ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ତିନି ରଥୀ।

ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଗୁରୁତ୍ୱ ହୋଇପଡ଼ିଛି କେନ୍ଦ୍ରାପଡ଼ା ଲୋକସଭା ଆସନା କାରଣ ଏଠାରୁ ଦୁଇ ଜଣ ମହାରଥୀ ଲଢ଼ୁଛନ୍ତି। ତେବେ ଏଥର ଲଢେଇ କେବଳ ଦୁଇଟି ଦଳ ଭିତରେ ହିଁ ସୀମିତ ରହିବ – ବିଜେଡି ଓ ବିଜେପି।

ବୈଜୟନ୍ତ ବନାମ ଅନୁଭବ

ବିଜେପିରେ ଯୋଗ ଦେବା ପରେ ପୂର୍ବରୁ  ଏଠାକାର ସାଂସଦ ଥିବା ବୈଜୟନ୍ତ ପଣ୍ଡାଙ୍କୁ ଦଳ ବିନା ସଙ୍କୋଚରେ ଟିକେଟ ଦେଇଛି। ଏଣେ ଶାସକ ଦଳ ସିନେ ତାରକା ଓ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଏଠାରୁ ପ୍ରାର୍ଥୀ କରିଛି। କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକା ଅନୁଭବ ଓ ବୈଜୟନ୍ତଙ୍କ ଭିତରେ ଲଢ଼େଇ ନିଶ୍ଚିତ ଭାବରେ ତୀବ୍ର ହେବ ଏଥିରେ ସନ୍ଦେହ ନାହିଁ। ତେବେ କେନ୍ଦ୍ରାପଡ଼ା ଲୋକସଭା ଆସନର ଇତିହାସ ଯଦି  ଆମେ ଦେଖିବା ବୈଜୟନ୍ତ ବିଗତ ଦୁଇଟି ନିର୍ବାଚନରେ ଅସମ୍ଭବ ରକମର ଭୋଟ ଟାଣିଥିଲେ।

ବିଜେପିର ସ୍ଥିତି

୨୦୧୪ ସାଧାରଣ ନିର୍ବାଚନରେ ଯେତେବେଳେ ମୋଦି ହାୱା ବହୁଥିଲା ବୈଜୟନ୍ତ କେନ୍ଦ୍ରାପଡାରେ ୬ ଲକ୍ଷ ଅଧିକ ଭୋଟ ପାଇଥିଲେ। ଶତକଡା ହିସାବରେ ଏହା ଥିଲା ପ୍ରାୟ ୫୩%। ବର୍ତ୍ତମାନ ପ୍ରଶ୍ନ ହେଉଛି ବିଜେପିରୁ ପ୍ରାର୍ଥୀ ଭାବେ ଛିଡ଼ା ହେବା ପରେ ଗତ ଦୁଇଟି ନିର୍ବାଚନ ଭଳି ଭୋଟ ପାଇବେ କି?

ଯଦି ଏଥର ବୈଜୟନ୍ତ କେନ୍ଦ୍ରାପଡ଼ାରୁ ପୁଣି ଜିତନ୍ତି ଜାଣନ୍ତୁ ସେ ଇତିହାସ ସୃଷ୍ଟି କରିବେ। ଏହାର କାରଣ କେନ୍ଦ୍ରାପଡ଼ାରେ ବିଜେପିର ଉପସ୍ଥିତି ନଗଣ୍ୟ। ୨୦୧୪ରେ ଏଠାରୁ ପ୍ରାର୍ଥୀ ହୋଇଥିବା ବିଷ୍ଣୁ ପ୍ରସାଦ ଦାସ ମାତ୍ର ଲକ୍ଷେ ଅଠର ହଜାର ଭୋଟ ପାଇଥିଲେ ଯାହାକି ଶତକଡା ହିସାବରେ ୧୦%।

ସେହିପରି ୨୦୦୯ରେ ବିଜେପି ପ୍ରାର୍ଥୀ  ଲକ୍ଷେରୁ କମ ଭୋଟ ପାଇଥିଲେ। ଅବଶ୍ୟ ଇତିମଧ୍ୟରେ ବିଜେପିର ଶକ୍ତି ବଢ଼ିଛି ଓ ସଂଗଠନ ଦୃଢ଼ ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବି ଦଳ ବେଶ୍ ଭଲ କରିଥିଲା। ଏଣୁ ଆଶା କରାଯାଉଛି ବିଜେପିର ଭୋଟ ଓ ବୈଜୟନ୍ତଙ୍କ ଭୋଟ ମିଶିଲେ ବିଜେପିର ମୁଣିକୁ ଏଥର ଏହି ଆସନଟି ଯିବ। ହେଲେ କେନ୍ଦ୍ରାପଡା ହେଉଛି ବିଜେଡିର ଗଡ଼। ଏଣୁ ବୈଜୟନ୍ତଙ୍କ ପକ୍ଷରେ ଅନୁଭବଙ୍କୁ ଟକ୍କର ଦେବା ବି କଷ୍ଟ।

ଇତିହାସରେ କେନ୍ଦ୍ରାପଡ଼ା

ଇତିହାସକୁ ଯଦି ଆମେ ଯିବା କେନ୍ଦ୍ରାପଡା ସବୁବେଳେ କଂଗ୍ରେସ ବିରୋଧୀ ଆସନ ଭାବେ ପରିଗଣିତ ହୋଇ ଆସିଛି। କେବଳ କଂଗ୍ରେସର ନିତ୍ୟାନନ୍ଦ କାନୁନଗୋ ୧୯୫୨ରେ ଏଠାରୁ କଂଗ୍ରେସ ଟିକେଟରେ ଜିତିଥିଲେ। ପରେ ଲଗାତାର ତିନି ଥର ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରଜା ସୋସାଲିଷ୍ଟ ଦଳରୁ ନିର୍ବାଚନ ଜିତି ପାର୍ଲାମେଣ୍ଟକୁ ଯାଇଥିଲେ। ତା’ପରେ ଜନତା ପରିବାରର ପ୍ରାର୍ଥୀମାନେ ଏଠାରୁ ଜିତି ଆସିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାରୁ ତିନିଥର ଜିତି ସଂସଦକୁ ଯାଇଛନ୍ତି। ଏଥିରୁ ଦୁଇ ଥର ଜନତା ପାର୍ଟି ପ୍ରାର୍ଥୀ ଭାବେ ଓ ଥରେ ଭାରତୀୟ ଲୋକ ଦଳର ପ୍ରାର୍ଥୀ ଭାବେ। ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ ଦୁଇ ଥର କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ। ଥରେ ୧୯୮୯ରେ ଓ ଦ୍ୱିତୀୟ ଥର ୧୯୯୧ରେ। ଆଉ ଜଣେ ରଥୀ ଯିଏ କେନ୍ଦ୍ରାପଡ଼ା ଆସନରୁ  ଲଢ଼ି ପାର୍ଲାମେଣ୍ଟ ଯାଇଥିଲେ ସେ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା।୧୯୯୬ ନିର୍ବାଚନରେ ସେ ଏଠାରୁ ବିଜୟୀ ହୋଇଥିଲେ।

Comment