ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନୂଆପଡ଼ା ବିଧାନସଭା ଆସନ ଛାଡ଼ି ବସନ୍ତ କଳାହାଣ୍ଡି ଲୋକସଭା ଆସନରୁ ହେଲେ ପ୍ରାର୍ଥୀ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି। ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, କଂଗ୍ରେସର ଭକ୍ତ ଦାସଙ୍କୁ ଟକ୍କର ଦେବେ ବସନ୍ତ। ବସନ୍ତ ପ୍ରଥମ ଥର ପାଇଁ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନୂଆପଡ଼ା ବିଧାନସଭା ଆସନ ଛାଡ଼ି ବସନ୍ତ କାହିଁକି କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ତାର କାରଣ ଖୋଜା ଚାଲିଛି।

କୁହାଯାଉଛି ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ ସ୍ଥିତି ଭଲ ନାହିଁ। ଏଣୁ ସେ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

୨୦୧୪ ବିଧାନସଭା ନିର୍ବାଚନରେ ବସନ୍ତ ନୂଆପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କୁ ପରାଜିତ କରି ବସନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ବିଜେପି ବିଧାୟକ ଦଳ ନେତା କରାଯିବା ସହ ପରେ ସେ ରାଜ୍ୟ ବିଜେପି ସଭାପତି ପଦରେ ରହିଥିଲେ।

ବସନ୍ତଙ୍କ ନେତୃତ୍ୱରେ ବିଜେପି ୨୦୧୭ ପଞ୍ଚାୟତ ନିର୍ବାଚନ ଲଢ଼ିଥିଲା। କଂଗ୍ରେସକୁ ପଛକୁ ଠେଲି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା। ହେଲେ ରାଜ୍ୟ ବିଜେପି ସଭାପତି ବସନ୍ତଙ୍କ ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ପଦ୍ମ ଫୁଟି ନଥିଲା। ଏନେଇ ବସନ୍ତ ସମାଲୋଚନାର ଶିକାର ହୋଇଥିଲେ।

ନୂଆପଡ଼ାର ମୋଟ ୧୪ଟି ଜିଲ୍ଲାପରିଷଦ ଜୋନରୁ ୧୩ଟିରେ ଭୋଟ ହୋଇଥିଲା। ସେଥିମଧ୍ୟରୁ ୮ଟି ଜୋନରେ ବିଜେଡି ପ୍ରାର୍ଥୀଙ୍କର ବିଜୟ ହୋଇଥିବା ବେଳେ ୫ଟି କଂଗ୍ରେସ ଦଖଲ କରିଥିଲା। ବିଜେପି ଜିଲ୍ଲାପରିଷଦ ଭୋଟରେ ଖାତା ଖୋଲିବାକୁ ସମର୍ଥ ହୋଇ ନଥିଲା।

ବସନ୍ତଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ) ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ଜିତିବାରେ ସମର୍ଥ ହୋଇ ନଥିବା ଚର୍ଚ୍ଚା ହେଲା। ଏବେ ଟିଟୁ ଆସି ବିଜେଡିରେ ଯୋଗ ଦେଇଛନ୍ତି। ଫଳରେ ବସନ୍ତଙ୍କ ପାଇଁ ନୂଆପଡ଼ା ଜିତିବା ଚାଲେଞ୍ଜ ହୋଇଯାଇଥିଲା।

ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଏବଂ ଟିଟୁଙ୍କ ବିଜେଡିରେ ଯୋଗଦାନକୁ ଦୃଷ୍ଟିରେ ରଖି ବସନ୍ତଙ୍କ ଆସନ ବଦଳିଥିବା କୁହାଯାଉଛି। ଏଣୁ ବସନ୍ତ ନୂଆପଡ଼ା ଛାଡ଼ି କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଚର୍ଚ୍ଚା ହେଉଛି।

୨୦୧୪ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ବିଜେପିର ପ୍ରଦୀପ ନାଏକ। ସେ ୩ ଲକ୍ଷ ୧୪ ହଜାର ୫୨୪ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେଡି ପ୍ରାର୍ଥୀ ଅର୍କ କେଶରୀ ଦେଓ ବିଜୟୀ ହୋଇଥିଲେ। କିନ୍ତୁ ବିଜେଡି ଏଥର ପ୍ରାର୍ଥୀ ବଦଳାଇଛି। ଅର୍କଙ୍କ ଟିକେଟ କାଟି ଅଭିଜ୍ଞ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଟିକେଟ ଦେଇଛି।

ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ଭକ୍ତ ଚରଣ ଦାସ। ଏଣୁ ବିଜେପି ପ୍ରଦୀପଙ୍କୁ ଟିକେଟ ଦେଇ ରିସ୍କ ନେବାକୁ ଚାହିଁନି। ବସନ୍ତ ପଣ୍ଡାଙ୍କୁ ଲୋକସଭା ଆସନ ପାଇଁ ଟିକେଟ ଦେଇଛି। ବସନ୍ତଙ୍କ ଘର କଳାହାଣ୍ଡି ଲୋକସଭା ଆସନରେ ଆସୁଛି। ବସନ୍ତ ବିଜେଡି ଓ କଂଗ୍ରେସର ଦୁଇ ଭେଟେରାନଙ୍କୁ ଚେକ୍ ଦେଇପାରନ୍ତି ବୋଲି ବିଜେପିର ଶୀର୍ଷ ନେତୃତ୍ୱ ଆକଳନ କରିଛନ୍ତି।

ବସନ୍ତ ବିଜେଡି ଏବଂ କଂଗ୍ରେସର ଦୁଇ ହେବିୱେଟଙ୍କୁ କେମିତି ଟକ୍କର ଦେଇ ଲୋକସଭାକୁ ଆସୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment