ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୪ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ଶୈବ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରିକୁ ଜାକଜମକରେ ପାଳନ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ମହାଦୀପ କେମିତି ନିର୍ଦ୍ଧାରିତ ସମୟରେ ଉଠିବ ତା’ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି ମନ୍ଦିର କର୍ତ୍ତୃପକ୍ଷ।

ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଥିବା ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମହାଶିବରାତ୍ରି ପୂର୍ବରୁ ପରିମଳ ବ୍ୟବସ୍ଥା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି।

ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶି ମିଶ୍ର, ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comment