ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ହେବ ତ୍ରିମୁଖୀ ଲଢ଼େଇ। ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଚିତ୍ର ସ୍ପଷ୍ଟ ହୋଇଯାଇଛି। ବିଜେଡିର ଚନ୍ଦ୍ରଶେଖର ସାହୁ, କଂଗ୍ରେସର ଭି ଚନ୍ଦ୍ରଶେଖର ନାଇଡୁ ଏବଂ ବିଜେପିର ଭୃଗୁ ବକ୍ସିପାତ୍ରଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ।

ଚନ୍ଦ୍ର ଶେଖର ସାହୁ ଅତୀତରେ କଂଗ୍ରେସରୁ ପ୍ରାର୍ଥୀ ହେଉଥିଲେ। ସେ ଏବେ ଦଳ ବଦଳାଇଥିଲେ ମଧ୍ୟ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପୁରୁଣା ମୁହଁ। କିନ୍ତୁ କଂଗ୍ରେସ ଏଥର ଭି ଚନ୍ଦ୍ରଶେଖର ନାଇଡୁଙ୍କୁ ନୂଆ ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଛି। ସେହିପରି ୨୦୧୪ରେ ଜୟପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି।

କାହା ପଲ୍ଲା ଭାରି?

ବ୍ରହ୍ମପୁର ଲୋକସଭା ଆସନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ଏବଂ ବିଜେପି ଭିତରେ କଡ଼ା ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି। ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଲୋକସଭା ଆସନରୁ ୨୦୦୪ରେ କଂଗ୍ରେସ ଟିକେଟରୁ ଜିତିଥିଲେ। ଉପା ସରକାରରେ ମନ୍ତ୍ରୀ ରହିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇଛନ୍ତି। ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସେ ବିଜେଡିକୁ ଆସି ଟିକେଟ ନେଇଛନ୍ତି।

ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଆସିଥିବାରୁ କଂଗ୍ରେସରେ ତାଙ୍କର କିଛି ଭୋଟ ରହିଛି। ଏହାଛଡ଼ା ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ଦଳୀୟ ଭୋଟ ତାଙ୍କ ସପକ୍ଷରେ ଯିବ। ଏସବୁ ଭୋଟକୁ ନେଇ ଚନ୍ଦ୍ରଶେଖର ଲୋକସଭାକୁ ଯିବା ପାଇଁ ଅଙ୍କ କଷୁଛନ୍ତି।

ସେହିପରି ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପଲ୍ଲା ଭାରି ଥିବା ଜଣାପଡ଼ୁଛି। କାରଣ ଭୃଗୁ ବିଗତ ଚାରି ବର୍ଷ ଧରି ବ୍ରହ୍ମପୁର ଲୋକସଭା ଆସନକୁ ଲାଳନ ପାଳନ କରି ଆସିଛନ୍ତି। ଯଦିଓ ଭୃଗୁଙ୍କ ଘର ଅବିଭକ୍ତ କୋରାପୁଟ ଜିଲ୍ଲାରେ, ତଥାପି ତାଙ୍କର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଖୁବ୍ ପ୍ରଭାବ ରହିଛି। ବସ୍ତୁତଃ ସେ ୨୦୧୫ ମସିହାରୁ ବ୍ରହ୍ମପୁର ଆସନ ଉପରେ ଆଖି ରଖି ଆସିଛନ୍ତି।

ଯଦିଓ ବ୍ରହ୍ମପୁର ଆସନଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଭିତରେ ଆସୁଛି ଓ ଏଠି ବିଜେଡିର ବଡ଼ ବଡ଼ ହସ୍ତୀ ଅଛନ୍ତି, ତଥାପି ବିଜେପିର ସ୍ଥିତି ସେତେଟା ଖରାପ ନୁହେଁ। ଦଳ ଇତି ମଧ୍ୟରେ ତାର ସଙ୍ଗଠନକୁ ସୁଦୃଢ଼ କରି ପାରିଛି।

ଭୃଗୁଙ୍କ ସୁବିଧା ହେଉଛି ଯେ ସଙ୍ଗଠନରେ ସେ ଖୁବ୍ ପାରଙ୍ଗମ। ଆହୁରି ମଧ୍ୟ ମୋଦି ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ସଫଳ କରାଇବାରେ ଭୃଗୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ଯାହା ସ୍ଥିତି ଭୃଗୁ ଯଦି ଅଧିକ ପରିଶ୍ରମ କରନ୍ତି ତେବେ ଫଳ  ତାଙ୍କ ସପକ୍ଷରେ ବଦଳି ଯାଇପାରେ।

ଆଶା କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସିବେ। ଯଦି ତାହା ହୁଏ ବିଜେଡି ପ୍ରାର୍ଥୀଙ୍କୁ ଭୃଗୁ  କଡ଼ା ଚାଲେଞ୍ଜ ଦେବେ।

Comment