ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ସୁଦ୍ଧା ଲୋକେ ଜାଣିଥିବେ ବିଶ୍ୱର ସବୁଠୁ ବଡ଼ ‘ଲୁଣ ଗୁମ୍ଫା’ ହେଉଛି ଇରାନର ୩ ଏନ୍ ଏବଂ ଏହି ଗୁମ୍ଫାଟି ରହିଛି କେସମ ଆଇଲ୍ୟାଣ୍ଡର ଦକ୍ଷିଣାଞ୍ଚଳରେ। ୨୦୦୬ରେ ବିଶେଷଜ୍ଞମାନେ ଏହାକୁ ଖୋଜି ବାହାର କରିଥିଲେ। କିନ୍ତୁ ଏବେ ଏହାଠାରୁ ଆହୁରି ବଡ଼ ଏକ ଗୁମ୍ଫାର ସନ୍ଧାନ ମିଳିଛି ଇସ୍ରାଏଲରେ। ୯ଟି ଦେଶର ୮୮ ଜଣ ବିଶେଷଜ୍ଞ ଟିମ୍ ବିଶ୍ୱର ସବୁଠୁ ବଡ଼ ଲୁଣ ଗୁମ୍ଫାକୁ ଖୋଜି ବାହାର କରିଛନ୍ତି, ଯାହା ଦୀର୍ଘ ୧୦ କିଲୋମିଟର ଲମ୍ବ ଅର୍ଥାତ ୬.୨ ମାଇଲ।

ଏହି ଗୁମ୍ଫାଟି ଡେଡ୍ ସି ନିକଟରୁ ଯାଇ ମାଉଣ୍ଟ ସୋଡମ୍ ସହିତ ମିଶିଛି। ଗତ ମାର୍ଚ୍ଚ ୨୮ରେ ଏହି ଗୁମ୍ଫାର ସନ୍ଧାନ ମିଳିଥିବା ନେଇ ଜେରୁଜେଲମର ହିବ୍ରୁ ୟୁନିଭର୍ସିଟିର ଗବେଷକମାନେ ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ କୁହାଯାଇଛି, ମାଉଣ୍ଟ ସୋଡମ ହେଉଛି ଇସ୍ରାଏଲର ସବୁଠାରୁ ବଡ଼ ପାହାଡ଼।

ଏହି ଗୁମ୍ଫାର ନାଁ ହେଉଛି ମଲହମ୍, ଯାହା ଡେଡ୍ ସି’ର ଦକ୍ଷିଣ ପଶ୍ଚିମ କୋଣ ଯାଏ ବ୍ୟାପିଛି। ଏହା ପୂର୍ବରୁ ଦକ୍ଷିଣ ଇରାନ ନିକଟରେ ରହିଥିଲା ସବୁଠାରୁ ବଡ଼ ଲୁଣ ଗୁମ୍ଫାର ରେକର୍ଡ। ଏହି ଗୁମ୍ଫାର ଛାତରେ ଲୁଣର ଖଣ୍ଡ ସବୁ ଝୁଲିକି ରହିଛି. ଯାହା ଧାତୁ ଭଳି ଚିକମିକ୍ କରୁଛି। ୮୦ ଜଣ ବିଶେଷଜ୍ଞ ଏହି ଗୁମ୍ଫାର ଲମ୍ବ ମାପିବାରେ ସାମିଲ ଥିଲେ।

Comment