ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ


ଶାସକ ବିଜେଡି ଏଥର ବି ବ୍ରହ୍ମପୁର ଆସନରୁ ହ୍ୟାଟ- ଟ୍ରିକ କରିବା ପାଇଁ ଚାହୁଁଥିବା ବେଳେ ଭୋଟରଙ୍କ ମତିଗତି କିନ୍ତୁ କିଛିଟା ଅଲଗା ଅଲଗା ଲାଗୁଛି। ବିଜେଡି ଏଥର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିଛି। ବିଜେପି ପକ୍ଷରୁ ଭୃଗୁ ବକ୍ସିପାତ୍ର ପ୍ରାର୍ଥୀ ହୋଇଛନ୍ତି।

ଦୀର୍ଘ ୪୦ ବର୍ଷ ଧରି ବ୍ରହ୍ମପୁର କଂଗ୍ରେସ ଦଳର କବଜାରେ ରହି ଆସିଥିଲା। ୧୯୯୯ରେ ଏହି ଧାରା ଭାଙ୍ଗିଲା ଯେତେବେଳେ ବିଜେପିର ଅନାଦି ସାହୁ ଏଠାରୁ ନିର୍ବାଚିତ ହେଲେ। ତେବେ ୨୦୦୪ରେ ଚନ୍ଦ୍ର ଶେଖର ସାହୁ ପୁଣି ଏହି ଆସନକୁ ହାତେଇଥିଲେ। ୨୦୦୯ରେ ବିଜେଡି ଏହାକୁ କବଜା କଲା ଯେତେବେଳେ ଫିଲ୍ମ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏଠାରୁ ପ୍ରାର୍ଥୀ ହେଲେ। ୨୦୧୪ ନିର୍ବାଚନରେ ସିଦ୍ଧାନ୍ତ ଦ୍ୱିତୀୟ ଥର ପାଇଁ ବ୍ରହପୁରରୁ ନିର୍ବାଚିତ ହୋଇଥିଲେ।

ଏଥର କିନ୍ତୁ ବିଜେଡି ସିଦ୍ଧାନ୍ତଙ୍କ ସ୍ଥାନରେ ଚନ୍ଦ୍ର ଶେଖର ସାହୁଙ୍କୁ ପ୍ରାର୍ଥୀ କରିଛି। ଚନ୍ଦ୍ର ଶେଖର ସାହୁ ଦୀର୍ଘ କୋଡିଏ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଆସୁଥିବା ବେଳେ ବିଜେଡିରେ ଯୋଗ ଦେବା ପରେ ଏବେ ସୁପ୍ରିମୋଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି। ବ୍ରହ୍ମପୁର ଭୋଟରମାନେ ଏହି କଥାକୁ କିନ୍ତୁ  ସହଜରେ ଗ୍ରହଣ କରି ପାରୁନାହାନ୍ତି। ତା ଛଡ଼ା ବିଜେଡି କର୍ମୀମାନେ ଚନ୍ଦ୍ର ଶେଖର ସାହୁଙ୍କୁ ସମର୍ଥନ କରିବା ପାଇଁ ଅମଙ୍ଗ ହେଉଛନ୍ତି। କାରଣ ଏତେ ବର୍ଷ ଧରି ଯାହାଙ୍କୁ ବିରୋଧ କରୁଥିଲେ ଏବେ ତାଙ୍କ ପାଇଁ ପ୍ରଚାର କରିବା ପାଇଁ ପଡ଼ୁଛି।

ବିଜେଡିର ସ୍ଥାନୀୟ ନେତା ଓ କର୍ମୀଙ୍କ ଆଉ ଏକ ଅଭିଯୋଗ ହେଉଛି ଯେ ୫ଟି ବିଧାନସଭା ଆସନରେ ଏହି ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ବଦଳି ଦିଆଯାଇଛି। ଏଣୁ ଚନ୍ଦ୍ର ଶେଖରଙ୍କୁ ନିର୍ବାଚନ ଜିତିବା ପାଇଁ ପୂରାପୂରି ନବୀନଙ୍କ କରିସ୍ମା ଉପରେ ହିଁ ନିର୍ଭର କରିବାକୁ ହେବ।

ଶାସକ ଦକର ରାଜନୀତି ଏହିଭଳି ଗୋଳିଆ ହୋଇ ପଡ଼ିଥିଲା ବେଳେ ଓ କଂଗ୍ରେସ ଦଳର ର ପ୍ରଚାର ଦେଖା ନଥିବା ବେଳେ ବିଜେପିର ଭୃଗୁ ବକ୍ସିପାତ୍ର ପରିସ୍ଥିତିର ପୂରା ଫାଇଦା ଉଠାଇ ନେବାକୁ ଲାଗି ପଡିଛନ୍ତି।

ବିଜେପି ପକ୍ଷରୁ ସମଗ୍ର ନିର୍ବାଚନମଣ୍ଡଳୀରେ ପ୍ରଚାରକୁ ଜୋରଦାର କରାଯାଇଛି। ଭୃଗୁଙ୍କ ଜିତିବା ସମ୍ଭାବନାକୁ ବଢ଼ାଇବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଆଗେଇ ଆସିଛନ୍ତି। ଏଣୁ ଭୃଗୁ ଢେର ଭଲ ସ୍ଥିତିରେ ଥିବା ଆଲୋଚନା ହେଉଛି। ତେଣେ କଂଗ୍ରେସର ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ ଏଯାଏଁ ପ୍ରଚାରକୁ ବି ଓହ୍ଲାଇ ନାହାନ୍ତି।

ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଭୃଗୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେବା ଦେଖାଯାଉଛି। ଗଞ୍ଜାମ ଜିଲ୍ଲାର ଯେତେ ସବୁ ପ୍ରକଳ୍ପ ବକେୟା ପଡ଼ିଛି ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ସଂକଳ୍ପ କରିଛନ୍ତି। ଆହୁରି ମଧ୍ୟ ମୋଦି ହାୱାର ପୂରା ଫାଇଦା ଉଠାଇବା ପାଇଁ ଭୃଗୁ ଲାଗି ପଡ଼ିଛନ୍ତି।

ବହୁ ସିନେ ତାରକା ପ୍ରଚାର ପାଇଁ ବ୍ରହ୍ମପୁର ଆସିଥିବାରୁ ଭୃଗୁଙ୍କ ପାଇଁ ଏହା କାମ ଦେବ ବୋଲି ଆଶା କରାଯାଉଛି। ବ୍ରହ୍ମପୁର ଲୋକସଭା ଆସନରେ ତେଲୁଗୁ ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏମାନେ ହିଁ ନିର୍ଣ୍ଣାୟକ ହେବେ।

ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଆସୁଛି ଗଞ୍ଜାମ ଜିଲ୍ଲାର  ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି ଓ ଗଜପତି ଜିଲ୍ଲାର ମୋହନା ତଥା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ।

Comment