ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିଲ୍ଲୀପ ରାୟଙ୍କୁ ଭେଟିଲେ ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ନାୟକ।

ଦିଲ୍ଲୀପ ରାୟଙ୍କୁ ନେଇ ଜଟିଳ ହେଉଛି ରାଜ୍ୟ ରାଜନୀତିର ଗଣିତ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ଏବଂ ତାଙ୍କ ସମର୍ଥକ କେଉଁ ଦଳକୁ ସମର୍ଥନ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଫଟୋ ଅନେକ କଥା କହୁଛି।

ଏହି ଫଟୋରୁ ଜଣାପଡୁଛି ଯେ ଦିଲ୍ଲୀପ ବିଜେଡି ଆଡକୁ ଢଳୁଛନ୍ତି। ୨୦୧୯ ନିର୍ବାଚନରେ ଦିଲ୍ଲୀପ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।

ରାଉରକେଲାରେ ସମର୍ଥକଙ୍କୁ କ’ଣ କହିଲେ ଦିଲ୍ଲୀପ?

ଗତ ୪ ତାରିଖର ଘଟଣା। ଦୀର୍ଘ ଦିନ ପରେ ନିଜ ନିର୍ବାଚନମଣ୍ଡଳୀ ରାଉରକେଲାରେ ଦିଲ୍ଲୀପ ରାୟଙ୍କୁ ଦେଖିବାକୁ ମିଳିଥିଲା। ଦିଲ୍ଲୀପ ନିଜ ବାସଭବନରେ ପହଞ୍ଚିବା ବେଳକୁ ତାଙ୍କୁ ଅପେକ୍ଷା କରି ରହିଥିଲେ ସମର୍ଥକ। ଦିଲ୍ଲୀପ ପହଞ୍ଚୁ ପହଞ୍ଚୁ ତାଙ୍କୁ ପାଛୋଟି ନେଇଥିଲେ।

ଦିଲ୍ଲୀପ ପହଞ୍ଚିବା ପରେ ବାସଭବନ ପରିସରରେ ଥିବା ଲଣ୍ଣରେ ହୋଇଥିଲା କର୍ମୀ ସମ୍ମିଳନୀ। ଏହି ସମ୍ମିଳନୀରେ ଉଦବୋଧନ ଦେଇଥିଲେ ଦିଲ୍ଲୀପ। ବିଜେପି କାହିଁକି ଛାଡ଼ିଲେ ଏବଂ କେଉଁ ଦଳକୁ ୨୦୧୯ରେ ସମର୍ଥନ କରିବା ସେ ଉପରେ ଆଲୋଚନା କରିଥିଲେ।

‘‘ରାଉରକେଲାର ଦୁଇଟି ପ୍ରମୁଖ ସମସ୍ୟା ରହିଛି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲର ଆଧୁନିକୀକରଣ। ଏହି ସମସ୍ୟା ଆଜି ଯାଏଁ ସମାଧାନ ହୋଇପାରିଲା ନାହିଁ। ଯେଉଁ ଦଳ ପ୍ରତିଶ୍ରୁତି ଦେଇଥିଲେ ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି। ଏଣୁ ଆମେ ସେ ଦଳକୁ ସମର୍ଥନ କରିବା ନାହିଁ। ଯିଏ ରାଉରକେଲାର ବିକାଶ କରିବ ଏବଂ ଏହି ଦୁଇଟି ଦାବି ପୂରଣ ପାଇଁ ଆଗେଇ ଆସିବ ଆମେ ତାଙ୍କ ସହ ରହିବା’’, ଏହା କହିଥିଲେ ଦିଲ୍ଲୀପ।

ତେବେ କେଉଁ ଦଳକୁ ସମର୍ଥନ କରିବା ତାହା ଖୋଲାଖୋଲି କହି ନଥିଲେ ଦିଲ୍ଲୀପ। ହେଲେ ସମର୍ଥକଙ୍କ ସହ ଆଲୋଚନା ପରେ ରାଉରକେଲା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କୁ ଦିଲ୍ଲୀପଙ୍କ ବାସଭବନରେ ଦେଖିବାକୁ ମିଳିଥିଲା। କିଛି ସମୟ ଧରି ଆଲୋଚନା କରିଥିଲେ ଉଭୟ ନେତା। ତେବେ କ’ଣ ଆଲୋଚନା ହେଲା ଯଦିଓ ତାହା ସ୍ପଷ୍ଟ ହୋଇନି କିନ୍ତୁ ଦିଲ୍ଲୀପ ଏବଂ ତାଙ୍କ ସମର୍ଥକ ବିଜେଡି ପ୍ରତି ଢଳୁଥିବା ଚର୍ଚ୍ଚା ହେଉଛି।

କାରଣ ସମର୍ଥକମାନଙ୍କୁ ଦିଲ୍ଲୀପ ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ ଯିଏ ପ୍ରତିଶ୍ରୁତି ପୂରଣ କରି ନାହାନ୍ତି ସେ ଦଳକୁ ସମର୍ଥନ କରିବା ନାହିଁ। ଅର୍ଥାତ ଦିଲ୍ଲୀପ ବିଜେପିକୁ ସମର୍ଥନ କରିବେ ନାହିଁ ବୋଲି ପରୋକ୍ଷରେ କହିଛନ୍ତି। ଏଣୁ ଦିଲ୍ଲୀପ ବିଜେଡିକୁ ଢଳୁଥିବା କୁହାଯାଉଛି।

୨୦୧୪ ନିର୍ବାଚନରେ ଦିଲ୍ଲୀପ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ସାରଦା ବିଜେଡି ପ୍ରାର୍ଥୀ ହୋଇଥିଲେ। ଦୁହିଁଙ୍କ ଭିତରେ ବିଗ୍ ଫାଇଟ ହୋଇଥିଲା। ହେଲେ ଦିଲ୍ଲୀପ ନିର୍ବାଚନ ଜିତିଥିଲେ। କିନ୍ତୁ ପାଞ୍ଚ ବର୍ଷ ଭିତରେ ପଶାପାଲି ପଲଟି ଯାଇଛି। ଦିଲ୍ଲୀପ ବିଜେପି ଛାଡ଼ି କୌଣସି ଦଳରେ ଯୋଗ ଦେଇ ନାହାନ୍ତି।

ବିଜେପି ଛାଡ଼ିବା ପରେ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ଟିକେଟ ବଣ୍ଟନ ହେବା ପୂର୍ବରୁ ଦିଲ୍ଏୀପ ନବୀନ ନିବାସ ଯାଇଥିଲେ। ହେଲେ ସେ ବିଜେଡିରେ ଯୋଗ ଦେଇ ନାହାନ୍ତି। ନିର୍ବାଚନ ପୂର୍ବରୁ ଦିଲ୍ଲୀପଙ୍କ କର୍ମୀ ସମ୍ମିଳନୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Comment