ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ୪୦ ଜଣଙ୍କ ନାଁ ରହିଛି। ନିଜେ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିବାକୁ ଥିବା ବେଳେ ଭିଡ଼ ଜମାଇବା ପାଇଁ ୭ ଜଣ ଓଲିଉଡ ତାରକାଙ୍କୁ ଏଥିରେ ସାମିଲ କରାଯାଇଛି।

ଯୁବ ଏବଂ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆଗଧାଡ଼ିର ମହିଳା ନେତ୍ରୀ ଓ ଯୁବ, ଛାତ୍ର ନେତାଙ୍କୁ ବି ସାମିଲ କରାଯାଇଛି। ଏହାସହ କିଛି ଆଗଧାଡ଼ିର ନେତାଙ୍କୁ ତାଲିକାରେ ଦେଖିବାକୁ ମିଳିଛି। କିନ୍ତୁ ଏହି ତାଲିକାରେ ବିଜେଡିର ତୁଙ୍ଗ ନେତା ଅରୁଣ ସାହୁ ଏବଂ ଅତନୁସବ୍ୟସାଚୀ ନାୟକଙ୍କୁ ଦେଖିବାକୁ ମିଳିନି।

ଷ୍ଟାର କ୍ୟାମ୍ପେନର ତାଲିକାରେ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ରହିଥିବା ବେଳେ ଅରୁଣ ଏବଂ ଅତନୁଙ୍କ ନାଁ କାହିଁକି କଟିଲା ତାକୁ ନେଇ କାରଣ ଖୋଜା ଚାଲିଛି।

ସଞ୍ଜୟ ଏବଂ ପ୍ରଣବଙ୍କ ଅମଳର ନେତା ହେଉଛନ୍ତି ଅତନୁ ଓ ଅରୁଣ। ଗତ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ସଞ୍ଜୟ ଓ ପ୍ରଣବଙ୍କ ସହ ଅତନୁ, ଅରୁଣଙ୍କର ବି ମନ୍ତ୍ରୀ ପଦ ଯାଇଥିଲା। ଏହାପରେ ସେମାନଙ୍କୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଥଇଥାନ କରାଯାଇଥିଲା। ହେଲେ ଷ୍ଟାର କ୍ୟାମ୍ପେନର ତାଲିକାରେ ସଞ୍ଜୟ, ପ୍ରଣବଙ୍କ ରହିଥିବା ବେଳେ ଅରୁଣ, ଅତନୁଙ୍କ ନାଁ ନଥିବାରୁ ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି। କୁହଯାଉଛି ଯେ କିଛିଦିନ ତଳେ ଅତନୁ ଏବଂ ଅରୁଣଙ୍କ ନାଁରେ ସିବିଆଇ ନୋଟିସ ଆସିଥିବାରୁ ଉଭୟଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ଦୂରେଇ ରଖାଯାଇଛି।

ସେହିପରି ଏଥର ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ରେସରୁ ବାଦ୍ ପଡ଼ିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ନା ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛି। ସିଦ୍ଧାନ୍ତଙ୍କ ଜାଗାରେ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଟିକେଟ ଦେଇଛି। ଟିକେଟ ବଣ୍ଟନ ପୂର୍ବରୁ ସିଦ୍ଧାନ୍ତ କହିଥିଲେ, ‘‘ଟିକେଟ ନମିଳିଲେ ମୁଁ ଦଳରେ ରହିବି। ଯଦି ମତେ ପ୍ରଚାର ପାଇଁ କହିବେ ତାହାଲେ ମୁଁ ପ୍ରଚାର କରିବି।’’

ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏବଂ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନାଁ ତାଲିକାରେ ରହିଥିବା ବେଳେ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମହିଳା ବିଜେଡି ସଭାନେତ୍ରୀ ମୀନତି ସ୍ୱାଇଁ, ପ୍ରମିଳା ମଲ୍ଲିକ ଏବଂ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧାଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରେ ରଖାଯାଇଛି।

Comment