ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁରରେ ନବୀନ, ସୁନ୍ଦରଗଡ଼ ଏବଂ ସୋନପୁରରେ ମୋଦି କଲେ ନିର୍ବାଚନୀ ପ୍ରଚାର।

ପ୍ରଚାର ମଇଦାନ ଏବେ କମ୍ପୁଛି। ବିଜେଡିର ପୋଷ୍ଟରବୟ ନବୀନ ପଟ୍ଟନାୟକ ଏବଂ ବିଜେପି ପୋଷ୍ଟରବୟ ନରେନ୍ଦ୍ର ମୋଦିଙ୍କ ପ୍ରଚାରରେ ରାଜ୍ୟ ରାଜନୀତି ସରଗରମ ହୋଇ ଯାଇଛି। ନବୀନ ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ମୋଦି ପଶ୍ଚିମ ଓଡ଼ିଶାରେ ପ୍ରଚାରର ମଙ୍ଗ ଧରିଥିଲେ।

ଗତ ୨୯ ତାରିଖରୁ ମୋଦି ଓଡ଼ିଶାରେ ଆରମ୍ଭ କରିଥିଲେ ନିର୍ବାଚନୀ ପ୍ରଚାର। କୋରାପୁଟର ଜୟପୁରଠାରେ ମୋଦି ପ୍ରଚାର କରି ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ। ଏହାପରେ ମୋଦି ଭବାନିପାଟଣା ଆସିଥିଲେ। ଏଠାରେ ବି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଆଦିବାସୀ କାର୍ଡ ଖେଳିଥିଲେ।

ସୁନ୍ଦରଗଡ଼ ଓ ସୋନପୁରରେ ମୋଦି

ନିର୍ବାଚନ ପ୍ରଚାର ପାଇଁ ଆଜି ଥିଲା ମୋଦିଙ୍କର ତୃତୀୟ ଓଡ଼ିଶା ଗସ୍ତ। ମୋଦି ଆଜି ପଶ୍ଚିମ ଓଡ଼ିଶାକୁ ଫୋକସ୍ କରିଥିଲେ। ବିଜେପି ଗଡ଼ ସୁନ୍ଦରଗଡ଼ରେ ମୋଦି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ତାଙ୍କ ସରକାର ଅମଳରେ ଓଡ଼ିଶାକୁ ଆସିଥିବା ଅନୁଦାନର ଟିକିନିଖି ହିସାବ ଦେଇଥିଲେ। ବିଜୟ ସଂଙ୍କଳ୍ପ ସମାବେଶରେ ମୋଦି ଦଳୀୟ କର୍ମୀ ଓ ନେତାଙ୍କୁ ବିଜୟ ମନ୍ତ୍ର ଦେଇଥିଲେ।

୨୦୧୪ରେ ୨୧ଟି ଲୋକସଭା ଆସନରୁ ବିଜେପି କେବଳ ସୁନ୍ଦରଗଡ଼କୁ ଅକ୍ତିଆର କରିଥିଲା। ଜୁଏଲ ଓରାମ ଏଠାରୁ ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ। ଏଥର ବି ଜୁଏଲ ସୁନ୍ଦରଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି। ଜୁଏଲ ଏବଂ ବିଭିନ୍ନ ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଥିବା ନେତାଙ୍କ ପାଇଁ ମୋଦି ପ୍ରଚାର କରିଥିଲେ।

କାରଣ ଗଣିତ କହୁଛି ସୁନ୍ଦରଗଡ଼ରେ ବିଜେପିର ସ୍ଥିତି ୨୦୧୪ ତୁଳନାରେ ଏବେ ଭଲ ନାହିଁ। ଗତ ଥର ବିଜେପି ସୁନ୍ଦରଗଡ଼ ଲୋକସଭା ଆସନ ସମେତ ରାଉରକେଲା ବିଧାନସଭା ସିଟ୍ ବି ଦଖଲ କରିଥିଲା। କିନ୍ତୁ ନିକଟରେ ରାଉରକେଲା ବିଧାୟକ ଥିବା ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏଠି ଦଳର ସ୍ଥିତି ଭଲ ନାହିଁ।

ସୁନ୍ଦରଗଡ଼ରେ ପଦ୍ମ ଫୁଟାଇବା ପାଇଁ ଜୁଏଲ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ସୋନପୁର ସଭାରେ ବି ମୋଦି ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ। କଂଗ୍ରେସ ହଟିଲେ ଦେଶରୁ ଗରିବୀ ହଟିବ ବୋଲି ସେ କହିଛନ୍ତି।

ନବରଙ୍ଗପୁରରେ ନବୀନ

ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡିର ଷ୍ଟାର ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁରରେ କରିଛନ୍ତି ହାଇଭୋଲଟେଜ ପ୍ରଚାର। ନବରଙ୍ଗପୁର ସଭାରୁ ନବୀନ କେନ୍ଦ୍ରକୁ କରିଥିଲେ ନିଶାନା।

ନବରଙ୍ଗପୁରରେ ଏଥର ହେଉଛି ବିଗ୍ ଫାଇଟ୍। ଏହି ଲୋକସଭା ଆସନଟି ଗତ ଥର ବିଜେଡି କବଜାରେ ଥିଲା। ବିଜେଡି ଟିକେଟରେ ଜିତିଥିବା ବଳଭଦ୍ର ମାଝି ଏବେ ବିଜେପିରେ। ଏଣୁ ଦଳ ଏଠି ରମେଶ ମାଝିଙ୍କୁ ସାଂସଦ ଟିକେଟ ଦେଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନବୀନ ଆଜି ନବରଙ୍ଗପୁରରେ ମନ୍ତ୍ର ଫୁଙ୍କିଛନ୍ତି।

୨୦୧୯ ପାଇଁ ନବୀନ ଏବେ ମାରାଥନ ପ୍ରଚାରରେ ଲାଗି ପଡ଼ିଛନ୍ତି। ନୟାଗଡ଼ ପରେ ବ୍ରହ୍ମପୁର, ଜୟପୁରରେ ପ୍ରଚାର କରିବା ପରେ ନବୀନ ନବରଙ୍ଗପୁରକୁ ଫୋକସ୍ କରିଛନ୍ତି।

ନବୀନଙ୍କ ପ୍ରଶ୍ନ, ମୋଦିଙ୍କ ପ୍ରଶ୍ନ

ଦକ୍ଷିଣ ଓଡ଼ିଶାର ନବରଙ୍ଗପୁରରେ ନିର୍ବାଚନୀ ପ୍ରଚାର କରିଥିବା ନବୀନ ଆଜି କେନ୍ଦ୍ରର ବିଜେପି ସରକାରକୁ ପ୍ରଶ୍ନବାଣରେ ଘେରିଥିଲେ। ଏପଟେ ମୋଦି ବି ପ୍ରଶ୍ନ କରିଥିଲେ। ଦୁଇ ହେଭିଓ୍ୱେଟଙ୍କ ପ୍ରଶ୍ନବାଣରେ ରାଜନୀତି ମାହୋଲ  ପୂରା ଗରମ।

ନବୀନଙ୍କ ପ୍ରଶ୍ନ – ‘‘ଧାନର ସହାୟକ ମୂଲ୍ୟ ୨ଗୁଣ କରିବା କଥା କୁଆଡ଼େ ଗଲା? ନବରଙ୍ଗପୁରରେ ନୂଆ ରେଳଲାଇନ୍‌ ତିଆରି କଥା କୁଆଡ଼େ ଗଲା? ମହାନଦୀ ପ୍ରସଙ୍ଗର ସମାଧାନ ହେଲା ନାହିଁ। ଚାଷୀ ବୀମାରେ କାହିଁକି ପରିବର୍ତ୍ତନ କରାଗଲା ନାହିଁ? ଏସସି, ଏସଟି ପିଲାଙ୍କ ସ୍କଲାରସିପ୍‌କୁ କାହିଁକି ଅଟକାଗଲା। ରାଜ୍ୟରେ ପ୍ରତି ଜମିକୁ ଜଳସେଚନ କଥା କୁଆଡ଼େ ଗଲା?”

ମୋଦିଙ୍କ ପ୍ରଶ୍ନ – “ଓଡ଼ିଶାରେ କେବଳ ୮ ଲକ୍ଷ ଲୋକଙ୍କୁ ପକ୍କା ଘର କାହିଁକି ଦିଆଯାଇଛି। ଆଉ ଅଧିକ ଲୋକଙ୍କୁ ପକ୍କା ଘର କାହିଁକି ଦିଆଯାଇନି? ଏଭଳି ସରକାର ବଦଳି ଯିବା ଦରକାର କି ନାହଁ? ଓଡ଼ିଶାରେ ସଚ୍ଚୋଟ ନା ଭ୍ରଷ୍ଟ ସରକାର ଦରକାର? ସବୁ ବର୍ଗର ବିକାଶ କରୁଥିବା ସରକାର ନା ବଂଶଗତ ରାଜନୀତି କରୁଥିବା ସରକାର ଦରକାର?

Comment