ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବୁଧବାର ସଂଧ୍ୟାରେ ବିଜେଡି ୯ଲୋକସଭା ଓ ୩୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ତେବେ ୯ଲୋକସଭା ଆସନ ପ୍ରାର୍ଥୀ ତାଲିକାରେ ନବୀନ ୩ଜଣ ମହିଳା ଚେହେରାଙ୍କୁ ଟିକେଟ ଦେଇଥିବା ବେଳେ ୭ଜଣ ନୂଆଁ ମୁହଁ ଅଛନ୍ତି।

୯ଲୋକସଭା ଆସନ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ଭୁବନେଶ୍ୱର ଆସନ ଲାଗି। କାରଣ ଏହି ଆସନରେ ବିଜେଡି ୨୧ବର୍ଷ ପରେ ପ୍ରାର୍ଥୀ ପରିବର୍ତ୍ତନ କରିଛି।

ଏହି ଆସନରେ ୧୯୯୮ରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଆସୁଥିଲା ଏବଂ ସେ ପ୍ରତିଥର ନିର୍ବାଚନ ଜିତିବିଛନ୍ତି।

କିନ୍ତୁ ଏଥର ଦଳ ଏହି ଆସନରୁ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଅରୂପ ମୁମ୍ବାଇ କମିଶନର ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି, କିଛି ମାସ ଆଗରୁ ସେ ବିଜେଡିରେ ସାମିଲ ହେବା ସହ ବିଜୁ ଯୁବ ବାହିନୀର ଦାୟିତ୍ୱ ତୁଲାଇଥିଲେ।

ଭୁବନେଶ୍ୱର ଲାଗି ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ହିଁ ଏ ନେଇ ଚର୍ଚ୍ଚା ହେଉଥିଲା କି ଭୁବନେଶ୍ୱର ଲୋକସଭା ଆସନରେ ଏଥର ନୂଆ ମୁହଁ ଦେବ ବିଜେଡି।

ତେବେ ବିଜେଡି ସଭାପତି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସାଂସଦ ଟିକେଟ ଦେଇନାହାନ୍ତି ସତ କିନ୍ତୁ ଟିକେଟ ଘୋଷଣାର କିଛି ସମୟ ମଧ୍ୟରେ ଘୋଷଣା କରିଥିଲେ ପ୍ରସନ୍ନଙ୍କୁ ରାଜ୍ୟସଭା ପଠାଯିବ ବୋଲି।

ଏହାପରେ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି କି ପ୍ରସନ୍ନଙ୍କୁ ରାଜ୍ୟସଭାକୁ ପଠାଇ ନବୀନ ତାଙ୍କୁ ମନାଇ ଦେଇଛନ୍ତି। ଅନ୍ୟପଟେ ଏଥର ଭୁବନେଶ୍ୱର ଲୋକସଭା ଆସନରେ ବାବୁ ବନାମ୍‌ ବାବୁ ଲଢେଇ ଦେଖିବାକୁ ମିଳିବ।

Comment