ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ଭୁବନେଶ୍ୱରରେ ହେବ ପୂର୍ବତନ ପ୍ରଶାସକ ଲଢ଼େଇ
  • କେନ୍ଦ୍ରାପଡ଼ାରେ ସିଟ୍ ଜଗିବା ବୈଜୟନ୍ତଙ୍କ ପାଇଁ ଆହ୍ୱାନ
  • ବ୍ରହ୍ମପୁରରେ ଚନ୍ଦ୍ରଶେଖରଙ୍କୁ ଚାଲେଞ୍ଜ ଦେବେ ଭୃଗୁ
  • ୧୦ ଆସନରେ ୩ ମହିଳା
  • ଆସିକାରୁ ରାମକୃଷ୍ଣଙ୍କ ଝିଅ ଅନିତା
  • ସୁନ୍ଦରଗଡ଼ରୁ ପୁଣି ଜୁଏଲ

ବିଜେଡି ଏବଂ କଂଗ୍ରେସ ପରେ ବିଳମ୍ବରେ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ୧୦ଟି ଲୋକସଭା ଆସନରେ ବିଜେପି ୩ ମହିଳାଙ୍କୁ ରଖି ନବୀନଙ୍କୁ ଜବାବ ଦେଇଛି।

ଲୋକସଭା ପାଇଁ ନୂଆ ମୁହଁ ମଧ୍ୟରେ ଅଛନ୍ତି ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ଆସ୍କାରୁ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ। ସେହିପରି ପାରମ୍ପରିକ ଆସନ ଭାବେ ଜୁଏଲ ସୁନ୍ଦରଗଡ଼ରୁ ଲଢ଼ିବେ।

ଅନ୍ୟମାନଙ୍କ ମଧ୍ୟରେ  ପ୍ରତାପ ଷଡ଼ଙ୍ଗୀ ବାଲେଶ୍ବର, ଅନନ୍ତ ନାୟକ କେନ୍ଦୁଝର, ରୁଦ୍ର ନାରାୟଣ ପାଣି ଢେଙ୍କାନାଳ ଏବଂ ସଙ୍ଗୀତା ସିଂହଦେଓ ବଲାଙ୍ଗିରରୁ ମଇଦାନକୁ ଓହ୍ଲାଇବେ।

କିଛିଦିନ ତଳେ ବିଜେଡିରୁ ଆସି ପଦ୍ମ ଫୁଲ ଧରିଥିବା ଦୁଇ ହେଭିୱେଟ ନେତାଙ୍କୁ ତାଙ୍କ ପୁରୁଣା କ୍ଷେତ୍ର ପାଇଁ ଟିକେଟ ମିଳିଛି। ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଏବଂ ବଳଭଦ୍ର ମାଝି ନବରଙ୍ଗପୁରରୁ ଲଢ଼ିବା ପାର୍ଟ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଭୁବେଶ୍ୱରରେ ହେବ ପୂର୍ବତନ ପ୍ରଶାସକ ଲଢ଼େଇ

ବିଜେପି ମର୍ଯ୍ୟାଦାଜନକ ଆସନ ଭୁବନେଶ୍ୱର ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କୁ ବାଛିଛି। କିଛିମାସ ତଳେ ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ଦଳରେ ଯୋଗ ଦେବା ବେଳେ ଯେଉଁ ବିଷୟ ଆଲୋଚନା ହୋଇଥିଲା ତାହା ଆଜି ପ୍ରମାଣିତ ହୋଇଛି।

ବିଜେପିର ପ୍ରତିଦ୍ୱନ୍ଦୀ ବିଜେଡି ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ ବିଜେଡି ଯଦି ବାବାଙ୍କୁ କାଟି ବାବୁ ଅର୍ଥାତ୍ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦିଏ ତାହାଲେ ଆଇଏଏସ୍-ଆଇପିଏସ୍ ଲଢ଼େଇ ବେଶ୍ ରୋଚକ ହେବ।

ରାଜନୀତିରେ ନୂଆ ଅରୂପଙ୍କ ପାଇଁ ନବୀନ ଭରସା। ସେହିପରି ଅପରାଜିତା ମଧ୍ୟ ନିଜ ଶକ୍ତି ଅପେକ୍ଷା ଦଳର ପ୍ରଭାବ ଉପରେ ଅଧିକ ନିର୍ଭର କରିବେ। ତେଣୁ କିଏ କାହାକୁ ଜିତିବା ଏତେ ସହଜସାଧ୍ୟ ହେବ ନାହିଁ ବୋଲି ଅନୁମାନ କରାଯାଉଛି।

କେନ୍ଦ୍ରାପଡ଼ା ରଚିବ ଇତିହାସ

୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ରଚିବ ଇତିହାସ। କାରଣ ଏହି ଏହି ଆସନରୁ ଦୁଇ ଦୁଇ ଥର ଲୋକସଭା ଯାଇଥିବା ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ି ଆଜି ବିଜେପିରେ। ତାଙ୍କୁ ଦଳ ଟିକେଟ ଦେଇଛି। ବୈଜୟନ୍ତଙ୍କ ବିରୋଧରେ କିଏ ଶଙ୍ଖ ଫୁଙ୍କିବେ ତାହା ସ୍ପଷ୍ଟ ହୋଇନାହିଁ।

ବିଜେଡି ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ବିଜେଡି ପ୍ରାର୍ଥୀ ନାମ ଆସିବା ପରେ ଲଢ଼େଇ ସମ୍ପର୍କରେ ଅନୁମାନ କରାଯାଇ ପାରିବ।

ବୈଜୟନ୍ତଙ୍କ ପାଇଁ ଏଥର ବାସ୍ତବରେ ଶକ୍ତି ପ୍ରଦର୍ଶନ କରିବାର ସମୟ। କାରଣ ପୂର୍ବରୁ ଦୁଇ ଥର ସେ ନବୀନଙ୍କ ବ୍ରାଣ୍ଡରେ ଜିତି ଆସିଛନ୍ତି। ଏଥର ନୂଆ ଦଳକୁ ଯାଇ କିଭଳି ସ୍କୋର କରିବେ ତାହା ଦେଖିବା କଥା।

ସୁନ୍ଦରଗଡ଼ରେ ଜୁଏଲ-ସୁନିତା ମୁକାବିଲା

୨୦୧୪ ନିର୍ବାଚନରେ ଓଡ଼ିଶାର ୨୧ଟି ଆସନ ମଧ୍ୟରୁ କେବଳ ସୁନ୍ଦରଗଡ଼ରେ ପଦ୍ମ ଫୁଟିଥିଲା। ଦଳର ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ ବିଜେପିର ମାନ ରଖିଥିଲେ। ଦଳ ତାଙ୍କୁ ଏଥର ମଧ୍ୟ ସେହି ଆସନରୁ ଲୋକସଭାକୁ ପ୍ରାର୍ଥୀ କରିଛି।

ଏକାଧିକ ଥର ସୁନ୍ଦରଗଡ଼ ଆସନରୁ ପାର୍ଲାମେଣ୍ଟକୁ ପ୍ରତିନିଧିତ୍ୱ କରୁଥିବା ଜୁଏଲ ଏଥର ସାମ୍ନା କରିବେ ବିଜେଡିର ମହିଳା ପ୍ରାର୍ଥୀ ସୁନିତା ବିଶ୍ୱାଳଙ୍କୁ। ସୁନିତାଙ୍କ ବାପା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ୨୦୦୯ ଭୋଟରେ ଜୁଏଲଙ୍କୁ ହରାଇଥିଲେ। ୨୦୧୯ରେ ଜୁଏଲ ତାର ପ୍ରତିଶୋଧ ନେବା ପାଇଁ ସୁଯୋଗ ମିଳିଛି।

୨୦୧୪ରେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିଥିଲା। ତେବେ ହକି ଷ୍ଟାର ଦିଲ୍ଲୀପ ଜୁଏଲଙ୍କ ଗଡ଼ରେ ଗୋଲ କରିପାରି ନଥିଲେ।

ବିଜେଡିରୁ ଆସି ବଳଭଦ୍ର ଟିକେଟ ହାତେଇଲେ

କିଛିଦିନ ତଳେ ବିଜେଡି ଛାଡ଼ି ପଦ୍ମ ପୋଖରୀର ପଶିଥିଲେ ନବରଙ୍ଗପୁରର ନେତା ବଳଭଦ୍ର ମାଝି। ୨୦୧୪ ନିର୍ବାଚନରେ ସେ ରାଜନୀତିକୁ ଆସିଥିଲେ। ତେବେ ୨୦୧୯ରେ ନବୀନ ତାଙ୍କୁ ଟିକେଟ ଦେଉ ନାହାନ୍ତି ବୋଲି ସୂଚନା ପାଇବା ପରେ ଅସନ୍ତୋଷ ପ୍ରକାଶ କରି ବଳଭଦ୍ର ଦଳ ଛାଡ଼ିଥିଲେ।

ବିଜେପି ତାଙ୍କୁ କୋଳେଇ ନେଇ ଏବେ ନବରଙ୍ଗପୁର ଆସନ ପାଇଁ ଟିକେଟ ଦେଇଛି। ବଳଭଦ୍ର ସେଠାରେ ବିଜେଡିର ରମେଶ ମାଝିଙ୍କୁ ମୁକାବିଲା କରିବେ। ସେହିପରି କଂଗ୍ରେସ ଏଠାରୁ ଯୁବ ନେତା ପ୍ରଦୀପ ମାଝିଙ୍କୁ ଟିକେଟ ଦେଇଛି। ତେଣୁ ତିନି ମାଝିଙ୍କ ଭିତରେ ଲଢ଼େଇ ଏକ ନୂଆ ରାଜନୀତିକ ଫଳାଫଳ ଆଣିବ।

ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ

ଗତ ଥର ଅଳ୍ପ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ହାରିଥିଲେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ। ଦଳ ତାଙ୍କୁ ଏଥର ପୁଣି ସେହି ଆସନ ପାଇଁ ପ୍ରସ୍ତୁତ କରିଛି। ବିଜେଡି ଏହି ଉପକୂଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏଥର ମଧ୍ୟ ପ୍ରତାପ-ରବୀନ୍ଦ୍ର ଲଢ଼େଇ ହୋଇପାରେ।

Comment