ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସବୁଠୁ ହଟ୍ ସିଟ୍ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କୁ ଦଳ ଟିକେଟ ଦେଇଛି। ଅନୁଭବ କେନ୍ଦ୍ରାପଡ଼ାରେ ଅଭିଜ୍ଞ ବୈଜୟନ୍ତ ପଣ୍ଡାଙ୍କୁ ମୁକାବିଲା କରିବେ।

କେନ୍ଦ୍ରାପଡ଼ାରେ ଅନୁଭବ ଏବଂ ବୈଜୟନ୍ତଙ୍କ ମଧ୍ୟରେ ଲଢ଼େଇ ଜମିବ ବୋଲି ଚର୍ଚ୍ଚା ହେଉଛି।

୧୯୯୮ରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ବିଜେଡି ଦଖଲରେ ରହିଥିଲା। ହେଲେ ୨୦୦୯ରୁ ଏହି ଆସନରୁ ବୈଜୟନ୍ତ ପଣ୍ଡା ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ଗତ କିଛି ମାସ ତଳେ ବୈଜୟନ୍ତ ଓ ବିଜେଡି ଭିତରେ ତୁ ତୁ ମେଁ ମେଁ ଚାଲିବାରୁ ବୈଜୟନ୍ତ ବିଜେଡି ସହ ସବୁ ସମ୍ପର୍କ ତୁଟାଇ ଦେଇଥିଲେ।

ନିକଟରେ ବୈଜୟନ୍ତ ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରିଛି। ବିଜେପିର ପ୍ରାର୍ଥୀ ଘୋଷଣା ହେବା ପରେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଥିଲା।

ବୈଜୟନ୍ତଙ୍କୁ କିଏ ଟକ୍କର ଦେବ ସେନେଇ ନବୀନ ନିବାସରେ ମାନସ ମାନ୍ଥନ ଚାଲିଥିଲା। ଶେଷରେ ଅନୁଭବଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ।

“ମୋ’ ଉପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରିଛନ୍ତି। କେନ୍ଦ୍ରାପଡ଼ା ପାଇଁ ମତେ ଟିକେଟ ଦେଇଥିବାରୁ ମୁଁ ତାଙ୍କ ସମ୍ମାନ ରଖିବାକୁ ଚେଷ୍ଟା କରିବି। କେନ୍ଦ୍ରାପଡ଼ା ଆସନରୁ ବିଜୁ ବାବୁ ଲଢ଼ିଥିଲେ। ଏହି ସମ୍ମାନଜନକ ଆସନରୁ ମତେ ଲଢ଼େଇ କରିବାର ସୁଯୋଗ ଦେଇଥିବାରୁ ଆମ ନେତାଙ୍କ ପାଖରେ ମୁଁ କୃତଜ୍ଞତା ଜଣାଉଛି”, କହିଛନ୍ତି ଅନୁଭବ ମହାନ୍ତି।

ଅନୁଭବ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଭବ ଆଗରେ ରହୁଥିଲେ।

Comment