଓ ଅଳ୍ପକାଳ ମଧ୍ୟରେ ହିନ୍ଦୁ ଧର୍ମ ଲାଭାଦ୍ବୀପରୁ ଲୋପପାଇଗଲା।

ସଭ୍ୟତା, ସଂସ୍କୃତି ଓ କଳା ଦୃଷ୍ଟିରୁ ଆଜି ଜାଭା ଦ୍ୱୀପର ପ୍ରସିଦ୍ଧି କେବଳ ଦକ୍ଷିଣ- ପୂର୍ବ ଏସିଆରେ ସୀମାବଦ୍ଧ ନରହି, ସମଗ୍ର ପୃଥିବୀ ବ୍ୟାପିଯାଇଛି। ପ୍ରମ୍ବାନନ ଓ ବୋରବୁଦୂରର କୀର୍ତ୍ତି ଆଜି ସମଗ୍ର ମାନବଜାତିର ଅତୁଳନୀୟ ସମ୍ପତ୍ତି ହୋଇପାରିଛି। ଏ ସମସ୍ତର ମୂଳରେ ଯେ ଦିନେ ଆମ କଳିଙ୍ଗ ରାଜ୍ୟର ଅବଦାନ ଥିଲା, ଏ କଥା ଦକ୍ଷିଣପୂର୍ବ ଏସିଆର ଇତିହାସ ଗବେଷଣାରେ ପ୍ରସିଦ୍ଧିଲାଭ କରିଥିବା ଜି. ସିଡେସ୍‌ (G. Coedes)ଙ୍କ ନିମ୍ନୋକ୍ତ ଉକ୍ତିରୁ ସହଜରେ ବୁଝିହେବ –

“Java began to enter in to histoty with appearance of a state called Ho-ling in the Chinese Histories.”

ଆଜି ବାଲିଦ୍ବୀପରେ ହିନ୍ଦୁଧର୍ମ ଓ ସଂସ୍କୃତି ବଳବତ୍ତର ରହିଛି। ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ, ‘ମାଜାପହିତ’ର ରାଜା ଏହି ଦ୍ୱୀପରେ ଆଶ୍ରୟ ନେବା ପରେ, ଏହି ଦ୍ୱୀପର ଅଧିବାସୀଙ୍କ ସଂସ୍କୃତି ଓ କଳାର ଯଥେଷ୍ଟ ଅଭିବୃଦ୍ଧି ହୋଇଥିଲେ ମଧ୍ୟ, ଷୋଡ଼ଶ ଶତାବ୍ଦୀର ବହୁପୂର୍ବରୁ ଏଠାରେ ଯେ ଧର୍ମ, କଳା ଓ ସଂସ୍କୃତି ବିକାଶଲାଭ କରିଥିଲା, ଏଥିରେ ଆଦୌ ସନ୍ଦେହ ନାହିଁ। ବାଲିଦ୍ୱୀପରୁ ମିଳିଥିବା ପ୍ରାଚୀନତମ ଅଭିଲେଖ ଖ୍ରୀ.ଅ. ନବମଶତାବ୍ଦୀର ବୋଲି ଜଣାଯାଇଛି। ଏଥିରେ ବାଲିର ଭାଷା ସହିତ ସଂସ୍କୃତ ଭାଷା ମିଶିଥିବାର ମଧ୍ୟ ଲକ୍ଷ୍ୟ କରାଯାଏ। ଶିବ, ଦୁର୍ଗା, ବିଷ୍ଣୁ, ସୂର୍ଯ୍ୟ ଓ ଗଣେଶଙ୍କର ପୂଜା ବାଲିଦ୍ୱୀପରେ ବହୁ କାଳରୁ ପ୍ରଚଳିତ। ଏହି ସୁଦୂର କ୍ଷୁଦ୍ରଦ୍ୱୀପର ଅଧିବାସୀମାନଙ୍କ ଜୀବନଯାତ୍ରା ପ୍ରଣାଳୀ, ଧର୍ମ, ସଂସ୍କୃତି ଓ କଳା ଆମ ଓଡ଼ିଶାର ଏତେ ବେଶୀ ନିକଟବର୍ତ୍ତୀ ଯେ, ତା’ର ତୁଳନାରେ, ଏ ଦେଶରେ ଆମର ନିକଟତମ ରାଜ୍ୟ ହିଁ ପଛକୁ ରହିଯିବ। ଏହି ଲେଖକ ଅତୀତରେ ଥରେ ଇଣ୍ଡୋନେସିଆର ଜାଭା ଓ ବାଲିଦ୍ୱୀପରେ କିଛିଦିନ କଟାଇବାର ସୁବିଧା ପାଇଥିଲା। ତେଣୁ ସେ ବ୍ୟାପାରରେ କେତେକ ପ୍ରତ୍ୟକ୍ଷ ଅନୁଭୂତି ଏଠାରେ ଉଲ୍ଲେଖ କରିବା ବୋଧହୁଏ ଅପ୍ରାସଙ୍ଗିକ ହେବ ନାହିଁ। ବାଲିଦ୍ୱୀପରେ ଥିବା ହିନ୍ଦୁ ପରିବାରଗୁଡ଼ିକୁ କୌଣସି ଅତିଥି ଆସିଲେ ପ୍ରଥମେ ତାକୁ ଗୋଟିଏ ପାନପତ୍ର ଓ ଗୋଟିଏ ଗୁଆ ଦେଇ, ଅଭ୍ୟର୍ଥନା କରାଯାଏ। ବିବାହ ଇତ୍ୟାଦି ଶୁଭକାର୍ଯ୍ୟରେ କୌଣସି ବନ୍ଧୁକୁ ନିମନ୍ତ୍ରଣ କଲେ ମଧ୍ୟ ଏହିପରି ପାନ, ଗୁଆ ପଠାଯାଏ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଘରେ ଘରେ ଥିବା ‘ବଡ଼ବଡ଼ିଆ’ ଠାକୁରଙ୍କ ଭଳି, ବାଲିଦ୍ୱୀପରେ ପ୍ରତି ପରିବାର ପାଇଁ ଏକ ସ୍ୱତନ୍ତ୍ର ଦେବତା ଥାଆନ୍ତି। ବାଲି ଓ ସମସ୍ତ ଜାଭା ଅଞ୍ଚଳରେ, ବିବାହ ଉତ୍ସବରେ ହିନ୍ଦୁ ପରିବାରରେ, ବରକନ୍ୟାଙ୍କୁ ଠିକ୍‌ ଆମ ଓଡ଼ିଶାଭଳି ମୁକୁଟ ପିନ୍ଧିବାକୁ ପଡ଼େ। ଏହି ମୁକୁଟଗୁଡ଼ିକ ପ୍ରାୟ ଆମ ଓଡ଼ିଶାରେ ବର୍ତ୍ତମାନ ବ୍ୟବହାର କରାଯାଉଥିବା ମୁକୁଟଭଳି, ସୋଲ ଓ ଜରିରେ ତିଆରି। ଏହା ବ୍ୟତୀତ ବାଲି ଓ ଜାଭାଦ୍ୱୀପର ନୃତ୍ୟ, ଗୀତ, ବାଦ୍ୟ, ସ୍ଥାପତ୍ୟ ଓ ଚିତ୍ରକଳାରେ ମଧ୍ୟ ଓଡ଼ିଶାର ଅନେକ ଉପାଦାନ ଦେଖିବାକୁ ମିଳେ। ଓଡ଼ିଶାରେ ପ୍ରଚଳିତ ଚଇତି ଘୋଡ଼ାନାଚ, ଦଣ୍ଡନାଚ, ପାଇକନାଚ ଇତ୍ୟାଦି ଲୋକନୃତ୍ୟ ଓ କଣ୍ଢେଇ ନାଚ ମଧ୍ୟ, ଟିକିଏ ଭିନ୍ନ ରୂପରେ, ସେ ଦେଶରେ ବିଭିନ୍ନ ସ୍ଥାନରେ ଦେଖାଯାଏ। ଆଜକୁ ପ୍ରାୟ ୫୦/୬୦ ବର୍ଷତଳେ, ଆମ ଓଡ଼ିଶାର ଗାଁ ଗହଳରେ ସ୍ତ୍ରୀଲୋକମାନେ ପିନ୍ଧୁଥିବା ରସଖଡ଼ୁ ଓ ରୂପା ଗହଣାର ଅନୁରୂପ ଅଳଙ୍କାର, ସେ ଦେଶର ଗାଁ ଗହଳର ଲୋକେ ଏକଦା ବ୍ୟବହାର କରୁଥିଲେ। ଆମ ଓଡ଼ଶୀ ଶାଢ଼ି, ଗାମୁଛା, ଚଦର ଓ ପାଟ ଇତ୍ୟାଦିରେ ଥିବା ବୟନ ପରିପାଟୀ (Design)ର ଖୁବ୍‌ ନିକଟବର୍ତ୍ତୀ ଚିତ୍ର ବା ଡିଜାଇନ୍, ସେ ଦେଶର ଗାଁ ଗହଳରେ ତିଆରି ଲୁଗାପଟାରେ ଦେଖାଯାଇଥାଏ। ଏହାଛଡ଼ା, ଠିକ୍ ଆମ ଓଡ଼ିଶାର ଚିତ୍ରିତ ପୁରୁଣା ତାଳପତ୍ର ପୋଥି ଭଳି, ଜାଭା ଓ ବାଲିଦ୍ୱୀପର ଗାଁ ଗହଳରେ ଅନେକ ତାଳପତ୍ର ପୋଥି ଦେଖିବାକୁ ମିଳେ। ଏହି ପୋଥିରେ ବାଲିଦ୍ୱୀପର ସ୍ଥାନୀୟ ଭାଷାରେ ଲେଖନୀରେ ଲେଖାଯାଇଥାଏ ଓ ରାମାୟଣର ବିଶେଷ ଘଟଣାମାନଙ୍କର ଚିତ୍ର ମଧ୍ୟ ଦିଆଯାଇଥାଏ। କିନ୍ତୁ ଏ ସମସ୍ତ ସତ୍ତ୍ୱେ, ସେହି ଦେଶ ତଥା ବାଲିଦ୍ୱୀପର ଧର୍ମ ଓ ସଂସ୍କୃତିରେ ଅନେକ ସ୍ବତନ୍ତ୍ରତା ରହିଛି। ସେହି ଦ୍ୱୀପର ମାଟିରେ, ଯେପରି ଏ ଦେଶର ଆମ୍ବଗଛ, ପଣସଗଛ ଓ ବରଗଛ, ଆଜି କେତେକାଂଶରେ ଭିନ୍ନ ରୂପ ଗ୍ରହଣ କରିଛି, ଠିକ୍‌ ସେହିପରି ଧର୍ମ ଓ ସଂସ୍କୃତି ମଧ୍ୟ ବିଗତ ଦୁଇ ହଜାର ବର୍ଷକାଳ ସ୍ୱାଧୀନ ଓ ନିରଙ୍କୁଶ ଭାବରେ ବଢ଼ି, ଅନେକ ସ୍ୱତନ୍ତ୍ରତା ହାସଲ କରିଛି। ଯଦି କେହି ଅନ୍ୟଦେଶର ଲୋକ, ଓଡ଼ିଶାର ଆଜିର ସାମାଜିକ ରୀତିନୀତି ଓ ସଂସ୍କୃତି ସହ ଏହି ଜାଭା ଓ ବାଲିଦ୍ୱୀପର ଅଧିବାସୀଙ୍କର ଚାଲିଚଳଣ ଓ ସଂସ୍କୃତିକୁ ଲକ୍ଷ୍ୟ କଲେ, ତେବେ ସେ ନିଶ୍ଚିତ ଭାବେ କହିବ ଯେ, ଏ ଉଭୟଙ୍କର ଉତ୍ସ କେବଳ ଗୋଟିଏ ଓ ତାହାହିଁ ପ୍ରାଚୀନ ଭୂମି ‘କଳିଙ୍ଗ’।

(ଆଶୁତୋଷ ପ୍ରସାଦ ପଟ୍ଟନାୟକ (୧୯୩୩-୨୦୧୭) ଜଣେ ପରିଚିତ ଓଡ଼ିଆ ଲେଖକ, କବି, ସଂସ୍କୃତି ଗବେଷକ ଏବଂ ଐତିହାସିକ। ପ୍ରାଚୀନ କଳିଙ୍ଗ ଏବଂ ଆଧୁନିକ ଓଡ଼ିଶାର ସାଂସ୍କୃତିକ ଇତିହାସ ବିଷୟରେ ଗବେଷଣା ଓ ରଚନା ଲାଗି ସେ ସ୍ମରଣୀୟ ରହିବେ। ଦକ୍ଷିଣପୂର୍ବ ଏସିଆ ସହିତ କଳିଙ୍ଗର ନୌବାଣିଜ୍ୟ ଓ  ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ତାଙ୍କର ପୁସ୍ତକ “The Early voyasers of tast” ଏକ ଉଲ୍ଲେଖନୀୟ  ସୃଷ୍ଟି। ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଲେଖକଙ୍କର ଗବେଷଣା ଓ ରଚନାତ୍ମକ କାମ ସ୍ମରଣୀୟ -ସମ୍ପାଦକ, ଓଡ଼ିଶାଲାଇଭ୍)

(ସୌଜନ୍ୟ: ନିର୍ବାଚିତ ରଚନା)

Comment