ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ସାଧାରଣ ନିର୍ବାଚନ ଯେତିକି ପାଖଉଛି, ବିଭିନ୍ନ ଦଳର ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ବାରବାଟୀ-କଟକ ଆସନରେ ସମ୍ପ୍ରତି ରାଜନୀତି ସରଗରମ ହୋଇପଡ଼ିଛି। ଇତିମଧ୍ୟରେ ଦୁଇ ରାଷ୍ଟ୍ରୀୟ ଦଳ କଂଗ୍ରେସ ଓ ବିଜେପି ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କଂଗ୍ରେସରୁ ମହମ୍ମଦ ମୋକିମ ଓ ବିଜେପିରୁ ସମୀର ଦେ ପ୍ରାର୍ଥୀ ହେବା ପରେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଉତ୍ସୁକତା ବଢ଼ିଯାଇଛି। ଦୁଇ ଥର ବିଜେଡିରୁ ବିଧାୟକ ହୋଇଥିବା ଦେବାଶିଷ ସାମନ୍ତରାୟ ଉପରେ ଦଳ ଆସ୍ଥା ପ୍ରକଟ କରୁଛି କି ଜଣେ ନୂତନ ଚେହେରାକୁ ନିର୍ବାଚନ ମଇଦାନରେ ଓହ୍ଲାଉଛି ତାହା ଏବେବି ଅସ୍ପଷ୍ଟ ରହିଛି।

ସମୀର ଦେଙ୍କୁ ବାରବାଟୀ-କଟକ ଆସନରେ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ବିଜେପି ସୁଯୋଗ ଦେଇଛି। ୧୯୯୫, ୨୦୦୦, ୨୦୦୪ ଏହିପରି ଲଗାତର ୩ ଥର ସମୀର କଟକରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ମସିହା ନିର୍ବାଚନରେ ତାଙ୍କୁ ଜନ ସମର୍ଥନ ମିଳିନଥିଲା। ଏହାପରେ ଦେ ୨୦୧୪ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ନୁହେଁ ସାଂସଦ ପାଇଁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେଥିରେ ବି ତାଙ୍କୁ ଜନସମର୍ଥନ ମିଳିନଥିଲା। ତେବେ ଚଳିତଥର ପୁଣି ଥରେ ବିଧାୟକ ପ୍ରାର୍ଥୀ ଭାବେ ଦଳ ତାଙ୍କ ଉପରେ ଭରସା କରିଛି।

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନେଇ କୌଣସି ଦ୍ୱନ୍ଦ ନଥିଲା। ମହମ୍ମଦ ମୋକିମଙ୍କୁ ଟିକେଟ ମିଳିବା ଏକପ୍ରକାର ନିଶ୍ଚିତ ଥିଲା। କଂଗ୍ରେସ ଦଳ ପକ୍ଷରୁ ମୋକିମଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।

ବିଜେଡି ପ୍ରାର୍ଥୀ ଘୋଷଣା ନେଇ ବିଳମ୍ବ ଘଟିଚାଲିଥିବା ବେଳେ ଏଥିମଧ୍ୟରେ କଂଗ୍ରେସ ଓ ବିଜେପି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ବିଜେଡିଠାରୁ ଆଗରେ ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ପ୍ରାର୍ଥୀ ଘୋଷଣା ବିଳମ୍ବ ହୋଇଚାଲିଥିବାରୁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ବିଧାୟକ ସାମନ୍ତରାୟଙ୍କ ସହିତ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟ, ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା, ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ବିଶେଷ ଚର୍ଚ୍ଚା ହେଉଛି। ବିଜେଡିରେ ପ୍ରାର୍ଥୀ ମନୋନୟନରେ ବିଳମ୍ବ ହୋଇଚାଲିଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସେମାନଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିଦେଇସାରିଲେଣି।

ବିଜେପି ପ୍ରାର୍ଥୀ ସମୀର ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ମୋକିମ ବିଭିନ୍ନ ୱାର୍ଡରେ ଜନ ସଂପର୍କ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ପ୍ରଚାର ନିମନ୍ତେ ମଇଦାନକୁ ଓହ୍ଲାଇ ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣାକୁ ନେଇ ଦଳୀୟ କର୍ମୀ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। ତେବେ ଚଳିତ ଥର ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comment