ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୧୭ ବର୍ଷ ପରେ ନବୀନ ନିବାସ ଦୁଆର ମାଡ଼ିଥିବା ଦିଲ୍ଲୀପ ରାୟ ନବୀନଙ୍କ ସହ କ’ଣ କଲେ ଆଲୋଚନା?

ମାର୍ଚ୍ଚ ୧୬ ତାରିଖ, ଶନିବାର। ଦିନସାରା ନବୀନ ନିବାସରେ ଲାଗି ରହିଥିଲା ଗହଳ ଚହଳ। କିଏ ପାଇବ ବିଜେଡି ଟିକେଟ ଏବଂ କାହାର କଟିବ ତାକୁ ନେଇ ବିଜେଡି ମ୍ୟାନେଜରମାନେ ନବୀନ ନିବାସରେ ଗଣିତ କଷୁଥିଲେ। ବାହାରେ ବାୟୋଡାଟା ଧରି ଆଶାୟୀମାନେ ବି ଭିଡ଼ ଲଗାଇଥିଲେ। ହେଲେ ସେହି ସନ୍ଧ୍ୟାରେ ଚମକାଇବା ଭଳି ଚିତ୍ର ସାମ୍ନାକୁ ଆସିଥିଲା। ନବୀନ ନିବାସ ଗେଟରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଗାଡ଼ି ହଠାତ୍ ପ୍ରବେଶ କରିଥିଲା।

୧୭ ବର୍ଷ ପରେ ନବୀନ ନିବାସରେ ଦିଲ୍ଲୀପଙ୍କୁ ଦେଖି ଚର୍ଚ୍ଚା ବଢ଼ିଲା। ଗଣମାଧ୍ୟମ ପ୍ରତିନିଧି ବି ଏହାର କାରଣ ଖୋଜିଲେ। ହେଲେ ଦିଲ୍ଲୀପ ତାଙ୍କ ଗାଡ଼ିରୁ ଓହ୍ଲାଇ ସିଧା ନବୀନ ନିବାସ ଭିତରକୁ ପ୍ରବେଶ କରିଥିଲେ।

ନବୀନ ନିବାସ ଆସିବାର କାରଣ ପଚାରିବା ପାଇଁ ଦିଲ୍ଲୀପଙ୍କୁ ଅପେକ୍ଷା କରି ରହିଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ଦିଲ୍ଲୀପ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଡ଼ାଇ ନବୀନ ନିବାସରୁ ବାହାରି ଆସିଥିଲେ। ଚର୍ଚ୍ଚା ହେଲା ଯେ ଦିଲ୍ଲୀପ ଦିନେ ଦୁଇ ଦିନ ଭିତରେ ବିଜେଡିରେ ମିଶିବେ। ମାତ୍ର ଦିଲ୍ଲୀପ ନବୀନ ନିବାସରୁ ଆସିବାର ୫ ଦିନ ବିତିଥିଲେ ମଧ୍ୟ ସେମିତି କିଛି ଘଟିନି।

ଦିଲ୍ଲୀପ ନବୀନ ନିବାସରୁ ଫେରିବାର ଦିନକ ପରେ ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ଆସିଥିଲେ ନବୀନ ନିବାସ। ଗୀତାଙ୍କ ଉପସ୍ଥିତିରେ ଦିଲ୍ଲୀପ ବିଜେଡିକୁ ଫେରି ପାରନ୍ତି ବୋଲି କୁହାଗଲା। ଗୀତା ନବୀନ ନିବାସରୁ ଫେରି ଯାଇଥିଲେ ମଧ୍ୟ ଦିଲ୍ଲୀପ ବିଜେଡିକୁ ଆସି ନାହାନ୍ତି। ତେବେ ୧୬ ତାରିଖରେ ଦିଲ୍ଲୀପ ନବୀନ ନିବାସ ଯିବାର କାରଣ କ’ଣ ତାହା ଏବେ ବି ରହସ୍ୟଘେରରେ ରହିଛି।

କୁହାଯାଉଛି ଦିଲ୍ଲୀପ ରାଜନେତା ସହ ଜଣେ ସଫଳ ବ୍ୟବସାୟୀ ମଧ୍ୟ। ଏଣୁ ସେ ରାଜନୀତିରେ ଲାଭ କ୍ଷତିର ଅଙ୍କ କଷିଥାନ୍ତି। କେଉଁ ଦଳକୁ ଗଲେ ତାଙ୍କ ପାଇଁ ଲାଭ ହେବ ଏବଂ କ୍ଷତି ତାକୁ ସେ ନଜରରେ ରଖି କାମ କରିଥାନ୍ତି। ଏଣୁ ଦିଲ୍ଲୀପ ୧୭ ବର୍ଷ ପରେ ନବୀନ ନିବାସ ଆସିବା ପଛରେ ଲାଭ କ୍ଷତିର ଗଣିତ ଥାଇପାରେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି। ତେବେ ଦିଲ୍ଲୀପ ନବୀନ ନିବାସରେ ନବୀନଙ୍କୁ ଏମିତି କ’ଣ ମାଗିଲେ ଯେ ନବୀନ ତାହା ଦେବା ପାଇଁ ବିଳମ୍ବ କରୁଛନ୍ତି।

ବିଜେପିରୁ ଇସ୍ତଫା ଦେବା ପରଠୁ ଦିଲ୍ଲୀପ ଏବଂ ତାଙ୍କ ଯୋଡ଼ିଦାର ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେଡି ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଦିନ ପରେ ଦିନ ଗଡ଼ିଥିଲେ ମଧ୍ୟ ଉଭୟ ନେତାଙ୍କୁ ବିଜେଡି ଗ୍ରୀନ ସିଗନାଲ ଦେଇ ନଥିଲା। ଏବେ ଟିକେଟ ବଣ୍ଟା ଚାଲିଥିବା ବେଳେ ଦିଲ୍ଲୀପ ନବୀନ ନିବାସ ଆସିବା ରାଜନୀତି ବଜାରକୁ ଗରମ କରିଛି।

ଦିଲ୍ଲୀପ ନବୀନ ନିବାସରେ ନବୀନଙ୍କୁ କ’ଣ ମାଗିଲେ? ବିଜୟ ମହାପାତ୍ରଙ୍କୁ ଦଳକୁ ଆଣିବା ପାଇଁ ଦିଲ୍ଲୀପ ନବୀନଙ୍କୁ ଆଲୋଚନା ବେଳେ ପ୍ରସ୍ତାବ ଦେଇଥିଲେ କି? ଏଥିରେ ନବୀନ ସହମତ ହୋଇ ନଥିଲେ କି? ବିଜୟଙ୍କ ପାଇଁ ବିଜେଡି ସବୁଜ ସଙ୍କେତ ନଦେବାରୁ ଦିଲ୍ଲୀପଙ୍କ ବିଜେଡି ଆସିବା ବିଳମ୍ବ ହେଉଛି କି? ଯଦି ଦିଲ୍ଲୀପ ବିଜେଡି ନଆସନ୍ତି ତାହାଲେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ? ଏସବୁ ପ୍ରଶ୍ନକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଦିଲ୍ଲୀପ ନବୀନ ନିବାସ ଯିବାର ଦିନକ ପରେ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏହିଦିନ ଦିଲ୍ଲୀପଙ୍କ ନିର୍ବାଚନ କ୍ଷେତ୍ର ସୁନ୍ଦରଗଡ଼ ଏବଂ ରାଉରକେଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନିତା ବିଶ୍ୱାଳ ଏବଂ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ସାରଦା ନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

୧୬ ତାରିଖରେ ନବୀନ ନିବାସରେ ଆଲୋଚନା ବେଳେ ଦିଲ୍ଲୀପ ରାଉରକେଲା କିମ୍ବା ସୁନ୍ଦରଗଡ଼ ସିଟ୍ ମାଗିଥିବା କୁହାଯାଉଛି। ନବୀନ ଏଥିରେ ରାଜି ହୋଇ ନଥିଲେ। ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ କେନ୍ଦ୍ରାପଡ଼ାରୁ ଦିଲ୍ଲୀପଙ୍କୁ ପ୍ରାର୍ଥୀ ହେବାକୁ କୁହାଯାଇଥିଲା। କିନ୍ତୁ ଦିଲ୍ଲୀପ ରିସ୍କ ନେବାକୁ ଚାହିଁଲେନି। ଏସବୁ କାରଣ ପାଇଁ ଦିଲ୍ଲୀପ ବିଜେଡିରେ ଯୋଗ ନଦେବାକୁ ଉଚିତ ମନେକରିଥିବା କୁହାଯାଉଛି।

ଦିଲ୍ଲୀପ ଏବଂ ବିଜୟ ହେଉଛନ୍ତି ରାଜ୍ୟ ରାଜନୀତିର ବଡ଼ ଚେହେରା। ବିଜୁ ପଟ୍ଟନାୟକଙ୍କ ଅମଳରେ ଏହି ଦୁଇ ନେତାଙ୍କର ଭଲ ଦବଦବା ରହିଥିଲା। ଗୋଟେ ସମୟରେ ବିଜୟ ଏବଂ ଦିଲ୍ଲୀପ ଟିକେଟ କିଏ ନେବ ଏବଂ କାହାର କଟିବ ତାହା ନିର୍ଣ୍ଣୟ କରୁଥିଲେ। ହେଲେ ଘଟଣାକ୍ରମରେ ବିଜୟ ଏବଂ ଦିଲ୍ଲୀପ ଆଗ ପଛ ହୋଇ ବିଜେଡିରୁ ବିଦା ହୋଇଥିଲେ।

ବିଜୟ ଏବଂ ଦିଲ୍ଲୀପ ସାଙ୍ଗ ହୋଇ ୨୦୦୯ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ବିଜୟ ନିର୍ବାଚନ ଲଢ଼େଇରେ ସାମିଲ ହେଉଥିବା ବେଳେ ଦିଲ୍ଲୀପ କିନ୍ତୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ହେଲେ ଦିଲ୍ଲୀପ ୨୦୧୪ ନିର୍ବାଚନ ପୂର୍ବରୁ ରାଉରକେଲା ମଇଦାନକୁ ଓହ୍ଲାଇଥିଲେ। ଲୋକଙ୍କୁ ଏକାଠି କରି ସମ୍ପର୍କ ବଢ଼ାଇଥିଲେ। ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ହେଲେ ନିର୍ବାଚନ ପରେ ଦିଲ୍ଲୀପ ଏବଂ ବିଜୟ ବିଜେପିରେ ଅସୁରକ୍ଷିତ ମନେକରିବାରୁ ଗୋଟିଏ ଦିନରେ ଦୁଇ ନେତା ଇସ୍ତଫା ଦେଇଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ଏହି ଦୁଇ ବରିଷ୍ଠ ନେତା କିଛି ଗୋଟେ କରିବେ ବୋଲି ଆଲୋଚନା ହେଉଥିଲା। ବିଜେଡି ଦୁଆର ଏମାନଙ୍କ ପାଇଁ ଖୋଲା ରହିଥିବା ଚର୍ଚ୍ଚା ହେଉଥିଲା। ହେଲେ ନିର୍ବାଚନ ଯେତିକି ପାଖେଇ ଆସୁଛି ଏହି ଦୁଇ ଯୋଡ଼ିଦାରଙ୍କ ପାଇଁ ସବୁ ବିକଳ୍ପ ବନ୍ଦ ହୋଇ ଯାଉଥିବା ମନେହେଉଛି। ଏଣୁ ଅପେକ୍ଷା କରି ଦେଖିବାକୁ ବାକି ରହିଲା ୧୭ ବର୍ଷ ପରେ ନବୀନ ନିବାସ ଆସିଥିବା ଦିଲ୍ଲୀପଙ୍କ କଥା ରହୁଛି କି ନାହିଁ?

Comment