ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୯ ଲୋକସଭା ଆସନରୁ ୭ଟିରେ ବିଜେଡି ଦେଲା ନୂଆ ମୁହଁ, ୩ ମହିଳା।

ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ମୋଟ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି ବିଜେଡି। ୯ଟି ଆସନରୁ ୭ଟିରେ ପ୍ରାର୍ଥୀ ବଦଳାଇ ନୂଆ ମୁହଁକୁ ଅଗ୍ରାଧିକାର ଦିଆଯାଇଛି।

ଜଗତସିଂହପୁର – ଡାକ୍ତର ଗଲେ, ଡାକ୍ତର ଆସିଲେ

୨୦୧୪ ନିର୍ବାଚନରେ ଜଗତସିଂହପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ବିଜେଡିର ଡାକ୍ତର କୁଳମଣୀ ସାମଲ। ଡାକ୍ତରୀ ପେଶା ଛାଡ଼ି ସେ ରାଜନୀତିରେ ପ୍ରବେଶ କରିଥିଲେ। କିନ୍ତୁ ଏଥର ତାଙ୍କ ଉପରେ ବିଜେଡି ଭରସା କରିନି। ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି।

ଭଦ୍ରକ, ଯାଜପୁରରେ ନୂଆ ମୁହଁ

ଭଦ୍ରକର ପାଞ୍ଚ ପାଞ୍ଚ ଥରର ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଏଥର ଟିକେଟ କଟିଛି। ତାଙ୍କ ଜାଗାରେ ନୂଆ ମୁହଁ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଭଦ୍ରକ ଲୋକସଭା ଆସନରେ ବିଜେଡି ମହିଳା କାର୍ଡ ଖେଳିଛି।

ସମ୍ବଲପୁରରେ ପୂର୍ବତନ ପ୍ରଶାସକ

ସମ୍ବଲପୁର ଲୋକସଭା ଆସନରେ ବିଜେଡି ନୂଆ ମୁହଁକୁ ପ୍ରାର୍ଥୀ କରିଛି। ୨୦୧୪ରେ ଜିତିଥିବା ନଗେନ୍ଦ୍ର ପ୍ରଧାନଙ୍କ ଟିକେଟ କାଟି ବିଜେଡି ପ୍ରଶାସକରୁ ରାଜନେତା ବନିଥିବା ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ ଦେଇଛି। ନଳିନୀ ପୂର୍ତ୍ତ ବିଭାଗ ସଚିବ ଥିଲେ। ସେ ନିକଟରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଯାଜପୁର – ରୀତା କଟିଲେ, ଶର୍ମିଷ୍ଠା ଆସିଲେ

ଯାଜପୁର ଲୋକସଭା ଆସନରେ ଏଥର ପ୍ରାର୍ଥୀ ବଦଳାଇଛି ବିଜେଡି। ୨୦୧୪ରେ ରୀତା ଲୋକସଭାକୁ ନିର୍ବାଚିତ ହୋଇଥିବା ରୀତା ତରାଇଙ୍କ ଟିକେଟ କାଟି ଶର୍ମିଷ୍ଠା ସେଠୀଙ୍କ ଉପରେ ଭରସା କରିଛି ଦଳ। ରୀତା ଏଥର ଟିକେଟ ନେବାକୁ ଆଶା କରିଥିଲେ।

ଭୁବନେଶ୍ୱରରେ ଅରୂପ

ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଟିକେଟ କାଟିଛି ବିଜେଡି। ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ।

ମୟୂରଭଞ୍ଜରେ ନୂଆ ମୁହଁ

ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡି ନୂଆ ମୁହଁ ଭାବେ ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ଚିଟଫଣ୍ଡ ଠକେଇ ଅଭିଯୋଗରେ ରାମ ଚନ୍ଦ୍ର ହାଁସଦା ଜେଲ ଯାଇଥିବାରୁ ତାଙ୍କୁ ଟିକେଟ ଦେଇନି ଦଳ।

କେନ୍ଦ୍ରାପଡ଼ାରେ ଅନୁଭବ 

ରାଜନୀତିରେ ଅନେକ ଗୁରୁତ୍ୱ ବହନ କରୁଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଇଛି। ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ିବା ପରେ ଏହି ଆସନରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ଅନ୍ୟପଟେ ପୁରୀ ଲୋକସଭା ଆସନରେ ପିନାକୀ ମିଶ୍ର ଏବଂ ବାଲେଶ୍ୱରରେ ରବୀନ୍ଦ୍ର ଜେନା ତାଙ୍କ ଟିକେଟ ବଜାୟ ରଖିଛନ୍ତି।

Comment