ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ପ୍ରଥମ ସାଂସଦ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାକୁ ଯଦି ଛାନ୍‌ଭିନ୍ କରାଯାଏ, ଗୋଟିଏ କଥା ସ୍ପଷ୍ଟ ହେବ ଯେ ଖୁବ୍ ସତର୍କତାର ସହ ଏହା ପ୍ରସ୍ତୁତ ହୋଇଛି।

ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ବ୍ରହ୍ମପୁର ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କୁ ହଟାଇ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସରୁ ଆସି ବିଜେଡିରେ ମିଶିବା ପରେ ଚନ୍ଦ୍ରଶେଖର ସାହୁ ପୁରସ୍କାର ଅପେକ୍ଷାରେ ଥିଲେ। ସେ ଯେହେତୁ ପୂର୍ବରୁ ସାଂସଦ ରହିଆସିଛନ୍ତି ଓ ତାଙ୍କର ନିଜର କିଛି ଭୋଟ ଅଛି ଏହି ଆସନରୁ ତାଙ୍କ ପାଇଁ  ଜିତିବା କଷ୍ଟକର ହେବ ନାହିଁ। ବିଜେଡିର କବ୍‌ଜାରେ ଏବେ ବ୍ରହ୍ମପୁର ଆସନ ରହିଛି। ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହେବା ପରେ ସିଦ୍ଧାନ୍ତ ଏବେ ପୂରା ସମୟ ଫିଲ୍ମରେ ଦେଇପାରିବେ।

କଳାହାଣ୍ଡି ଆସନରୁ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଛଡ଼ା ଆହୁ କେହି ପ୍ରାର୍ଥୀ ନଥିଲେ। ପୂର୍ବ ସାଂସଦ ଅର୍କ କେଶରୀ ଦେଓ ଲୋକଙ୍କର ବିଶ୍ୱାସ ହରାଇଥିବା ବେଳେ ତାଙ୍କ ପତ୍ନୀ ମାଳବିକାଙ୍କୁ ଟିକେଟ ଦେଇ ନବୀନ ରିସ୍କ ନେବାକୁ ଚାହିଁଲେ ନାହିଁ। ମନେ ରଖିବାକୁ ହେବ ଯେ ଆଗରୁ ମନ୍ତ୍ରୀ ଥିବା ସତ୍ତ୍ୱେ ପୁଷ୍ପେନ୍ଦ୍ରଙ୍କ ପାଇଁ ଏହି ଆସନ ପାଇଁ ପ୍ରଚୁର ପରିଶ୍ରମ କରିବାକୁ ହେବ କାରଣ କଂଗ୍ରେସର ଭକ୍ତ ଚରଣ ଦାସ ଏଠାରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି।

କନ୍ଧମାଳ ଆସନ ପାଇଁ ରାଜ୍ୟସଭା ସାଂସଦ ଥିବା ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଯେହେତୁ ଅଚ୍ୟୁତଙ୍କ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରଭାବ ରହିଛି(ତାଙ୍କର ଆଦିବାସୀ ସ୍କୁଲ ଜରିଆରେ)ସେ ଏହି ଆସନରୁ ଜିତିବା ଏତେ କଷ୍ଟକର ହେବ ନାହିଁ। ଯଦି ସେ କନ୍ଧମାଳରୁ ବିଜୟୀ ହୁଅନ୍ତି ରାଜ୍ୟସଭା ସାଂସଦ ପଦ ଛାଡ଼ିବେ ଓ ଏଥିରେ ଅନ୍ୟ କାହାକୁ ଥଇଥାନ କରାଯିବ। ଠିକ୍ ସେହିଭଳି ବରଗଡ଼ ଆସନ। ପ୍ରସନ୍ନ ଆଚାର୍ଯ୍ୟଙ୍କ ଏଠାରୁ ଜିତିବା ସହଜ କାରଣ ପଶ୍ଚିମ ଓଡ଼ିଶାରୁ ନବୀନ ବିଧାନସଭା ପାଇଁ  ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଯଦି ପ୍ରସନ୍ନ ଲୋକସଭାକୁ ଯାଆନ୍ତି, ତାଙ୍କର ରାଜ୍ୟସଭା ଆସନରେ ଅନ୍ୟ କାହାକୁ ଥଇଥାନ କରାଯିବ। ଥଇଥାନ ହେବାକୁ ଥିବା ନେତାଙ୍କ ଭିତରେ ଅଛନ୍ତି ଏବେ ଏବେ ବିଜେଡିକୁ ଫେରିଥିବା ଦିଲୀପ ରାୟ।

ଆସିକା ଆସନ ପାଇଁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରାଯିବା ପଛରେ କାରଣ ହେଉଛି ସେ ସେଲ୍ଫ ହେଲ୍ଫ ଗ୍ରୁପ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ। ନବୀନଙ୍କ ୩୩ ପ୍ରତିଶତ ମହିଳା ସଂକ୍ଷଣର ପ୍ରମିଳା ହେଉଛନ୍ତି ପ୍ରଥମ ହିତାଧିକାରୀ। ଆସ୍କା ସବୁବେଳେ ବିଜେଡିର କବ୍‌ଜାରେ ରହିଆସିଛି। ଏଣୁ ପ୍ରମିଳା ଏଠାରୁ ଜିତିବା ପ୍ରାୟ ନିଶ୍ଚିତ।

ନବୀନଙ୍କ ତାଲିକାରେ ସବୁଠାରୁ ବେଶୀ ଲାଭବାନ ହୋଇଛନ୍ତି ସୁନିତା ବିଶ୍ୱାଳ। ଦଳରେ ଯୋଗ ଦେଉ ଦେଉ ତାଙ୍କୁ ଲୋକସଭା ପ୍ରାର୍ଥୀ କରିବା ଭିତରେ ନବୀନ ସୁନ୍ଦରଗଡ଼ ଆସନରେ ବାପା-ଝିଅ କାର୍ଡ଼ ଖେଳିଛନ୍ତି।ହେମାନନ୍ଦ ବିଶ୍ୱାଳଙ୍କ ଝିଅ ବ୍ୟତୀତ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ବି କିଛି ଭୋଟ ଅଛି। ତେବେ ବିଜେପିର ଜୁଏଲ ଓରାମ ଯଦି ପ୍ରାର୍ଥୀ ହୁଅନ୍ତି, ଏଠି ଜିତିବା ସୁନିତାଙ୍କ ପକ୍ଷରେ କଷ୍ଟକର ହେବ।

ନବରଙ୍ଗପୁର ଲୋକସଭା ଆସନ ପାଇଁ ମନ୍ତ୍ରୀ ରମେଶ ମାଝୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଗରୁ ଜଣାଥିଲା। ଏହି ଆସନଟିରେ ଲଢ଼େଇ ଜୋରଦାର ହେବ କାରଣ ଏଠୁ ତିନି ମାଝି ଠିଆ ହେବେ। ରମେଶ ମାଝିଙ୍କୁ ଟକ୍କର ଦେବେ କଂଗ୍ରେସର ପ୍ରଦୀପ ମାଝି ଓ ବିଜେପିର ବଳଭଦ୍ର ମାଝି। ଏହି ଆସନରୁ ଯିଏ ବି ଜିତନ୍ତୁ ଖୁବ୍ କମ ଭୋଟରେ ହିଁ ଜିତିବେ କାରଣ ତିନି ଜଣ ଯାକ ପ୍ରାର୍ଥୀ କେହି କାହାକୁ କମ ନୁହନ୍ତି।

କୋରାପୁଟ ଆସନରେ ବର୍ତ୍ତମାନ ସାଂସଦ ଥିବା ଝିନ୍ନ ହିକ୍‌କାଙ୍କ ପତ୍ନୀ କୌଶଲ୍ୟାଙ୍କୁ ପ୍ରାର୍ଥୀ କରାଯାଇଛି। ଯଦି ବିଜେପିରୁ ଗିରିଧର ଗମାଙ୍ଗ କିମ୍ବା ଜୟରାମ ପାଙ୍ଗି ପ୍ରାର୍ଥୀ ହୁଅନ୍ତି, କୌଶଲ୍ୟାଙ୍କ ଜିତିବା ସମ୍ଭବ ନୁହେଁ। ଏଠାରୁ କଂଗ୍ରେସର କିଏ ପ୍ରାର୍ଥୀ ହେବେ ତାହା ବି ଦେଖିବା କଥା।

ବଲାଙ୍ଗିର ଲୋକସଭା ଆସନ ପାଇଁ ବର୍ତ୍ତମାନ ସାଂସଦ ଥିବା କଳିକେଶ ସିଂହଦେଓଙ୍କ ଦେହରେ ହାତ ବାଜିବ ନାହିଁ ଏକଥା ପୂର୍ବରୁ ଜଣାଥିଲା। ମୋଟାମୋଟି କହିବାକୁ ଗଲେ ନବୀନଙ୍କ ପ୍ରଥମ ସାଂସଦ ପ୍ରାର୍ଥୀ ତାଲିକା ଏକ ମାଷ୍ଟର ଷ୍ଟ୍ରୋକ। ଯଦି ବିରୋଧୀ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ଜିତିବାକୁ ହେବ ସେମାନଙ୍କୁ ଦିନରାତି ଗୋଟିଏ କରିବାକୁ ପଡ଼ିବ।

Comment