ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ


ଢେଙ୍କାନାଳ ରାଜନୀତିରେ ଘଣ୍ଟାକେ ଘୋଡ଼ା ଛୁଟୁଛି। ସାଂସଦ ତଥାଗତ ସତପଥୀ ଲୋକସଭା ନିର୍ବାଚନରୁ ଓହରିଯିବା ପରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ଖୋଜିବା ବିଭିନ୍ନ ଦଳ ପାଇଁ କଷ୍ଟକର ହୋଇପଡ଼ିଛି।

ଇତି ମଧ୍ୟରେ ଢେଙ୍କାନାଳର ପ୍ରଭାବଶାଳୀ ନେତା ନବୀନ ନନ୍ଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓ ଏହି ସାକ୍ଷାତ ପରେ ଢେଙ୍କାନାଳ ବିଧାୟକ ପଦ ପାଇଁ ଆଉ ଜଣେ ସିଙ୍ଘ ଟେକିଛନ୍ତି। ବିଜେପିଠାରୁ କୌଣସି ନିର୍ଭର ପ୍ରତିଶ୍ରୁତି ନ ମିଳିବା ପରେ ନବୀନ ଏବେ କଂଗ୍ରେସ ମୁହାଁ ହୋଇଥିବା ଆଲୋଚନା ହେଉଛି।

ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଆଶା କରାଯାଉଥିଲା ନବୀନ ବି ତାଙ୍କ ପିଛା ଧରିବେ। କିନ୍ତୁ କିଛି ରହସ୍ୟପୂର୍ଣ୍ଣ କାରଣ ପାଇଁ ବିଜେପି ନବୀନଙ୍କୁ ନେବାକୁ ଚାହୁଁନାହିଁ। ସମୟ ଗଡ଼ି ଯାଉଥିବାରୁ ଏଣେ ନବୀନ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବା ବେଳେ ତେଣେ କଂଗ୍ରେସ ଗୋଳିଆ ପାଣିରେ ମାଛ ଧରିବା ଆରମ୍ଭ କରିଦେଇଛି।

ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ନବୀନ ନନ୍ଦଙ୍କ ବେଶ୍ ଦବଦବା ରହିଛି। ସେ ଜଣେ ଭଲ ସଂଗଠକ ମଧ୍ୟ। ୨୦୧୪ରେ ବିଜେଡି ତାଙ୍କୁ ଟିକେଟ ନଦେବାରୁ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନଥିଲେ। ତେବେ ତଥାଗତଙ୍କୁ ସେ ପୂର୍ଣ୍ଣ ପ୍ରାଣରେ ସମର୍ଥନ ଜଣାଇଥିଲେ।

ନବୀନ ନନ୍ଦଙ୍କ ଯୋଗୁଁ ହିଁ ଗତ ନିର୍ବାଚନରେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ପ୍ରାୟ ୩୦ ହଜାର ଅଧିକ ଭୋଟ ପାଇଥିଲେ। କୃଷ୍ଣଚନ୍ଦ୍ର ପାତ୍ର ୨୦୧୪ରେ ୬୫ ହଜାର ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ମାତ୍ର ୩୨୯୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।

Comment