ଆଶୁତୋଷ ପ୍ରସାଦ ପଟ୍ଟନାୟକ

ଆଜିର ଥାଇଲାଣ୍ଡ (ଅତୀତରେ ‘ସିଆମ୍’ ରୂପେ ପରିଚିତ) ସହ ଦିନେ କଳିଙ୍ଗ ସଭ୍ୟତାର ଥିଲା ଅତୁଟ ସମ୍ପର୍କ, କିପରି ଜାଣନ୍ତୁ।

‘ଥାଇଲାଣ୍ଡ୍’ ବା ‘ଥାଇ’ମାନଙ୍କର ଦେଶ, ପ୍ରାୟ ଆଧୁନିକଯୁଗ ପର୍ଯ୍ୟନ୍ତ ‘ସିଆମ୍’ ରୂପେ ପରିଚିତ ଥିଲା। ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ‘ଥାଇ’ମାନେ ଏହି ଦେଶ ଉପରେ କର୍ତ୍ତୃତ୍ୱ ବିସ୍ତାର କରିଥିଲେ। ଥାଇମାନଙ୍କ ପୂର୍ବରୁ ୩୦୦ ବର୍ଷ କାଳ, ଏହି ଅଞ୍ଚଳ, ହିନ୍ଦୁଦେଶ ‘କାମ୍ବୁଜ’ ଅଧୀନରେ ରହିଥିଲା। ତାହା ପୂର୍ବରୁ ଏହା ‘ମନ’ମାନଙ୍କର ଅଧିକାରଭୁକ୍ତ ହୋଇଥିଲା ଓ ସପ୍ତମ ଶତାବ୍ଦୀରେ ଏଠାରେ ସେମାନଙ୍କର ‘ଦ୍ୱାରାବତୀ’ ରାଜ୍ୟ ଗଢ଼ି ଉଠିଥିଲା। ଏହି ରାଜ୍ୟର କ୍ଷମତା ଓ ସୀମା ଉତ୍ତର ଦିଗକୁ ବ୍ୟାପି, ହରିପୁଞ୍ଜୟ’ ନାମକ ଆହୁରି ଏକ ମନ ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବୋଧହୁଏ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ, ଏହି ଅଞ୍ଚଳରେ ଥିବା ‘ଫୁନାନ’ ରାଜ୍ୟର ପତନ ପରେ, ‘ମନ୍‌’ମାନେ ବ୍ରହ୍ମଦେଶରୁ ଆସି କ୍ରମେ କ୍ରମେ ଶକ୍ତିଶାଳୀ ହୋଇ ରାଜ୍ୟ ଗଠନ କରିଥିଲେ। ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରୁ ଜଣାଯାଏ ଯେ ‘ଟୋ-ଲୋ-ପୋ-ଟି” (ଦ୍ୱାରାବତୀ) ନାମକ ରାଜ୍ୟ, ସପ୍ତମ ଶତାବ୍ଦୀର ମଧ୍ୟଭାଗରେ, ପଶ୍ଚିମରେ ଶ୍ରୀକ୍ଷେତ୍ର (ବ୍ରହ୍ମଦେଶ)ଠାରୁ ପୂର୍ବରେ ଇଶାନ୍‌ପୁର (କାମ୍ବୋଡ଼ିଆ) ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା। ଏହି ‘ଟୋଲୋପୋଟି’ ବା ‘ଦ୍ୱାରାବତୀ’ ରାଜ୍ୟର ରାଜଧାନୀର ନାମ ମଧ୍ୟ ‘ଦ୍ୱାରାବତୀ ନଗରୀ’ ରହିଥିଲା। ସେ ଦେଶର ଐତିହାସିକମାନେ ତାହାକୁ, ତାଙ୍କ ଦେଶର ଏକ ପ୍ରାଚୀନ ରାଜଧାନୀ ରୂପେ ଗ୍ରହଣ କରନ୍ତି। ପରବର୍ତ୍ତୀ କାଳରେ, ଯେଉଁ ସ୍ଥାନରେ ଖ୍ରୀ.ଅ. ୧୩୫୦ରେ ରାଜଧାନୀ ‘ଅଯୋଧ୍ୟା’ (Ayuthaya) ଅବସ୍ଥାପିତ ହୋଇଥିଲା, ଏକଦା ସେହି ଅଞ୍ଚଳରେ ଏହି ‘ଦ୍ୱାରାବତୀ’ ନଗରୀ ଥିଲା ବୋଲି ପ୍ରମାଣ ମିଳୁଛି।

ଏହି ଦ୍ୱାରାବତୀ ନଗରୀ ବ୍ୟାପାରରେ ବିଶେଷ କିଛି ଜଣା ନ ପଡ଼ିଥିଲେ ମଧ୍ୟ, ‘ଫ୍ରା ପାଥମ’ (Phra Patham) ଓ ‘ଲୋପବୁରୀ’ (Lopburi) ଅଞ୍ଚଳରୁ ମିଳୁଥିବା ପ୍ରାଚୀନ ‘ମନ୍’ (Mon) ଭାଷାରେ ଲିଖିତ ଅଭିଲେଖରୁ ଏହାର ଅଧିବାସୀମାନେ ପ୍ରଧାନତଃ ‘ମନ୍’ ଥିଲେ ବୋଲି ଜଣାଯାଇଛି। ଏହା ବ୍ୟତୀତ ଏକ ଲୋକକଥାରୁ ଜଣାଯାଏ ଯେ, ଚମାଦେବୀ (Chammadevi) ନାମକ ରାଣୀଙ୍କ ନେତୃତ୍ୱରେ ଲୋପବୁରୀରୁ ଦଳେ ଅଧିବାସୀ ପଳାଇଆସି ‘ହରିପୁଞ୍ଜୟ’ (Haripunjaya) ନାମକ ନଗରୀ ସ୍ଥାପନ କରିଥିଲେ। ଏହି ରାଜବଂଶ ‘ହରିପୁଞ୍ଜୟ’ରେ ରାଜତ୍ୱ କରିଥିବାର ପ୍ରମାଣ ସ୍ୱରୂପ ‘ମନ୍’ ଭାଷାରେ ଲିଖିତ ଅନେକ ଶିଳାଲିପି ମଧ୍ୟ ମିଳିଛି। ବ୍ରହ୍ମଦେଶର ଇତିହାସରେ ଏଡି ମନ୍‌ମାନଙ୍କୁ କଳିଙ୍ଗରୁ ଆସିଥିବା ‘ତେଲାଙ୍ଗ’ମାନଙ୍କ ବଂଶଧର ରୂପେ ଗ୍ରହଣ କରାଯାଇଛି। ଏହି କଳିଙ୍ଗ ବଂଶଧରମାନେ ବର୍ମୀୟମାନଙ୍କର ଚାପରେ କ୍ରମେ କ୍ରମେ ଆସି ଶ୍ୟାମଦେଶରେ ବସତି ସ୍ଥାପନ କରିଛନ୍ତି ଓ ସେମାନଙ୍କ ଦ୍ୱାରା ‘ଦ୍ୱାରାବତୀ’ ରାଜ୍ୟ ଓ ‘ହରିପୁଞ୍ଜୟ’ ନଗର ପ୍ରତିଷ୍ଠିତ ହୋଇଛି। ଶ୍ୟାମର ପୋଙ୍ଗ୍‌ତୁକ୍‌ (PhongTuk)ଠାରେ ଭୂଗର୍ଭରୁ ମଳିଥିବା ବ୍ରୋଞ୍ଜ ନିର୍ମିତ ବୌଦ୍ଧମୂର୍ତ୍ତି ଓ ଚୈତ୍ୟର ଭଗ୍ନାବଶେଷ, ସେହି ଅଞ୍ଚଳରେ ପ୍ରଥମ କିମ୍ବା ଦ୍ୱିତୀୟ ଶତାବ୍ଦୀରେ, ଏକ ଭାରତୀୟ ଉପନିବେଶ ଗଢ଼ି ଉଠିଥିବାର ସୂଚନା ଦିଏ। ଏହି ଉପନିବେଶ, ଷଷ୍ଠ ଶତାବ୍ଦୀରେ, ‘ଦ୍ୱାରାବତୀ’ ରାଜ୍ୟର ଅନ୍ତର୍ଗତ ହୋଇଥିବା ଜଣାଯାଇଛି। କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ, ଶ୍ୟାମଦେଶରେ ଏହି ପ୍ରାଚୀନ ଉପନିବେଶ କେଉଁ ଭାରତୀୟମାନେ ଗଢ଼ିଥିଲେ, ତାହା ଏ ପର୍ଯ୍ୟନ୍ତ ଜଣାଯାଇନାହିଁ। ଏହା ସତ୍ତ୍ୱେ, ସେମାନଙ୍କର  କଳା ଓ ସ୍ଥାପତ୍ୟ ଉପରେ ଆଲୋଚନା କରି, ଅଧ୍ୟାପକ ନୀଳକଣ୍ଠ ଶାସ୍ତ୍ରୀ, ସେମାନଙ୍କୁ ଭାରତର ପୂର୍ବ ଉପକୂଳର ଅଧିବାସୀ ବୋଲି ମତପ୍ରକାଶ କରିଛନ୍ତି। ତେଣୁ ସେମାନେ କଳିଙ୍ଗର ଅଧିବାସୀ ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଏହାଛଡ଼ା ‘ସିଟେପ୍‌’ (Sitep) ବା ‘ଶ୍ରୀଦେବ’କୁ ମଧ୍ୟ ଶ୍ୟାମର ଏକ ପ୍ରାଚୀନ କ୍ଷେତ୍ର ମନେ କରାଯାଏ। ସମୁଦ୍ରଠାରୁ ଦୂରରେ, ଗଭୀର ଅରଣ୍ୟରେ, ‘ପେଚାବୁରୀ’ (ପ୍ରାଚୀପୁରୀ) ନିକଟର ଏହି ସ୍ଥାନରୁ, ଯକ୍ଷିଣୀ ମୂର୍ତ୍ତିର ଅଂଶ ଓ ଅନେକ ବିଷ୍ଣୁମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ଆବିଷ୍କୃତ ପ୍ରାଚୀନ ନଗରୀ ସହ ଦିନେ ଶ୍ରୀକ୍ଷେତ୍ର (ପୁରୀ)ରର ସମ୍ପର୍କ ଥିଲା ପରି ମନେହୁଏ। କିନ୍ତୁ, ଏ ବ୍ୟାପାରରେ ଗବେଷଣା ଆରମ୍ଭ ହୋଇନାହିଁ। ଏହି ଅଞ୍ଚଳ ଏକଦା ‘ଖେମର’ (Khmer) ଅଧିକାରଭୁକ୍ତ ଥିଲା। ସେ ଯାହା ହେଉ, କଳିଙ୍ଗ ସଭ୍ୟତାର ବାହକ, ଅର୍ଥାତ୍ ବ୍ରହ୍ମଦେଶର ‘ତେଲାଙ୍ଗ’ ବା ‘ମନ୍’ମାନେ ଯେ ଦିନେ ଶ୍ୟାମଦେଶରେ ପ୍ରଭାବଶାଳୀ ହୋଇ ସେଠାରେ ବୌଦ୍ଧ, ବ୍ରାହ୍ମଣ୍ୟ ଓ ହିନ୍ଦୁ ସଂସ୍କୃତିର ପ୍ରସାର କରିଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ।

 

 

ଚୀନ୍‌ର ମୋଗଲ ସମ୍ରାଟ କୁବ୍‌ଲା ଖାଁ ୧୨୫୩ ଖ୍ରୀଷ୍ଟାବ୍ଦରେ, ‘ୟୁନାନ୍’ ଅଞ୍ଚଳ ଆକ୍ରମଣ କରି, ସେଠାରୁ ‘ଥାଇ’ ଜାତିକୁ ତଡ଼ି ଦେଇଥିଲେ। ବିଭିନ୍ନ ଗୋଷ୍ଠୀର ‘ଥାଇ’ ଜାତି, କ୍ରମେ କ୍ରମେ ଭିନ୍ନ ଭିନ୍ନ ଦେଶକୁ ଯାଇ, ସେଠାରେ ବସତି ସ୍ଥାପନ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ‘ଥାଇ’ ଗୋଷ୍ଠୀ ଶ୍ୟାମ ଓ ଲାଓସ୍‌ ଯାଇ, କେତୋଟି ରାଜ୍ୟ ପ୍ରତିଷ୍ଠା କରିଥିଲେ। ଏହି ରାଜ୍ୟମାନଙ୍କ ମଧ୍ୟରୁ, କେତେକ ମଧ୍ୟଯୁଗର ଶେଷ ଭାଗରେ, ଶକ୍ତିଶାଳୀ ରାଜ୍ୟ ରୂପେ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ପ୍ରସିଦ୍ଧି ଲାଭ କରିଥିଲା। ଥାଇଲାଣ୍ଡରୁ ମିଳୁଥିବା କେତେକ ଅଭିଲେଖରୁ ଜଣାଯାଇଛି ଯେ, ତ୍ରୟୋଦଶ ଶତାବ୍ଦୀର ଶେଷଭାଗରେ, ‘ରାଜା ରାମ୍ କାମେ ହାୟେଙ୍ଗ’ ‘ସୁଖୋଥାଇ’ (ସୁଖୋଦୟ) ଅଞ୍ଚଳରେ ରାଜତ୍ୱ କରୁଥିଲେ। ତ୍ରୟୋଦଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ, ‘ହରିପୁଞ୍ଜୟ’ରେ ରାଜତ୍ୱ କରୁଥିବା ‘ମନ’ ରାଜାଙ୍କୁ ଏହି ‘ଥାଇ’ ଶକ୍ତି ହିଁ ପରାଜିତ କରି, ସେହି ଅଞ୍ଚଳକୁ ନିୟନ୍ତ୍ରଣାଧୀନ କରିଥିଲେ।

‘ସୁଖୋଥାଇ’ ରାଜବଂଶର ସମ୍ରାଟମାନେ ବୌଦ୍ଧଧର୍ମାବଲମ୍ବୀ ହେଲେ ମଧ୍ୟ ହିନ୍ଦୁଧର୍ମର ଆଦର୍ଶକୁ ଅନେକାଂଶରେ ଗ୍ରହଣ କରିଛନ୍ତି। ନିଜକୁ ରାମଙ୍କର ଅବତାର ବୋଲାଇବା, ରାମାୟଣ ରଚନା କରିବା ଓ ପରବର୍ତ୍ତୀ କାଳରେ ‘ମନ’ମାନଙ୍କର ପୁରାତନ ରାଜଧାନୀ ‘ଦ୍ୱାରାବତୀ’କୁ ନିଜର ରାଜଧାନୀ ଉଠାଇନେଇ, ତା’ର ନାମ ‘ଅଯୋଧ୍ୟା’ ଦେବା ଇତ୍ୟାଦି, ଥାଇ ନରପତିମାନଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କଲେ, ସେମାନଙ୍କ ଉପରେ ହିନ୍ଦୁଧର୍ମର ପ୍ରଭାବ ଯେ ଅଧିକ ଥିଲା, ତାହା ଅସ୍ୱୀକାର କରାଯାଇପାରିବ ନାହିଁ। ଐତିହାସିକ ସିଡେସ୍‌ (Coedes)ଙ୍କ ମତରେ, ସୁଖୋଥାଇର ନରପତିମାନେ ‘ମନ୍’ ଜାତି ଓ ବର୍ମୀୟମାନଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଥିଲେ। ଆଜି ଥାଇଲାଣ୍ଡର ସାମାଜିକ ରୀତିନୀତି ଓ ପର୍ବପର୍ବାଣିକୁ ଲକ୍ଷ୍ୟ କଲେ, କେତେ ଉତ୍କଳୀୟ ରୀତି ନିଶ୍ଚିତ ଭାବରେ ଦେଖିବାକୁ ମିଳେ। ଏଭଳି ପର୍ବପର୍ବାଣି ପାଳନ ସୁଖୋଥାଇର ରାଜବଂଶ ‘ମନ୍’ ମାନଙ୍କଠାରୁ ଶିଖିଥିଲେ କି ସିଧାସଳଖ ଉତ୍କଳରୁ ଗ୍ରହଣ କରିଥିଲେ, ସେ ବ୍ୟାପାରରେ, ଏ ପର୍ଯ୍ୟନ୍ତ କିଛି ଜଣାଯାଇନାହିଁ। ‘ଥାଇ’ ଇତିହାସ ବ୍ୟାପାରରେ ଆଲୋଚନା କରିଥିବା ଐତିହାସିକମାନେ ଏ ସମ୍ପର୍କରେ ଆଲୋକପାତ କରିନାହାନ୍ତି।

ଏହି ଲେଖକ, ଏକ ବିଶେଷ କାର୍ଯ୍ୟ ଉପଲକ୍ଷେ ୧୫ ବର୍ଷ ବ୍ୟବଧାନରେ ଦୁଇଥର ଥାଇଲାଣ୍ଡ୍‌ ଯିବାର ସୁବିଧା ପାଇଥିଲା। ଉତ୍କଳର ପର୍ବପାଳନ ରୀତି ସହିତ ପୂର୍ଣ୍ଣ ସାମଞ୍ଜସ୍ୟ ଥିବା, ସେ ଦେଶର ଦୁଇଟି ପ୍ରଧାନ ପର୍ବ ସମ୍ପର୍କରେ ନିମ୍ନୋକ୍ତ ରୂପେ ଅବଗତ ହୋଇଥିଲା।

(ଆଶୁତୋଷ ପ୍ରସାଦ ପଟ୍ଟନାୟକ (୧୯୩୩-୨୦୧୭) ଜଣେ ପରିଚିତ ଓଡ଼ିଆ ଲେଖକ, କବି, ସଂସ୍କୃତି ଗବେଷକ ଏବଂ ଐତିହାସିକ। ପ୍ରାଚୀନ କଳିଙ୍ଗ ଏବଂ ଆଧୁନିକ ଓଡ଼ିଶାର ସାଂସ୍କୃତିକ ଇତିହାସ ବିଷୟରେ ଗବେଷଣା ଓ ରଚନା ଲାଗି ସେ ସ୍ମରଣୀୟ ରହିବେ। ଦକ୍ଷିଣପୂର୍ବ ଏସିଆ ସହିତ କଳିଙ୍ଗର ନୌବାଣିଜ୍ୟ ଓ  ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ତାଙ୍କର ପୁସ୍ତକ “The Early voyasers of tast” ଏକ ଉଲ୍ଲେଖନୀୟ  ସୃଷ୍ଟି। ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଲେଖକଙ୍କର ଗବେଷଣା ଓ ରଚନାତ୍ମକ କାମ ସ୍ମରଣୀୟ – ସଂପାଦକ, ଓଡ଼ିଶାଲାଇଭ୍)

(ସୌଜନ୍ୟ: ନିର୍ବାଚିତ ରଚନା)

Comment