ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଣ୍ଡରେ ଲାଗିଥିଲା ସିନ୍ଦୂର ତିଳକ। ହାତ ଯୋଡ଼ି ହସ ହସ ମୁହଁରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରବେଶ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଚିତ୍ର ହେଉଛି ପ୍ରାର୍ଥିପତ୍ର ଦାଖଲ ସମୟର। ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରି ନବୀନ ରାଜନୀତିକୁ ଉଷ୍ମ କରିଛନ୍ତି।

କେମିତି ଥିଲା ଛତ୍ରପୁର ଉପ-ଜିଲ୍ଲାପାଳ ଅଫିସ ବାହାରର ଚିତ୍ର?

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନବୀନ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବା ମା’ ତାରାତାରିଣୀଙ୍କ ଦର୍ଶନ କରିଥିଲେ। ମା’ଙ୍କ ପାଖରେ ପୂଜାର୍ଚ୍ଚନା କରି ମୁଣ୍ଡରେ ସିନ୍ଦୂର ତିଳକ ଲଗାଇ ଛତ୍ରପୁର ଉପ-ଜିଲ୍ଲାପାଳ ଅଭିମୁଖେ ଆସିଥିଲେ।

ପ୍ରାର୍ଥିପତ୍ର ଦାଖଲ ପାଇଁ ଛତ୍ରପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସମସ୍ତେ ଅପେକ୍ଷା କରି ରହିଥିଲେ ନବୀନଙ୍କୁ। ନବୀନ ଉପ-ଜିଲ୍ଲାପାଳ ଅଫିସ ପାଖରେ ପହଞ୍ଚିବା ପରେ ଶହ ଶହ ସମର୍ଥକ ତାଙ୍କୁ ପାଛୋଟି ନେଇଥିଲେ। ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ପରିବେଶ ଉଛୁଳି ପଡ଼ିଥିଲା।

ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରଶାସନ ସଜାଗ ରହିଥିଲା। ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଛତ୍ରପୁରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ଉପ-ଜିଲ୍ଲାପାଳଙ୍କ ଅଫିସର ସମସ୍ତ କର୍ମଚାରୀ ନବୀନଙ୍କୁ ଅପେକ୍ଷା କରି ରହିଥିଲେ। ସମର୍ଥକଙ୍କ ଗହଣରେ ନବୀନ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହିଞ୍ଜିଳି ନିର୍ବାଚନମଣ୍ଡଳୀ ପାଇଁ ନବୀନ ପଞ୍ଚମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

‘‘ହିଞ୍ଜିନି ନିର୍ବାଚନମଣ୍ଡଳୀ ପାଇଁ ମୁଁ ଆଜି ପ୍ରାର୍ଥିକପତ୍ର ଦାଖଲ କରିଛି। ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛି’’, କହିଛନ୍ତି ନବୀନ ପଟ୍ଟନାୟକ।

ପାଖରେ ଥିଲେ ବରିଷ୍ଠ ନେତା

ନବୀନ ଆଜି ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିବା ବେଳେ ଲୋକାରଣ୍ୟ ହୋଇଯାଇଥିଲା ଛତ୍ରପୁର। ବିଜେଡି ବ୍ୟାନର ଏବଂ ଦଳୀୟ ପତାକା ଚାରିଆଡ଼େ ଛାଇ ଯାଇଥିଲା। ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ବ୍ରହ୍ମପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଖଚାଖଚ ଭିଡ଼ ଭିତରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳି ନଥିଲା।

Comment