ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୫୪ ବିଧାନସଭା ଆସନ ପାଇଁ ବିଜେଡି ପ୍ରଥମେ ଘୋଷଣା କରିଥିଲା ପ୍ରାର୍ଥୀ ତାଲିକା। ଏହି ତାଲିକାରେ କିଛି ନୂଆ ମୁହଁଙ୍କୁ ସ୍ଥାନ ମିଳିଥିଲା। ଯେଉଁମାନଙ୍କୁ ବିଜେଡି ଟିକେଟ ମିଳି ନଥିଲା ସେମାନେ ବିଜେପିରେ ଯୋଗ ଦେଇଥିଲେ।

ଶଙ୍ଖ ଶିବିର ଛାଡ଼ି ଯେଉଁମାନେ ପଦ୍ମ ଧରିଥିଲେ ସେମାନଙ୍କୁ ବିଜେପି ଟିକେଟ ଦେଇଛି। ବିଜେଡି ପ୍ରାର୍ଥୀଙ୍କୁ ଏମାନେ ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି।

ସୁନ୍ଦରଗଡ଼ ବିଧାନସଭା ଆସନରୁ ଟିକେଟ ପାଇ ନଥିଲେ କୁସୁମ ଟେଟେ। କଂଗ୍ରେସରୁ ଆସିଥିବା ଯୋଗେଶ ସିଂ ପାଇଥିଲେ ବିଜେଡି ଟିକେଟ। ଏଥିରେ ଅସନ୍ତୋଷ ପ୍ରକାଶ କରି କୁସୁମ ବିଜେଡି ଛାଡ଼ି ଯୋଗ ଦେଇଥିଲେ ବିଜେପିରେ। ବିଜେପି ଆଜି କୁସୁମଙ୍କୁ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି।

୨୦୧୪ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିବା କୁସୁମ ଏଥର ବିଜେପିରୁ ଲଢ଼ିବେ। ବିଜେଡିର ଯୋଗେଶ ସିଂଙ୍କୁ ମୁକାବିଲା କରିବେ କୁସୁମ।

ସେହିପରି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ବିଜେଡି ଛାଡ଼ି ଗତ ୨୧ରେ ପଦ୍ମ ଧରିଥିଲେ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ଲବିରେ ଥିଲେ ସେ। ହେଲେ ପାରଳା ମାହାରାଜାଙ୍କ ଝିଅ କଲ୍ୟାଣୀ ଗଜପତି ଟିକେଟ ନେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ନାରାୟଣ ରାଓ ବିଜେପି ଆସିଥିଲେ। ଆଜି ବିଜେପି ତାଙ୍କୁ ପାରଳାଖେମୁଣ୍ଡି ଆସନ ପାଇଁ ଟିକେଟ ଦେଇଛି।

ସେହିପରି ବିଜେଡିରୁ ବହିଷ୍କୃତ ହୋଇଥିବା ଡାକ୍ତର ଦାମୋଦର ରାଉତ ବି ପଦ୍ମ ଧରିଥିଲେ। ତାଙ୍କୁ ଦଳ ବାଲିକୁଦା-ଏରସମା ପାଇଁ ପ୍ରାର୍ଥୀ କରିଛି।

ପ୍ରକାଶ ବି ନେଲେ ଟିକେଟ

ପ୍ରକାଶ ଚନ୍ଦ୍ର ବେହେରା ବି ଟିକେଟ ନେଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେଇ ସେ ନିକଟରେ ବିଜେପିରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ପଦ୍ମ ଧରିବା ପରେ ସେ ବିଜେପି ଟିକେଟ ପାଇଛନ୍ତି। ୨୦୧୪ରେ ପ୍ରକାଶ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ଜିତିଥିଲେ। ସେ ମଧ୍ୟ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ। ଗତ କିଛିମାସ ତଳେ ସେ ସଭାପତି ପଦ ଛାଡ଼ିବା ପରେ ଏବେ ଦଳରୁ ଇସ୍ତଫା ଦେଇଥିଲେ।

Comment