ଓଡ଼ିଶାଲାଇଭ୍‌ ବ୍ୟୁରୋ

୬୦ ଘଣ୍ଟା ପରେ ଜନ୍ମମାଟି ଭାରତକୁ ଆସିଛନ୍ତି ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ। ୱାଘା ବର୍ଡର ଦେଇ ସେ ଭାରତରେ ପ୍ରବେଶ କରିଥିଲେ। ଅଟାରୀ ସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ ହଜାର ହଜାର ଭାରତୀୟ।

ବାଜା ବଜାଇ, ବାଣ ଫୁଟାଇ ଏବଂ ହିନ୍ଦୁସ୍ତାନ ଜିନ୍ଦାବାଦ ନାରା ଦେଇ ଅଭିନନ୍ଦନଙ୍କୁ ସ୍ୱାଗତ କରିଥିଲେ ଲୋକେ।

ଅଭିନନ୍ଦନ ଭାରତରେ ପ୍ରବେଶ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ବାୟୁସେନା ଅଧିକାରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଦି ଟୁଇଟ୍ କରି ଅଭିନନ୍ଦନଙ୍କୁ ‘ଅଭିନନ୍ଦନ’ ଜଣାଇଛନ୍ତି।

“ତୁମ ପାଇଁ ଆମ ଦେଶ ଆଜି ଗର୍ବିତ। ୧୩୦ କୋଟି ଭାରତୀୟଙ୍କ ପାଇଁ ଆମ ସେନା ବାହିନୀ ପ୍ରେରଣା ପାଲଟିଛନ୍ତି”, ଟୁଇଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଅଭିନନ୍ଦନଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ। ସେ ଭାରତ ଫେରିଥିବାରୁ ତାଙ୍କ ପାଇଁ ଦେଶବାସୀ ଉତ୍ସବ ମନାଉଛନ୍ତି।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍ କରି ‘ଜୟ ହିନ୍ଦ୍’ କହି ଅଭିନନ୍ଦନଙ୍କୁ ସ୍ୱାଗତ କରିଛନ୍ତି।

“ତୁମର ସାହସ ସମସ୍ତ ଭାରତୀୟଙ୍କ ମନରେ ଉତ୍ସାହ  ଭରିଛି। ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କୁ ଅଭିନନ୍ଦନ”, କହିଛନ୍ତି ରାହୁଲ ଗାନ୍ଧି।

LEAVE A REPLY

Please enter your comment!
Please enter your name here