ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ଏଥର ୫୦ ଜଣଙ୍କୁ ଟିକେଟ ଦେଇନଥିବା ଜଣାପଡ଼ିଛି। ଉଭୟ ଲୋକସଭା ଓ ବିଧାନସଭା ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ଟିକେଟ କଟାଯିବା ବିଜେଡିର କୋଡିଏ ବର୍ଷର ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

ଯେଉଁ ସାଂସଦଙ୍କ ଟିକେଟ ଏଥର  କଟାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଭଦ୍ରକର ଅର୍ଜୁନ ଚରଣ ସେଠୀ, ଭୁବନେଶ୍ୱରର ପ୍ରସନ୍ନ ପାଟଶାଣୀ, ମୟୂରଭଞ୍ଜର ରାମଚନ୍ଦ୍ର ହାଁସଦା, କନ୍ଧମାଳର ପ୍ରତ୍ୟୁଷା ରାଜେଶ୍ୱରୀ, କେନ୍ଦୁଝରର ଶକୁନ୍ତଳା ଲାଗୁରି, ଯାଜପୁରର ରିତା ତରାଇ, ଜଗତସିଂହପୁରର କୁଳମଣି ସାମଲ, ବରଗଡ଼ର ପ୍ରଭାସ ସିଂହ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ ବ୍ରହ୍ମପୁର ଆସନରୁ ସିଦ୍ଧାନ୍ତ ମହାପାତ୍ର।

ପୁରୁଣା ସାଂସଦଙ୍କ ଭିତରୁ କେବଳ ପୁରୀ,କଟକ,ବଲାଙ୍ଗୀର ଓ ବାଲେଶ୍ୱରର ପ୍ରତିନିଧିମାନଙ୍କ ଉପରେ ନବୀନ ଭରସା କରିଛନ୍ତି।

ସେହିଭଳି ବିଧାୟକଙ୍କ ଭିତରୁ ବହୁ ହେଭିୱେଟ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଉନାହାନ୍ତି। ଏମାନଙ୍କ ଭିତରେ ଅଛନ୍ତି ଶଶୀଭୂଷଣ ବେହେରା,ଭି ସୁଜ୍ଞାନ କୁମାରୀ ଦେଓ, ପ୍ରବୀଣ ଭଞ୍ଜଦେଓ, ଯୋଗେନ୍ଦ୍ର ବେହେରା, ମାନସ ମାଡକାମୀ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ପ୍ରିୟଦର୍ଶୀ ମିଶ୍ର,ବିଜୟ ମହାନ୍ତି, ସରୋଜ ସାମଲ,ରାଜୀବ ପାତ୍ର, ପୂର୍ଣ୍ଣ ନାୟକ,ଧନେଶ୍ୱର ମାଝି, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରିୟାଂଶୁ ପ୍ରଧାନ, ଦୁଗୁନି କହଁର, ଡମ୍ବୁରୁ ଶୀଶା, ବାସନ୍ତୀ ମଲ୍ଲିକ, ତ୍ରିନାଥ ଗମାଙ୍ଗ ଓ ଆୟୁବ ଖାଁ।

ଏହାଛଡ଼ା ଆହୁରି ଅନେକ ସଂସଦୀୟ  ସ୍ଥାନରେ ନିଜେ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଛନ୍ତି ଅଥବା ସେମାନଙ୍କ ସ୍ଥାନରେ ପତ୍ନୀମାନଙ୍କୁ ଟିକେଟ ମିଳିଛି। କିଛି ସାଂସଦ ଯଥା ତଥାଗତ ସତପଥୀ ଓ ବୈଜୟନ୍ତ ପଣ୍ଡା ନିଜ ବାଟ ନିଜେ ଦେଖିଥିବା ବେଳେ କିଛି  ବିଧାୟକ  ପୁତ୍ର କନ୍ୟାମାନଙ୍କ ପାଇଁ ଟିକେଟ ଯୋଗାଡ଼ କରି ନିଜେ ବସି ଯାଇଛନ୍ତି।

ଅନ୍ୟ କିଛି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଅଦଳ ବଦଳ କରାଯାଇଛି। ଚିଲିକା, ବେଗୁନିଆ, ଖୋର୍ଦ୍ଧା,ନବରଙ୍ଗପୁର ଓ  ଏରସମାର ବିଧାୟକମାନଙ୍କୁ ଦଳ ପକ୍ଷରୁ ଏପଟ ସେପଟ କରାଯାଇଛି।

ଏଥର ଟିକେଟ ଆବଣ୍ଟନରେ ସବୁଠାରୁ ବେଶୀ ଘାଟାରେ ପଡିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ନା ସେ ନିଜେ ଟିକେଟ ପାଇଲେ ନା ଜାମାତାଙ୍କୁ ଟିକେଟ ମିଳିଲା। ତେବେ ବଲାଙ୍ଗୀର ରାଜ ପରିବାର ନବୀନଙ୍କ ଠାରୁ ସବୁଠାରୁ ବେଶୀ ଫାଇଦା ନେଇଛନ୍ତି। ଏ ୟୁ ସିଂହଦେଓ ନିଜେ ରାଜ୍ୟସଭା ସାଂସଦ ଥିବା ବେଳେ ବଡ଼ ପୁଅ କଳିକେଶ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି ଓ ସାନ ପୁଅ ପାଇଁ ବଲାଙ୍ଗୀର ବିଧାନସଭା ଆସନ  ଟିକେଟ ଯୋଗାଡ଼ କରିପାରିଛନ୍ତି ଏୟୁ।

Comment