ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ବିଜେଡି ବଡ଼ ପ୍ରତିଶ୍ରୁତି ଦେଇଛି। ଯୁବକ, ମହିଳା ଓ ଚାଷୀଙ୍କୁ ଇସ୍ତାହାରରେ ଗୁରୁତ୍ୱ ଦେଇଛି ଦଳ। ଚାଷୀ ଓ ମହିଳାଙ୍କ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ଯୁବକଙ୍କୁ ଅଗ୍ରାଧିକାର ଦେଇଛି ଦଳ।

କ୍ଷମତାକୁ ଆସିଲେ ସବୁ କଲେଜ ଓ ୟୁନଭର୍ସିଟିରେ ମାଗଣାରେ ୱାଇଫାଇ ଦେବାକୁ ବିଜେଡି ଇସ୍ତାହାରରେ ଘୋଷଣା କରିଛି।

ଖାଲି ସେତିକି ନୁହେଁ, ଶୂନ ପ୍ରତିଶତରେ ଶିକ୍ଷା ଋଣ ଦେବା ପାଇଁ ବିଜେଡି ପ୍ରତିଶ୍ରୁତି ଦେଇଛି।

ସେହିପରି ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ବିଜେଡି ପ୍ରତିଶ୍ରୁତି ଦେଇଛି। ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦେବାକୁ ବିଜେଡି ଘୋଷଣା କରିଛି। ସେହିପରି ଗରିବ ପରିବାରର ଝିଅମାନଙ୍କ ବିବାହ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ବିଜେଡି କହିଛି।

ଚାଷୀଙ୍କ ପାଇଁ ବିଜେଡି ମଧ୍ୟ ପ୍ରତିଶ୍ରୁତି ଦେଇଛି। ସରକାର ଗଠନ ହେବା ଦିନ ହିଁ ଦୁଇଟି କିସ୍ତିର କାଳିଆ ଟଙ୍କା ୨୫ ଲକ୍ଷ ଚାଷୀଙ୍କୁ ଦିଆଯିବ ବୋଲି ଘୋଷଣା କରିଛି ବିଜେଡି। ଏହାସହ ଜଳ ସେଚନ ବାବଦରେ ୫୦ ହଜାର ଟଙ୍କା ବ୍ୟୟ କରାଯିବ କହି ବିଜେଡି ଚାଷୀଙ୍କ ଭୋଟ ପାଇବା ପାଇଁ ଆଉ ଏକ ମାଷ୍ଟର ଷ୍ଟ୍ରୋକ ମାରିଛି।

ଇସ୍ତାହାର ଉନ୍ମୋଚନ କରି ବିଜେଡି ସୁପ୍ରିମୋ ସିଧା ବିଜେପିକୁ ତୀର ମାରିଥିଲେ।

ନବୀନ କହିଥିଲେ, ‘’ଆମେ ଯାହା ପ୍ରତିଶ୍ରୁତି ଦେଉ ତାକୁ ପାଳନ କରୁ, ଆମେ ଭାରତୀୟ ଜନତା ପାର୍ଟି ଭଳି ନୋହୁଁ।”

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣକୁ ମଝିରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଜେଡି ନିଜର ଇସ୍ତାହାର ପତ୍ର ଘୋଷଣା କରିଛି।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଥିଲେ, “୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ୨୦୧୯ ପ୍ରତିଶ୍ରୁତି ମଧ୍ୟପୂରଣ କରିବୁ। ଘର ଘର ବୁଲି ଆମେ ଲୋକଙ୍କ ମତ ନେଇଥିଲୁ। ଲୋକଙ୍କ ମତାମତ ଆଧାରରେ ଇସ୍ତାହାର ପ୍ରସ୍ତୁତ କରାଯାଇଛି।”

Comment