ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଛାତି ଆଜିକାଲି କୁଣ୍ଢେ ମୋଟ। ହେବା ବି ସ୍ୱାଭାବିକ କାରଣ ଯେଉଁ ଦଳକୁ ଦେଢ଼ ବର୍ଷ ତଳେ କେହି ପଚାରୁନଥିଲେ ସେହି ଦଳ ଆଜି ଶାସକ ବିଜେଡିକୁ ଟକ୍କର ଦେବାକୁ ବସିଛି। ଆଉ ଏହାର ଶ୍ରେୟ ପୂରାମାତ୍ରାରେ ନିରଞ୍ଜନଙ୍କୁ ହିଁ ଯିବ। ଏହାସହ ଏଥର ନିର୍ବାଚନ, ନିରଞ୍ଜନ ୨ଟି ଆସନରୁ ଲଢିବି ପାରନ୍ତି।

କଂଗ୍ରେସ ଦଳ ବିଗତ କିଛି ବର୍ଷ ଧରି ଓଡ଼ିଶା ରାଜନୀତିରେ ତାର ପ୍ରାସଙ୍ଗିକତାକୁ ହରାଇ ବସିଥିଲା ବେଳେ ନିରଞ୍ଜନ ମଙ୍ଗ ଧରିବା ପରେ ଏବେ ଦଳ ପୁନରୁଜ୍ଜୀବିତ ହୋଇଛି କେବଳ ନୁହେଁ ଆଗାମୀ ନିର୍ବାଚନରେ ଏକ ଶକ୍ତିଶାଳୀ ରାଜନୈତିକ ସତ୍ତା ଭାବରେ ଛିଡ଼ା ହେବାକୁ ଯାଉଛି ବୋଲି ବି ଦାବି କରୁଛି।

ସରକାର ଆମର

ଅନେକ ସଭାରେ ନିରଞ୍ଜନ କହୁଛନ୍ତି ୨୦୧୯ରେ ତାଙ୍କ ଦଳ ନିଶ୍ଚିତ ଭାବେ ରାଜ୍ୟରେ କ୍ଷମତାକୁ ଫେରିବ। ଅବଶ୍ୟ ବିଜେପି ପରି ସେ ଏକଥା ଖୋଲିକି କହିନାହାନ୍ତି କି କଂଗ୍ରେସ ବିଧାନସଭା ନିର୍ବାଚନରେ କେତୋଟି ଆସନ ପାଇବ। କଥା କହିବାରେ ମାହିର, ନିରଞ୍ଜନ କ୍ଷମତାକୁ ଫେରିବା କଥା କହି ନେତା ଓ କର୍ମୀଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ହୁଏତ ଚେଷ୍ଟା କରିଥାଇପାରନ୍ତି। ତେବେ ଦୀର୍ଘ ତିନି ଦଶନ୍ଧି ଧରି କ୍ଷମତାରୁ ବାହାରେ ରହିଥିବା ଦଳକୁ ରାସ୍ତାକୁ ଆଣିବା କାଠିକର ପାଠ ଏ କଥା ନିରଞ୍ଜନ ନିଜେ ବି ଭଲ ଭାବରେ ଜାଣିଛନ୍ତି।

କ୍ଷମତା ହାସଲ କରିବା ବିଷୟ ଯଦି କଂଗ୍ରେସର ମନକୁ ତୁହାକୁ ତୁହା ଆସୁଛି ତା ପଛରେ କାରଣ ବି ରହିଛି। ନିକଟରେ ପଡ଼ୋଶୀ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରି ଦଳ ଯେଉଁଭଳି ସରକାର ଗଠନ କରିପାରିଲା ତାହାର ପୁନରାବୃତ୍ତି ଓଡ଼ିଶାରେ ବି ହେବ ବୋଲି ଦଳର ନେତା ଆଶା ବାନ୍ଧିଥିବା ସ୍ପଷ୍ଟ ଦେଖାଯାଉଛି। ଦଳର ଅନେକ ବରିଷ୍ଠ ନେତାଙ୍କ ମତ ଯେ ଛତିଶଗଡ଼ରେ ଯେମିତି କୃଷକମାନଙ୍କୁ ଗୁରୁତ୍ୱ ଦେଇ ଦଳ ନିର୍ବାଚନ ଜିତିଲା ଏଠି ବି ସେୟା ହେବା ଅସମ୍ଭବ ନୁହେଁ। ଖାସ୍‌ ଏଥିପାଇଁ ଚାଷୀମାନଙ୍କ କଥା ଉଠିବା ବେଳକୁ କଂଗ୍ରେସ ଗତ କିଛି ଦିନ ଧରି ସବା ଆଗରେ ରହିଆସୁଛି – ତାହା ପ୍ରାଇସ, ପ୍ରେଷ୍ଟିଜ, ପେନସନ ହେଉକି ନବନିର୍ମାଣ ସଙ୍ଗଠନର ଆନ୍ଦୋଳନକୁ ସମର୍ଥନ ଦେବା ହେଉ।

ଯଦିଓ ନବୀନ ପଟ୍ଟନାୟକ ସରକାରଙ୍କ ‘କାଳିଆ’ ଯୋଜନା ଆସିବା ପରେ କଂଗ୍ରେସର ଚାଷୀ ଓ ଚାଷ ପ୍ରସଙ୍ଗ ତାର ଆଲୁଅ ହରାଇ ବସିଛି, ଦଳୀୟ ସୂତ୍ରରୁ ଖବର ମିଳିଛି ଯେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଏହି ଦୁଇଟି କଥା ଜୋରଦାର ଘୋଷଣା କରିବ: ଚାଷୀଙ୍କ ଋଣ ଛାଡ଼ ଓ ଧାନର ଏମଏସପି ବୃଦ୍ଧି। ଜାନୁଆରୀ ୨୪ ତାରିଖରେ ତମାଣ୍ଡୋ ସଭାରେ ଯୋଗ ଦେବାକୁ ଆସିଥିବା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ରାଜ୍ୟ ନେତାଙ୍କୁ ଏହି ଦୁଇଟି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବା ପାଇଁ ନିର୍ଦେଶ ଦେଇଥିଲେ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ୧୧୭ ଆସନ ପାଇଥିଲେ ହେଁ ତା’ର ଭୋଟ ପରିମାଣ ଥିଲା ୪୩.୪ ପ୍ରତିଶତ। କଂଗ୍ରେସର ଭୋଟ ପରିମାଣ କିନ୍ତୁ ୨୫.୭ ପ୍ରତିଶତକୁ ଖସି ଯାଇଥିଲା। ହେଲେ ୨୦୦୯ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭଲ ଭୋଟ ମିଳିଥିଲା। ପ୍ରତିଶତ ହିସାବରେ ଏହା ଥିଲା ୨୯.୧।

ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେଡି, ବିଜେପି ଓ କଂଗ୍ରେସ କସରତ କରୁଥିବା ବେଳେ ଜନମତ କାହା ସପକ୍ଷରେ ଯିବ ତାହା ମେ ୨୩ରେ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment