ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚର୍ଚ୍ଚାରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଟିକେଟ୍‌ ମିଳି ନଥିବାରୁ ବିଜେଡି ଛାଡ଼ିଥିବା ପ୍ରତ୍ୟୁଷା କଂଗ୍ରେସରେ ଯୋଗ ଦେବେ ବୋଲି ଜୋର୍‌ ଧରିଥିଲା। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପ୍ରତ୍ୟୁଷା ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ଏନେଇ ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍‌ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ଭେଟିଥିଲେ।

ଓଡିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରତ୍ୟୁଷା କହିଛନ୍ତି, “ମୋ ସ୍ଵାମୀଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ମୁଁ ରାଜନୀତିକୁ ଆସିଛି। ନୟାଗଡ଼ରେ ମୋ ସ୍ଵାମୀଙ୍କ ପ୍ରତିମୁର୍ତ୍ତୀ ସ୍ଥାପନ କରିବାପାଇଁ ମୁଁ ଚାହିଁଥିଲି। କିନ୍ତୁ ମୋ ସ୍ଵାମୀଙ୍କ ସ୍ମୃତି ରକ୍ଷା ପାଇଁ ବିଜେଡି କିଛି କଲାନି।”

Pratyusha Rajeswari Singh

ପ୍ରତ୍ୟୁଷା କହିଛନ୍ତି, “ନୟାଗଡ଼ରେ ମୋ ସ୍ଵାମୀଙ୍କ ପ୍ରତିମୁର୍ତ୍ତୀ ସ୍ଥାପନ କରିବାପାଇଁ ଲୋକମାନେ ଚାହିଁଥିଲେ। ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲି। ଏହା ସତ୍ତ୍ଵେ ଏହାକୁ କରାଇ ଦିଆଯାଇନଥିଲା। ନିର୍ବାଚନ ପରେ କରାଯିବ କହି ସ୍ଥାନୀୟ ବିଧାୟକ ଏହାକୁ କରାଇଦେଲେ ନାହିଁ। ଏଥିରେ ନୟାଗଡ଼ବାସୀ ବହୁତ ଦୁଃଖି ଥିଲେ। ଠିକ୍‌ ଏହି ସମୟରେ ଦଳୀୟ ଟିକେଟ୍‌ରୁ ମୋ ନାଁକୁ ହଟାଇ ଦିଆଯାଇଥିଲା। ଏଭଳି ଭାବେ ପ୍ରତିଶ୍ରୁତି ଦେଇ କଥା ନରଖି ଦଳ ମୋ ପ୍ରତି ଅନ୍ୟାୟ କରିଛି।”

ପ୍ରତ୍ୟୁଷା ଆହୁରି ମଧ୍ୟ କହିଛନ୍ତି, “ବିଜେଡି ମହିଳାମାନଙ୍କ ପାଇଁ କାମ କରୁଥବା କହୁଛି କିନ୍ତୁ ମୋ ପ୍ରତି ଦଳ ଅନ୍ୟାୟ କରିଛି। ପ୍ରତିଶ୍ରୁତି ଦେଇ କଥା ରଖିନି। ଏହା ମୋ ପ୍ରତି ଅପମାନ ଥିଲା। ସେଥିପାଇଁ ମୁଁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି।”

ବିଜେପିରେ କାହିଁକି ଯୋଗ ଦେଲେ ପ୍ରଶ୍ନରେ ପ୍ରତ୍ୟୁଷା କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଅନୁପ୍ରାଣିତ ହୋଇଛି। ତାଙ୍କ ନେତୃତ୍ଵରେ ପ୍ରଭାବିତ ହୋଇ  ମୁଁ ବିଜେପିରେ ଯୋଗ ଦେଇଛି।” ବିଜେପିରେ ରହି ସେ ଲୋକମାନଙ୍କ ସେବା କରିବା ସହିତ ରାଜନୀତି ଜାରି ରଖିବେ ବୋଲି ପ୍ରତ୍ୟୁଷା କହିଛନ୍ତି।

ବିଜୁ ଜନତା ଦଳରେ ଥିବା ସମୟରେ ଦଳ ପାଇଁ ସେ ନିଷ୍ଠାପର ଭାବେ କରିଥିବା ପ୍ରତ୍ୟୁଷା କହିଛନ୍ତି। କନ୍ଧମାଳ ଲୋକମାନଙ୍କ ପାଇଁ ସେ ୧୦୦ ପ୍ରତିଶତ କାମ କରିଛନ୍ତି। କନ୍ଧମାଳବାସୀଙ୍କୁ ତାଙ୍କ ସ୍ଵାମୀ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ତଥା ତାଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ସେ ରାଜନୀତିକୁ ଆସିଛନ୍ତି। ତାଙ୍କ କାମରେ କନ୍ଧମାଳର ଳୋକମାନେ ବହୁତ ଖୁସି ମଧ୍ୟ ଥିଲେ। କିନ୍ତୁ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ପ୍ରତ୍ୟୁଷା କହିଛନ୍ତି।

ସେହିପରି କଂଗ୍ରେସ ସହ ମିଶିବା ନେଇ ପ୍ରତ୍ୟୁଷାଙ୍କ ନାଁ ଚର୍ଚ୍ଚାରେ ଥିଲା। ଏମିତିକି ସେ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ପ୍ରତ୍ୟୁଷା। ସେ କହିଛନ୍ତି, “ନୟାଗଡ଼ ପାଇଁ ମତେ ବିଭିନ୍ନ ଦଳ ପକ୍ଷରୁ ଅଫର ମିଳିଥିଲା। ଶେଷରେ ବିଜେପି ଦଳ ସହ ସାମିଲ ନୟାଗଡ଼ବାସୀଙ୍କ ପାଇଁ କାମ କରିବାକୁ ମୁଁ ଚାହିଁଲି।”

Comment