ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(ନୟାଗଡ଼ରୁ ଜିତେନ୍ଦ୍ର ସାହୁ) : ୨୦୦୪ରୁ ନୟାଗଡ଼ ବିଧାନସଭା ଆସନରୁ ଲଗାତାର ଜିତିଆସୁଛନ୍ତି ଅରୁଣ କୁମାର ସାହୁ। ପାୱାର କରିଡରରେ ଦବଦବା ଯୋଗୁଁ ପଞ୍ଚାୟତିରାଜ, ଶକ୍ତି, ଆଇନ, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ସେ। ୨୦୧୯ ନିର୍ବାଚନରେ ତାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

ଗତ ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରାର୍ଥୀ ଲାଲା ମନୋଜ ରାୟଙ୍କୁ ୨୦, ୯୦୭ ଖଣ୍ଡ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜନୈତିକ ଗୋଟି ଚାଳନାରେ ମାହିର ଶ୍ରୀ ସାହୁଙ୍କୁ ହରାଇବା ବିରୋଧୀଙ୍କ ପକ୍ଷେ କଷ୍ଟକର ବ୍ୟାପାର ନିଶ୍ଚୟ। ଭାଗବତ ବେହେରାଙ୍କ ପରେ ନୟାଗଡ଼ରୁ ସର୍ବାଧିକ ଥର ପ୍ରତିନିଧିତ୍ୱ କରି ରେକଡ୍ ଲକ୍ଷ୍ୟରେ ଅଛନ୍ତି ଅରୁଣ ସାହୁ। ସେପଟେ ଦୁର୍ବଳ ପ୍ରାର୍ଥୀ ଚୟନ ତଥା ଗୋଷ୍ଠୀ କନ୍ଦଳ ପାଇଁ ବିରୋଧୀ ଅରୁଣଙ୍କୁ ଚେକ୍‌ ଦେବାରେ ବିଫଳ ହେଉଥିବା ଚର୍ଚ୍ଚା ହେଉଛି।

ନିର୍ବାଚନମଣ୍ଡଳୀ ପରିସୀମା

ନୟାଗଡ଼ ପୌରପାଳିକା, ଓଡ଼ଗାଁ ଏନଏସି, ନୟାଗଡ଼ ବ୍ଲକର ୨୯ପଞ୍ଚାୟତ, ଓଡ଼ଗାଁର ୧୮ ପଞ୍ଚାୟତକୁ ନେଇ ନୟାଗଡ଼ ନିର୍ବାଚନମଣ୍ଡଳୀ ଗଠିତ। ସାଧାରଣ ବର୍ଗ ପାଇଁ  ସରଂକ୍ଷିତ ଏ ଆସନ ପୁରୀ ଲୋକସଭା କ୍ଷେତ୍ର ମଧ୍ୟରେ ଆସୁଛି। ନିର୍ବାଚନମଣ୍ଡଳୀରେ ସମୁଦାୟ ୨, ୧୮, ୮୧୨ ଜଣ ଭୋଟର ଆସନ୍ତା ୨୩ ଏପ୍ରିଲରେ ନିଜର ମତଦାନ କରିବେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ୫୨.୭୮ ପ୍ରତିଶତ ଭୋଟ ହାତେଇଥିଲା ବେଳେ, ୩୮.୦୨ ଓ ୫.୨୫ ପ୍ରତିଶତ ଭୋଟ ପାଇଥିଲେ କଂଗ୍ରେସ ଓ ବିଜେପି।

ଅରୁଣଙ୍କୁ ପୁଣି ଭରସା କରିପାରେ ବିଜେଡି

ନୟାଗଡ଼ରେ ବିଜେଡି ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି ବୋଲି କହିବାକୁ ହେବ। ତିନି ତିନି ଥରନିର୍ବାଚନ ଜିତି ଆସୁଥିବାରୁ ବିଧାୟକ ଅରୁଣ କୁମାର ସାହୁଙ୍କୁ ଦଳ ପୁଣି ଭରସା କରିପାରେ। ନୟାଗଡ଼କୁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୌରପାଳିକା ଘୋଷଣା ଓ ନୟାଗଡ଼ରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଅରୁଣ। କନ୍ଧମାଳ ସାଂସଦ ତଥା ନୟାଗଡ଼ ରାଣୀଙ୍କୁ ବିଜୁ ଜନତା ଦଳରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଗତ ୬ମାସ ହେଲା ନିର୍ବାଚନ ମଣ୍ଡଳୀରେ ତାଙ୍କ ପାଦ ପଡୁନାହିଁ। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ନିଜର ସ୍ଥିତି ଜାହିର କରିବା ଓ ବିଜୁ ଜନତା ଦଳକୁ କଡ଼ା ମୁକାବିଲା ଦେବା ବିଧାୟକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ବିଜେପି ଦେଇପାରେ ମହିଳା ପ୍ରାର୍ଥୀ

ଭାରତୀୟ ଜନତା ପାର୍ଟି ଗତ ପଞ୍ଚାୟତ ନିର୍ବାଚନରେ ନୟାଗଡ଼ରେ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ସହ ଅନେକ ପଞ୍ଚାୟତ ପ୍ରତିନିଧି ଜିତି ବିଜେଡିକୁ କଡ଼ା ଟକ୍କର ଦେଇଥିଲା। ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଲାଲା ମନୋଜ ରାୟ ଏବେ ବିଜେପିରେ ଅଛନ୍ତି। ଏଠାରୁ ସେ ନିଜର ପତ୍ନୀ ଇରାନି ରାୟଙ୍କୁ ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେହିପରି ଗତ ଥରର ପ୍ରାର୍ଥୀ ପ୍ରଦୀପ୍ତ ଜେନା, ଯୁବ ନେତା ସନ୍ତୋଷ ପ୍ରଧାନ, ସ୍ନେହ ରଞ୍ଜନ ଦାସଜୟସିଂଙ୍କୁ ଦଳ ନିଲମ୍ବନ କରିଥିବାରୁ ଦଳୀୟ ସଂଗଠନ ପ୍ରଭାବିତ ହୋଇଛି।  ଗତ ପଞ୍ଚାୟତ ନିର୍ବାଚନରେ ଏମାନେ ଦଳର ଭୋଟ ବ୍ୟାଙ୍କ ସଜାଡ଼ିଥିବା ବେଳେ ଦଳ ନିଲମ୍ବନ ପ୍ରତ୍ୟାହାର ନକଲେ ଇରାନି ରାୟଙ୍କ ପାଇଁ ରାସ୍ତା ସହଜ ହେବନି ବୋଲି କୁହାଯାଉଛି।

କଂଗ୍ରେସରେ ଟିକେଟ ଟେନସନ

ନୟାଗଡ଼ରେ କଂଗ୍ରେସ ସଂଗଠନ ଭୁଶୁଡି ପଡ଼ିଥିବା ବେଳେ ବର୍ଷେ ତଳେ ଦାୟିତ୍ୱ ନେଇଥିଲେ ଆଡଭୋକେଟ ରଣଜିତ ଦାସ। ଚିଟଫଣ୍ଡ ପ୍ରସଙ୍ଗରେ ବିଧାୟକଙ୍କୁ ସିବିଆଇ ନୋଟିସ, ନୟାଗଡ଼ ଚିନିକଳ ବନ୍ଦ, ନୟାଗଡ଼ରେ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପ୍ରସଙ୍ଗ ଆଦିକୁ ନେଇ କଂଗ୍ରେସ ଫ୍ରଣ୍ଟ ଫୁଟରେ ଖେଳୁଥିବା ବେଳେ ଦଳରେ ଟିକେଟ ଟେନସନ ନୂଆ ସମସ୍ୟା ଭାବେ ଛିଡ଼ା ହୋଇଛି।

ଗତ ଦୁଇଟି ନିର୍ବାଚନରେ କଂଗ୍ରେସରେ ଦୁର୍ବଳ ପ୍ରାର୍ଥୀ ଚୟନ ମହଙ୍ଗା ପଡିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା କଂଗ୍ରେସ ସଭାପତି ହେମେନ୍ଦ୍ର ନାରାୟଣ ସିଂ ବିଜେଡିରେ ଯୋଗ ଦେଇ କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହୋଇଥିଲେ।

ବର୍ତ୍ତମାନର ଜିଲ୍ଲା ସଭାପତି ରଣଜିତ ଦାସ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପୁଅ ମନୋଜ କୁମାର ସାହୁ କଂଗ୍ରେସ ଟିକେଟ ଲବିରେ ଅଛନ୍ତି। ତୃତୀୟ ପର୍ଯ୍ୟାୟରେ ଏଠାରେ ଆସନ୍ତା ଏପ୍ରିଲ ୨୩ରେ ନିର୍ବାଚନ ହେବାକୁ ଥିବାବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର।

Comment