ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ, ବିଜେପି ଏବଂ ବିଭିନ୍ନ ଆଞ୍ଚଳିକ ଦଳ ମଧ୍ୟରେ ହେବ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା।

୨୦୧୯ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ। ବିଭିନ୍ନ ନିର୍ବାଚନମଣ୍ଡଳୀରେ ଜମିଲାଣି ପ୍ରଚାର। କଂଗ୍ରେସ ଏବଂ ବିଜେପି ଭିତରେ ଏଥର କଡ଼ା ଟକ୍କର ହେବ ବୋଲି କୁହାଯାଉଥିଲେ ମଧ୍ୟ ବର୍ତ୍ତମାନର ରାଜନୀତି ପାଣିପାଗ କିଛି ଭିନ୍ନ କଥା କହୁଛି।

୫୪୩ଟି ଲୋକସଭା ଆସନ ମଧ୍ୟରୁ ୨୨୧ଟି ସିଟ୍‌ରେ ତ୍ରିମୁଖି ଲଢ଼େଇ ହେବ ବୋଲି ପୂର୍ବାନୁମାନ କରାଯାଉଛି। ବିଭିନ୍ନ ରାଜ୍ୟରେ ମୋଦି, ରାହୁଲ ଏବଂ ତୃତୀୟ ଶକ୍ତିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବ ବୋଲି ଏବେଠାରୁ ଚିତ୍ର ସ୍ପଷ୍ଟ ହେଉଛି।

ୟୁପିରେ ଜମିବ ଖେଳ

ଉତ୍ତର ପ୍ରଦେଶରେ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ରୋକିବା ପାଇଁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ଆସନ ବୁଝାମଣା ହୋଇଛି। ଏହାଛଡ଼ା ୮୦ଟି ଲୋକସଭା ଆସନକୁ ଅକ୍ତିଆର କରିବା ପାଇଁ ସପା-ବସପା ରାଷ୍ଟ୍ରୀୟ ଲୋକଦଳ ଏବଂ ନିଷାଦ ପାର୍ଟି ସହ ହାତ ମିଳାଇଛନ୍ତି। ଏପଟେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରିୟ ରାଜନୀତିକୁ ଆଣିବା ପରେ ‘ଅପ୍‌ନା ଦଳ’ ଏବଂ ‘ପିସ୍‌ ପାର୍ଟି’ ସହ ଆସନ ବୁଝାମଣା ପାଇଁ ଆଲୋଚନା ଚଳାଇଛି। ୟୁପିର ବର୍ତ୍ତମାନ ରାଜନୀତି ପାଣିପାଗ କହୁଛି ଆଗାମୀ ଦିନରେ ଏଠାରେ ତ୍ରିମୁଖି ଲଢ଼େଇ ହେବ।

mamtaପଶ୍ଚିମବଙ୍ଗରେ କଡ଼ା ଟକ୍କର

୨୦୧୯ ନିର୍ବାଚନରେ ପଶ୍ଚିମବଙ୍ଗ ଭୋଟର ଭିନ୍ନ ରାଜନୀତି ଦେଖିବାକୁ ପାଇବେ। କାରଣ ଏହି ରାଜ୍ୟରେ କୌଣସି ଦଳ କାହା ସହ ମେଣ୍ଟ କରି ନାହାନ୍ତି। ବିଜେପି, କଂଗ୍ରେସ, ଟିଏମ୍‌ସି ଏବଂ ବାମପନ୍ଥୀ ଦଳ ଏକାକୀ ନିର୍ବାଚନ ଲଢ଼ିବାର ଥିବାରୁ ଏଠି ଲଢ଼େଇ ଜୋର୍ ହେବ ବୋଲି ସ୍ପଷ୍ଟ ହୋଇଛି। ଟିଏମ୍‌ସି ପଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ବିଜେପି ଦ୍ୱିତୀୟ ବଡ଼ ଦଳ ଭାବେ ମଇଦାନକୁ ଓହ୍ଲାଇଛି।

କେରଳରେ ତ୍ରିମୁଖି

କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଏବଂ ଏଲଡିଏଫ୍ ମଧ୍ୟରେ ସବୁବେଳେ କଡ଼ା ଟକ୍କର ହୋଇଥାଏ। କିନ୍ତୁ ଏଥର ବିଜେପି ବଡ଼ ଶକ୍ତି ଭାବେ ଉଭା ହୋଇଛି। ଫଳରେ ଏହି ରାଜ୍ୟରେ ତ୍ରିମୁଖି ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି। ସାବରିମାଳା ଏବଂ ସଂଘ କର୍ମକର୍ତ୍ତାଙ୍କୁ ହତ୍ୟାକୁ ନେଇ ବିଜେପି ଏଠାରେ ସଂଘର୍ଷ କରୁଛି।

ଆନ୍ଧ୍ର ରାଜନୀତି ସରଗରମ

ଆନ୍ଧ୍ରପ୍ରଦେଶର ମୋଟ ୨୫ଟି ଲୋକସଭା ଆସନକୁ ନେଇ ବିଜେପି, କଂଗ୍ରେସ, ଟିଡିପି ଏବଂ ୱାଏସ୍‌ଆର୍ କଂଗ୍ରେସ ଭିତରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ଏହି ରାଜ୍ୟରେ ବର୍ତ୍ତମାନସୁଦ୍ଧା କୌଣସି ଦଳ କାହା ସହ ମେଣ୍ଟ କରି ନାହାନ୍ତି। କଂଗ୍ରେସ ଏବଂ ବିଜେପିର ସଙ୍ଗଠନ ଏହି ରାଜ୍ୟରେ ସୁଦୃଢ଼ ନହିଁ। ଟିଡିପି ଏବଂ ୱାଇଏସ୍‌ଆର୍ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ। କିନ୍ତୁ ବିଜେପି ଏବଂ କଂଗ୍ରେସ ଏହି ରାଜ୍ୟରେ ସ୍ଥିତି ଜାହିର କରିବାକୁ ଲଢ଼େଇ କରିବେ।

ଓଡ଼ିଶାରେ କଂଗ୍ରେସ-ବିଜେଡି-ବିଜେପି

୨୧ଟି ଲୋକସଭା ଆସନରେ କଂଗ୍ରେସ-ବିଜେଡି-ବିଜେପି ଭିତରେ କଡ଼ା ଟକ୍କର ହେବ। ଏହି ରାଜ୍ୟରେ କେହି କାହା ସହ ମେଣ୍ଟ କରି ନାହାନ୍ତି। ବିଜୁ ଜନତା ଦଳ ସହ କଂଗ୍ରେସ ଏବଂ ବିଜେପିର ମୁକାବିଲା ଜୋରଦାର ହେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମଦୂରତା କାର୍ଡ ଖେଳି ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ଦୂରତା ରଖିଛନ୍ତି।

ସେହିପରି ତେଲେଙ୍ଗାନାରେ କଂଗ୍ରେସ-ବିଜେଡି-ଟିଆର୍‌ଏସ୍‌ ଭିତରେ ଲଢ଼େଇ ହେବା ସ୍ପଷ୍ଟ ହୋଇଥିବା ବେଳେ ଦିଲ୍ଲୀରେ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟି ସହ ଲଢ଼େି କରିବେ ବିଜେପି ଏବଂ କଂଗ୍ରେସ।

Comment