ଓଡ଼ାଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଓଡ଼ିଶା ରାଜିନୀତିର ଶବ୍ଦକୋଷରେ ଗୋଟିଏ କଥା ସବୁବେଳେ ମନେ ରହିବ : ସେଇଟି ହେଉଛି ଲେଖାଶ୍ରୀ ସମନ୍ତସିଂହାରଙ୍କ ପ୍ରତି ଦାମୋଦର ରାଉତଙ୍କ ସେଇ ବହୁଚର୍ଚ୍ଚିତ ମନ୍ତବ୍ୟ ‘ସ୍ୱାମୀ ଛାଡି ଅଙ୍ଗନବାଡ଼ି’। ଅବଶ୍ୟ ମନ୍ତବ୍ୟ ପ୍ରଦାନକାରୀ ଓ ମନ୍ତବ୍ୟରେ କ୍ଷୁବ୍ଧ ହୋଇଥିବା ବ୍ୟକ୍ତି ଦିହେଁ ଏବେ ଗୋଟିଏ ନାଆର ନାଉରୀ। ତେବେ ଏଠି ସ୍ୱାମୀଛଡ଼ାଙ୍କ କଥା କୁହାଯାଉନି, କୁହାଯାଉଛି ଦଳଛଡ଼ାଙ୍କ କଥା। ଚଳିତ ନିର୍ବାଚନରେ ଏହି ରୋଗଟି ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ କୌଣସି ଦଳ ଏଥିରୁ ବାଦ ପଡ଼ିନାହିଁ।

ମନ୍ତ୍ର ଫୁଙ୍କୁ

କାହିଁକି ଏ ପାଳି ଏତେ ନେତା ଦଳ ଛାଡ଼ୁଛନ୍ତି? କଣ ଏହା ପଛରେ କାରଣ? ଏହାର ଗୋଟିଏ ବଡ଼ କାରଣ ହେଉଛି ଟିକେଟ ନପାଇବା। ଯେଉଁମାନେ ଦଳ ଛାଡ଼ୁଛନ୍ତି ସେମାନେ କେବଳ ଗୋଟିଏ ମନ୍ତ୍ର ଫୁଂକୁଛନ୍ତି। ଆଉ ସେଇଟି ହେଲା ଟିକେଟ ଦିଅ ନହେଲେ ଦଳ ଛାଡ଼ିବୁ। ଯେହେତୁ ତିନୋଟି ଯାକ ଦଳ ଏଥର ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଭିତ୍ତି କରି ଟିକେଟ ଦେଉଛନ୍ତି, ସେଥିପାଇଁ ଚାରିଆଡ଼େ ବିଦ୍ରୋହର ବହ୍ନି। ଯେଉଁମାନେ ନିଜ ଦଳରୁ ଟିକେଟ ପାଉନାହାନ୍ତି ସେମାନେ ଦେଖୁଛନ୍ତି ସେମାନଙ୍କର ସେଠି ଭବିଷ୍ୟତ ଅନ୍ଧାର। ଏଣୁ ଅନ୍ୟ ଦଳରେ ଯାଇ ମିଶୁଛନ୍ତି। ଖାଲି ମିଶୁଛନ୍ତି କେବଳ ନୁହେଁ ଟିକେଟ ବି ପାଉଛନ୍ତି। ଟିଭି ଚ୍ୟାନେଲରେ ପ୍ରତିଯୋଗିତା ପାଇଁ ଛୋଟ ଛୋଟ ପିଲା ଏଣ୍ଟ୍ରି ଟିକେଟ ପାଇବା ଭଳି ବିଧାୟକ/ସାଂସଦ ପ୍ରାର୍ଥୀ ମାନେ ସୋ ଆୟୋଜନକାରୀଙ୍କ ଠାରୁ ଟିକେଟ ଆଣି ଟିଭି କ୍ୟାମେରା ଆଗରେ ଠିଆ ହେବା ଭଳି ଘଟଣା ମଧ୍ୟ ଆମେ ଏଥର ଦେଖିବାକୁ ପାଇଥାଇଁ।

ନୀତି ? ବସୁନ

ସମୟ ଥିଲା ରାଜନୀତିକୁ ଭଲ ଲୋକ ଆସୁଥିଲେ,ନୀତିବାନ ଲୋକ ଆସୁଥିଲେ,ଦଳ ଓ ନେତାଙ୍କ ପ୍ରତି ଅଙ୍ଗୀକାରବଦ୍ଧତା ରହୁଥିଲା,ସାମାଜିକ ଦାୟିତ୍ୱବୋଧ ରହୁଥିଲା। ସେ ସବୁ ଏବେ ଅଳିଆ ଗଦାରେ। ଏବର ରାଜନୀତିର ଗୋଟିଏ କଥା ହେଉଛି କେହି କାହାର ବନ୍ଧୁ ନୁହନ୍ତି,ସବୁ କିଛି ସ୍ୱାର୍ଥ।

ଏଇଠୁ ଆରମ୍ଭ
ପ୍ରଥମେ ଦାମୋଦର ରାଉତଙ୍କ ଠାରୁ ଆରମ୍ଭ କରାଯାଉ। ଜନତା ପରିବାର ସହ ତାଙ୍କର ୪୫ ବର୍ଷର ସମ୍ପର୍କ। ଏବେ ସେ ବିଜେପିରେ। ଓଡ଼ିଶାରେ ବୋଧେ ବିଜେପିର ସେ ଥିଲେ ସବୁଠୁ ବଡ଼ ସମାଲୋଚକ। ଦାମ ବାବୁ କେବଳ ବିଜେପିରେ ଯୋଗ ଦେଇଛନ୍ତି ତାହା ନୁହେଁ, ବାଲିକୁଦା-ଏରସମାରୁ ଟିକେଟ ବି ପାଇଛନ୍ତି। ସେହିଭଳି ବୈଜୟନ୍ତ ପଣ୍ଡା,ବଳଭଦ୍ର ମାଝୀ, ପ୍ରତ୍ୟୁଷା ରାଜେଶ୍ୱରୀ ଓ ଡ଼ଜନେ ପ୍ରାୟ ନିର୍ବାଚିତ ଓ ଅନିର୍ବାଚିତ ନେତା ଯେଉଁମାନ ଏପଟ ସେପଟ ହୋଇଛନ୍ତି – ଯାହାକୁ କୁହାଯାଏ ଫୁଲ ଯାତ୍ରା!!

ନେତା ବି କୋଉ ଠିକ୍?
ମାନୁଛୁ ଟିକେଟ ନ ପାଇ ଦଳ ଛାଡ଼ିବା ହେଉଛି ସୁବିଧାବାଦୀ ରାଜନୀତିର ପରିଚାୟକ। ତେବେ ଦଳର ନେତୃତ୍ୱ ବି ଏଥିପାଇଁ କମ ଦାୟୀ ନୁହଁ। ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ଭୁବନେଶ୍ୱର-ଏକାମ୍ରରୁ ଅମୀୟ ଦାଶଙ୍କୁ ଟିକେଟ ନମିଳିବା। ଅମୀୟ ବୋଧେ ବିଜେପିର ସବୁଠାରୁ ବଡ଼ ଅନୁଗତ କର୍ମୀ ଓ ଦୀର୍ଘ ୩୦ ବର୍ଷ ଧରି ସେ ଦଳର ସୁଖଦୁଃଖରେ ରହିଆସିଛନ୍ତି। ଏଭଳି ଜଣେ ପୁରୁଖା ନେତାଙ୍କ ସ୍ଥାନରେ ବିଜେଡିରୁ ସାଥେସାଥେ ଆସିଥିବା ବାବୁ ସିଂହଙ୍କୁ ଟିକେଟ ଦେବା କି ପ୍ରକାର ନିଷ୍ପତ୍ତି ବୋଲି ପଚାରିଛନ୍ତି ଅମୀୟଙ୍କ ସମର୍ଥକ। ଖାଲି ସେତିକି ନୁହେଁ ତାଙ୍କୁ ଟିକେଟ ଦିଆ ନ ଯିବା ପ୍ରତିବାଦରେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ଦିନ ଧରି ତାଲା ପକାଇ ଧାରଣାରେ ବସିବା  ଠାରୁ ଭଳି ଅଧିକ ଲଜ୍ଜାକର ଘଟଣା ଗୋଟିଏ ଶାସକ ଦଳ ପାଇଁ ଆଉ କଣ ଥାଇପାରେ? ସେହିଭଳି ଲକ୍ଷ୍ମୀପୁର,ଭଦ୍ରକରେ ମଧ୍ୟ ଟିକେଟ ଦିଆନିଆ ନେଇ ଭଙ୍ଗାରୁଜା ହୋଇଥିଲା।

ସୁରେଶ ପ୍ରକରଣ
ଏବେ ବରଗଡ଼ ଲୋକସଭା ଆସନ କଥା ଦେଖାଯାଉ। ଏଠି ଦଳର ତୁଙ୍ଗ ନେତୃତ୍ୱ ସୁବାସ ଚୌହାନଙ୍କୁ ହଟାଇ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛନ୍ତି। ଶୁଣାଯାଉଛି ଚୌହାନଙ୍କର ରାଜ୍ୟ ବିଜେପିର ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ସହିତ ପଟୁନଥିଲା। ଦଳୀୟ କନ୍ଦଳର ଶିକାର ହେଉଥିବା ଚୌହାନଙ୍କୁ ଟିକେଟ ନଦେଇ ବିଜେପି ବରଗଡ଼ ଆସନକୁ ବିଜେଡ଼ି ହାତରେ ନିର୍ବାଚନ ଆଗରୁ ହିଁ ଟେକିଦେଇଛି ବୋଲି ବୁଝିବାକୁ ହେବ କାରଣ ଏଠି ସୁରେଶଙ୍କ ଦବଦବା ନାହିଁ।

ଗୋଟିଏ ଲାଉର ମଞ୍ଜି
କଂଗ୍ରେସ ଓ ବିଜେଡ଼ିରେ ମଧ୍ୟ ଏକା ଅବସ୍ଥା। ବିଜେଡିର କୁସୁମ ଟେଟେ କୁହନ୍ତୁ କି ଦେବରାଜ ମହାନ୍ତିଙ୍କ କଥା କୁହନ୍ତୁ ସେମାନେ ନିହାତି ଶାସକ ଦଳର ଭୋଟକୁ ଖାଇବେ। ଦେଖିବାକୁ ଗଲେ ସବୁ ରଜନୈତିକ ଦଳ ଏବେ ଏକା ଭଳି ଲାଗୁଛନ୍ତି। ଯେଉଁ ଦଳ କହୁଛି ଆମେ ଅନ୍ୟ ମାନଙ୍କଠୁ ଅଲଗା ତାହା କେବଳ ଧର୍ମକୁ ଆଖିଠାର ଭଳି। ରାଜିନୀତିର ଅର୍ଥ  କ୍ଷମତା ଆଉ କ୍ଷମତା ହାସଲ ପାଇଁ ଦଳ ମାନେ କିଛି ବି କରିପାରିବେ

Comment