ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ବିଜେଡିର ‘ଶକ୍ତି’ ବନାମ ବିଜେପି ‘ଶକ୍ତି’

୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ‘ନାରୀ ଶକ୍ତି’ ଉପରେ ଗୁରୁତ୍ୱ ଦେଉଛି ବିଜେଡି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ନେଇ ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ସମାବେଶ କରିଥିବା ନବୀନ ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିବା ପରେ ବିଜେପି ବି ‘ଶକ୍ତି’ଙ୍କ ଉପରେ ଫୋକସ୍ କରିଛି।

୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ୩ଟି  ଆସନରେ ମହିଳା ପ୍ରାର୍ଥୀ ଦେଇଛି। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଅପରାଜିତା ଷଡ଼ଙ୍ଗୀ, ଆସ୍କାରେ ଅନିତା ପଟ୍ଟନାୟକ ଏବଂ ବଲାଙ୍ଗିରରେ ସଙ୍ଗୀତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି।

ଭୁବନେଶ୍ୱରରେ ଅପରାଜିତା

ଆଇଏଏସ୍ ଚାକିରି ଛାଡ଼ି ନଭେମ୍ବର ୨୭ରେ ନୂଆଦିଲ୍ଲୀରେ ପଦ୍ମ ଧରିଥିଲେ ଅପରାଜିତା। ଅପରାଜିତାଙ୍କୁ ବିଜେପି ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା। ଅପରାଜିତା ମଧ୍ୟ ଏଦିଗରେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅପରାଜିତାଙ୍କ ପୋଷ୍ଟର ଛାଇ ଯାଇଥିଲା। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବି ଅପରାଜିତା ଯୋଗ ଦେଇଥିଲେ।

ଲୋକସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଅପରାଜିତା ନିକଟରେ ରାଜଧାନୀରେ ଚା’ ଖଟି ଆୟୋଜନ କରିଥିଲେ।

ଶେଷରେ ଆଜି ଅପରାଜିତାଙ୍କୁ ବିଜେପି ଟିକେଟ ଦେଇଛି। ଅପରାଜିତା ଭୁବନେଶ୍ୱରରେ ବିଜେପି ପାଇଁ ‘ଶକ୍ତି’ ପାଲଟିବେ ବୋଲି କୁହାଯାଉଛି।

ଅପରାଜିତା ୧୯୯୪ ମସିହା ବ୍ୟାଚର ଆଇଏଏସ୍ ଅଫିସର ଥିଲେ। ସେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ। କିଛି ଦିନ ପୂର୍ବରୁ ଅପରାଜିତା ସ୍ଵେଛାକୃତ ଭାବେ ଅବସର ନେଇଥିଲେ। ଅପରାଜିତା ୨୦୦୬ରୁ ୨୦୦୯ ଯାଏଁ ସେ ଭୁବନେଶ୍ଵର ମହାନଗର ନିଗମର କମିଶନର ଥିଲେ। ଏଥିସହ ପଞ୍ଚାୟତରାଜ ବିଭାଗର ସଚିବ ରହିବା ସହିତ ଗଣଶିକ୍ଷା ଓ ବୟନଶିଳ୍ପ ବିଭାଗର ସଚିବ ରହିଥିଲେ।

ବଲାଙ୍ଗିରରେ ପୁଣି ସଙ୍ଗୀତା

ପାଟଣାଗଡ଼ ରାଣୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସ୍ତ୍ରୀ ସଙ୍ଗୀତା ସିଂହଦେଓଙ୍କ ଉପରେ ପୁଣି ଭରସା କରିଛି ବିଜେପି। ସଙ୍ଗୀତା ଲଗାତାର ଦୁଇ ଥର ପରାଜିତ ହୋଇଥିଲେ ମଧ୍ୟ ତାଙ୍କୁ ଟିକେଟ ଦେଇ ବିଜେପି ବଲାଙ୍ଗିର ଲୋକସଭା ଆସନରେ ମହିଳା କାର୍ଡ ଖେଳିଛି।

ସଙ୍ଗୀତା ୧୯୯୮ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ଏବଂ ୨୦୧୪ରେ ବିଜେଡିର କଳିକେଶ ସିଂହଦେଓଙ୍କଠାରୁ ପରାଜିତ ହୋଇଥିଲେ ସଙ୍ଗୀତା। ଏଥର ବି କଳିକେଶ-ସଙ୍ଗୀତା ମୁହାଁମୁହିଁ ହେବେ। କଳିକେଶ ଏବଂ ସଙ୍ଗୀତା ସମ୍ପର୍କରେ ଦିଅର ଭାଉଜ।

ଗତ ଦୁଇ ଥର ପରି ଏଥର ମଧ୍ୟ ବଲାଙ୍ଗିର ଲୋକସଭା ଆସନରେ ଦିଅର-ଭାଉଜ ଲଢ଼େଇ ଜମିବ ବୋଲି ଚର୍ଚ୍ଚା ହେଉଛି।

ଆସ୍କାରେ ନୂଆ ମୁହଁ ଅନିତା

ଆସ୍କା ଲୋକସଭା ଆସନରେ ବିଜେଡି ମହିଳା କାର୍ଡ ଖେଳିଛି। ସାଧାରଣ ମହିଳା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ନବୀନ ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ। ଏହାର ଜବାବରେ ବିଜେପି ଏହି ଆସନରେ ମହିଳା ପ୍ରାର୍ଥୀ ଦେଇଛି।

ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପଟ୍ଟନାୟକଙ୍କୁ ଏହି ମର୍ଯ୍ୟାଦାଜନକ ଆସନରୁ ପ୍ରାର୍ଥୀ କରିଛି ବିଜେପି। ଅନିତା ହେଉଛନ୍ତି ରାଜନୀତିରେ ନୂଆ ମୁହଁ। ହେଲେ ରାଜନୀତି ପରିବାରରୁ ଆସିଥିବାରୁ ଏବଂ ପିଲାଟି ଦିନରୁ ରାଜନୀତିର ଉତ୍ଥାନ ପତନକୁ ଅତି ନିକଟରୁ ଦେଖିଥିବାରୁ ଅନିତାଙ୍କ ପାଇଁ ନିର୍ବାଚନ ଲଢ଼ିବା କଷ୍ଟକର ହେବନି।

ଅନିତାଙ୍କ ବାପା ରାମକୃଷ୍ଣ ପଟ୍ଟନାୟକ ଆସ୍କା ବିଧାନସଭା ଆସନରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମା’ କୁମୁଦିନୀ ପଟ୍ଟନାୟକ ୨୦୦୦ ମସିହା ଉପ-ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଘଟଣାକ୍ରମରେ ରାମକୃଷ୍ଣ-କୁମୁଦିନୀଙ୍କୁ ବିଜେଡିରୁ ବିଦା କରାଯାଇଥିଲା। ପରେ ସେମାନେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ଅଣଦେଖା କରିବାରୁ ୨୦୧୪ ନିର୍ବାଚନ ପୂର୍ବରୁ ଝିଅ ଅନିତାଙ୍କ ସହ ପଦ୍ମ ଧରିଥିଲେ ରାମକୃଷ୍ଣ ଏବଂ କୁମୁଦିନୀ। ଏଥର ଅନିତାଙ୍କୁ ପ୍ରାର୍ଥୀ କରିଛି ବିଜେପି।

Comment