ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ପାଗ ଭିଡ଼ୁଛନ୍ତି ରାଜନୈତିକ ଦଳ। ତେବେ ବିଜେପି ପାଇଁ ଏହି ଆସନ ଏକ  ବଡ଼ ଚ୍ୟାଲେଞ୍ଜ ହୋଇଛି। ବିଜେପି ଆଶା କରୁଛି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସ୍ଥିତିକୁ ପୂରା ବଦଳାଇଦେବ। ଏହି ଦୁଇ ଆସନରୁ ଯଥାକ୍ରମେ ବଳଭଦ୍ର ମାଝୀ ଓ ଜୟରାମ ପାଙ୍ଗି ପ୍ରାର୍ଥୀ ହୋଇଛନ୍ତି। ପାଙ୍ଗି ୨୦୧୭ ମସିହାରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ଏବେ ଏବେ ବଳଭଦ୍ର ବିଜେପିକୁ ଆସିଛନ୍ତି।

କୋରାପୁଟ ଓ ନବରଙ୍ଗପୁର ଆସନରେ ଅସଲ ସମସ୍ୟା ହେଉଛି ଏହି ଦୁଇ ପ୍ରାର୍ଥୀଙ୍କ ଦଳ ବଦଳ। ଯଦିଓ ଏ ଦୁଇ ଜଣଙ୍କ ଲୋକପ୍ରିୟତା ରହିଛି ଓ ଦୁଇ ଜଣ ଯାକ ନିଜ ନିଜ ଅଞ୍ଚଳରେ ପ୍ରଭାବଶାଳୀ, ବିଜେପି କର୍ମୀମାନେ କିପରି ଗ୍ରାମ୍ୟ ଭୋଟରଙ୍କୁ ବୁଝାଇବେ ସେ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ଏ ଦିହେଁ ମୂଳ ବିଜେଡ଼ିର ଲୋକ ବୋଲି ସମସ୍ତେ ଜାଣନ୍ତି।

ଖାସ ଏଇଥିପାଇଁ ମୋଦିଙ୍କ ଜୟପୁର ଗସ୍ତ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ରାଜନୀତି  ମହଲରେ ହେଉଥିବା ଆଲୋଚନା ଅନୁସାରେ ପାଙ୍ଗି ଓ ମାଝୀଙ୍କ ଜିତିବା ନିର୍ଭର କରିବ ବିଧାନସଭା ଆସନରେ ଭୋଟର ମାନେ କାହାକୁ ପସନ୍ଦ କରୁଛନ୍ତି। ବିଜେପି କର୍ମୀଙ୍କ ବିଶ୍ୱାସ ଯେ ମୋଦିଙ୍କ ସଭା ପରେ ସବୁ କିଛି ଠିକ୍ ହୋଇଯିବ।

ଆଜି ମୋଦି ଜୟପୁର ଉଡାଜାହାଜ ପଡ଼ିଆରେ ଭାଷଣ ଦେବେ। ଏହି ପଡିଆରେ ପୂର୍ବରୁ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ମଧ୍ୟ ଭାଷଣ ଦେଇଥିଲେ। ମୋଦିଙ୍କ ଗସ୍ତ ପୂର୍ବରୁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଦଳେ ଅଫିସର ଓ ସୁରକ୍ଷା ଅଧିକାରୀ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରି ଫେରିଯାଇଥିଲେ।

Comment